ଖାଉଟିଙ୍କ ଉପରେ ଦରବୃଦ୍ଧି ପ୍ରହାର: କାର୍ତ୍ତିକରେ ବି ଖସୁନି ଆମିଷ ଦର, ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ
ଭୁବନେଶ୍ୱର: କାର୍ତ୍ତିକରେ ବି ଖସୁନି ଆମିଷ ଦର। ସାଧାରଣତଃ ଧର୍ମର ମାସ କାର୍ତ୍ତିକ ମାସରେ ୭୦ ପ୍ରତିଶତ ଲୋକେ ଆମିଷ ଖାଉନଥିବାରୁ ପରିବା ଉପରେ ଅଧିକ ନିର୍ଭର କରିଥାନ୍ତି ଏବଂ ଏହି ସମୟରେ ବିଭିନ୍ନ ପ୍ରକାର ଆମିଷ ଦର କମିଥାଏ। ହେଲେ ବର୍ତ୍ତମାନ ଆମିଷ ଦର କମିବା ବଦଳରେ ରାଜ୍ୟ ବାହାରୁ ଆମିଷ ଆମଦାନୀ ହେଉଥିବାରୁ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ମଧ୍ୟ ବଢ଼ିଥିବା ଆଳ ଦେଖାଇ କିଲୋ ପିଛା ୨୦ରୁ ୩୦ ଟଙ୍କା ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଅନ୍ୟପଟେ ବିଗତ ୬ମାସ ହେବ ପରିବା ଦର ଯେଉଁଭଳି ଭାବେ ବଢ଼ି ଚାଲିଛି, ଗ୍ରାହକମାନେ ଦର ଶୁଣି ମୁହଁ ଫେରାଉଛନ୍ତି। ସେହିପରି ଆମିଷ ବାରରେ ଅଧିକାଂଶ ଲୋକେ ଅଣ୍ଡା ଖାଉଥିବା ବେଳେ ବର୍ତ୍ତମାନ ଅଣ୍ଡା ଗୋଟାକ ୭ ଟଙ୍କାରେ ପହଞ୍ଚିଲାଣି। ତେଣୁ ଦିନକୁ ପରିବା ଠାରୁ ଆରମ୍ଭ କରି ଆମିଷ ସାମଗ୍ରୀର ଦର ଅହେତୁକ ବୃଦ୍ଧି ଖାଉଟିଙ୍କ ଉପରେ ଆର୍ଥିକ ପ୍ରହାର ପକାଉଥିବା କୁହାଯାଉଛି।
ସାଧାରଣତଃ କାର୍ତ୍ତିକ ମାସ ଆରମ୍ଭରୁ ବଢ଼ିଚାଲେ ବିଭିନ୍ନ ପରିବା ଦର। ଏହି ମାସକୁ ହବିଷ୍ୟାଳିମାନେ ନିରାଡ଼ମ୍ବର ଭାବେ ପାଳନ କରୁଥିବା ବେଳେ ଧର୍ମାନୁଷ୍ଠାନ, ମଠ ମନ୍ଦିରରେ ସାଧାରଣ ଲୋକଙ୍କ ପାଇଁ ସାତ୍ତ୍ୱିକ ଖାଦ୍ୟ ପରଷା ଯାଇଥାଏ। ଏମିତିକି ଅଧିକାଂଶ ପରିବାର ମଧ୍ୟ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି। ଫଳରେ ପରିବା ଉପରେ ଅଧିକ ମାଡ଼ ହେଉଥିବାରୁ ପରିବା ଦର ବୃଦ୍ଧି ପାଇଥାଏ ଏବଂ ଆମିଷର ଦର କମିଥାଏ। କିନ୍ତୁ ଚଳିତବର୍ଷ ଆମିଷ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଆନ୍ଧ୍ରା ରୋହି ମାଛ କିଲୋ ପିଛା ୧୮୦ରୁ ୨୦୦ ଟଙ୍କା ରହିଥିବା ବେଳେ ଖୁଚୁରା ବ୍ୟବସାୟୀମାନେ ୨୦୦ରୁ ୨୨୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ଭାକୁର, ଚିଙ୍ଗୁଡ଼ି, ପୋହଳା ଆଦି