ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ପରଲୋକ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା
ଭୁବନେଶ୍ୱର: ଭାରତୀୟ ସିନେମା ଜଗତର ଲୋକପ୍ରିୟ ତଥା ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆ ସ୍ଥିତ ନିଜ ବାସଭବନରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ଓଡ଼ିଶାର ଶୀର୍ଷ ରାଜନୈତିକ ନେତୃବୃନ୍ଦ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନେତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ମୃତ୍ୟୁ ଭାରତୀୟ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି।
https://twitter.com/MohanMOdisha/status/2108035889607897547
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅଭିନେତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, "ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ସ୍ୱତନ୍ତ୍ର ଡାଏଲଗ୍ ଡେଲିଭରି ଏବଂ ଜଟିଳ ଚରିତ୍ରକୁ ଅତି ସହଜରେ ଉପସ୍ଥାପନ କରିବାର କ୍ଷମତା ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ଶୋକସନ୍ତପ୍ତ ପରିବାର ସଦସ୍ୟ, ବନ୍ଧୁ ଏବଂ ପ୍ରଶଂସକଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।"
https://twitter.com/Naveen_Odisha/status/2108034759901528426
ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ସମୟରେ ଗୋଆର ଡୋନା ପାଓଲା ସ୍ଥିତ ନିଜ ବାସଭବନରେ ଏହି ୭୫ ବର୍ଷୀୟ ଅଭିନେତା ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଦୀର୍ଘ ୪୫ ମିନିଟ୍ ଧରି ସିପିଆର (CPR) ଦିଆଯାଇଥିଲେ ସୁଦ୍ଧା ଭୋର ୫:୨୦ ମିନିଟ୍ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।






