ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ସୋମବାର ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାଡ଼ଖଣ୍ଡର ପୂର୍ବତନ ଲୋକସଭା ସାଂସଦ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ଏବର ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ହରିବାବୁ ୨୦୨୫ ଜାନୁଆରୀରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଥିଲେ ।
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିବା ବ୍ରଜମୋହନ ଝାଡ଼ଖଣ୍ଡର ପଲାମୁ ସଂସଦୀୟ କ୍ଷେତ୍ରରୁ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡ ବିଜେପି ଏସ୍ସି ମୋର୍ଚ୍ଚାର ସଭାପତି ଭାବରେ ଶ୍ରୀ ରାମଙ୍କର ପରିଚୟ ରହିଛି । ସେହିପରି କେରଳମ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗତ ମାର୍ଚ୍ଚ ମାସରୁ ସେ ତାମିଲନାଡ଼ୁର ଭାରପ୍ରାପ୍ତ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କ ନିଯୁକ୍ତିକୁ ନିୟମିତ କରାଯାଇଛି। ସେ ପୂର୍ବରୁ ଗୋଆ ବିଧାନସଭାର ବାଚସ୍ପତି, ହିମାଚଳ ପ୍ରଦେଶ ଓ ବିହାରର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍ ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆଯାଇଛି। ଅନୁରୂପ ଭାବରେ ସୁଧା ଯାଦବଙ୍କୁ କର୍ଣ୍ଣାଟକର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ସେ ମହେନ୍ଦ୍ରଗଡ଼ର ପୂର୍ବତନ ବିଜେପି ସାଂସଦ ଏବଂ ଜାତୀୟ ପଛୁଆ ବର୍ଗ ଆୟୋଗର ପୂର୍ବତନ ସଦସ୍ୟ। ମଧ୍ୟପ୍ରଦେଶର ବାଲାଘାଟର ପୂର୍ବତନ ଲୋକସଭା ସାଂସଦ ଢାଲ ସିଂ ବିସେନ ଉତ୍ତରାଖଣ୍ଡର ରାଜ୍ୟପାଳ ହୋଇଛନ୍ତି। ପୁନଶ୍ଚ ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ୍ର ରାଜ୍ୟପାଳ ରୂପେ ନିଯୁକ୍ତ କରାଯାଇଛି।