ମାଛ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଭୁବନେଶ୍ୱରକୁ ଆନ୍ଧ୍ରରୁ ବିଭିନ୍ନ ପ୍ରକାର ମାଛ ଆମଦାନୀ କରାଯାଉଥିବା ବେଳେ ଚିଲିକା, ବାଲେଶ୍ୱର, ଧାମରା, ପରାଦୀପ ଆଦି ସ୍ଥାନରୁ କଙ୍କଡ଼ା, ଚିଙ୍ଗୁଡ଼ି ଆମଦାନୀ ହୋଇଥାଏ। ବଡ଼ ବଡ଼ ଟ୍ରକ୍ ଯୋଗେ ସପ୍ତାହରେ ୨ରୁ ୩ଥର ପ୍ରାୟ ୧୦ରୁ ୨୦ଟନ୍ ଆମିଷ ଆସିଥାଏ। ଯାହା ରାଜଧାନୀକୁ ପ୍ରଚୁର ପରିମାଣରେ ଆମିଷ ଯୋଗାଇଥାଏ। ହେଲେ ପୂର୍ବପେକ୍ଷା ଏଥିପାଇଁ ଗମନାଗମନ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ବଢ଼ିଛି। ଏନେଇ ଜୟ ଯବାନ ମତ୍ସ୍ୟ ସଂଘର ସାଧାରଣ ସମ୍ପାଦକ ଏସ୍କେ ତସବୀର କହିଛନ୍ତି ଯେ, ପୂର୍ବପେକ୍ଷା ଆନ୍ଧ୍ରରେ ମଧ୍ୟ ମାଛ କିଲୋ ପିଛା ୭ରୁ ୮ଟଙ୍କା ବୃଦ୍ଧି ପାଇଛି। କାରଣ ବିଜୁଳି ବିଲ୍, ବରଫ ଦର, ମାଛ ମାନଙ୍କ ଖାଦ୍ୟରେ ଜିଏସଟି, ପୋଟୋଲ, ଝିଜେଲ ଆଦି ଦଧ୍ୱୃଦ୍ଧି ପାଉଥିବାରୁ ଗମନାଗମନ ବାବାଦକୁ ୃଦିକ ଖର୍ଚ୍ଚ ହେଉଛି। ପ୍ରଥମେ ଡିଲର, ହୋଲେସେଲର, ରିଟେଲର ସମସ୍ତେ ନିଜ ନିଜର ଲାଭ ରଖି ଶେଷରେ ଗ୍ରାହକଙ୍କ ପାଖରେ ପହଞ୍ଚିବା ବେଳକୁ ଦର ବଢ଼ୁଛି। ତଥାପି ସମସ୍ତଙ୍କ ପାଇଁ ଗୋଟିଏ ଦର ରଖାଯାଇଛି। ଅଧିକାଂଶ ସମୟରେ ରାସ୍ତାକଡ଼ରେ ଅସ୍ଥାୟୀ (ଅଣପଞ୍ଜିକୃତ)ବ୍ୟବସାୟୀ ନିଜ ମନ ମୁତାବକ ଦର ବୃଦ୍ଧି କରୁଛନ୍ତି। ଏଥିପ୍ରତି ଗ୍ରାହକମାନେ ସଚେତନ ହେବା ଉଚିତ୍।
ସେହିପରି ଚିକେନ୍ ପାଇଁ ପିପିଲି ଉପରେ ନିର୍ଭର କରିବାକୁ ପଡେ଼ ରାଜଧାନୀ ଚିକେନ୍ ବ୍ୟବସାୟୀଙ୍କୁ। ପ୍ରତି ସପ୍ତାହରେ ୨ରୁ ୩ଥର ଛୋଟ ବଡ଼ ଗାଡ଼ିରେ ଭର୍ତ୍ତି ହୋଇ କୁକୁଡ଼ା ଆସିଥାଏ। ତେଲ ଦର ବଢ଼ୁଥିବାରୁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଚିକେନ୍ ଦର ବୃଦ୍ଧି ପାଉଛି ବ୍ୟବସାୟୀମାନେ କହିଛନ୍ତି। ପୂର୍ବ ଅପେକ୍ଷା ପ୍ରତି ଛୋଟ ଗାଡ଼ି ଭଡ଼ା ବାବଦକୁ ୫୦୦ରୁ ୭୦୦ଟଙ୍କା ଏବଂ ବଡ଼ ଗାଡ଼ି ବାବଦକୁ ୧ହଜାରୁ ୧୨ଶହ ଅଧିକ ଦେବାକୁ ପଡ଼ୁଛି। ପୂର୍ବରୁ କାର୍ତ୍ତିକ ମାସରେ ଚିକେନ୍ କିଲୋ ପିଛା ୧୪୦ରୁ ୧୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୨ଶହ ଟପିଛି ଏବଂ କେତେକ ସ୍ଥାନରେ ୨୮୦ ଟଙ୍କାରେ ବି ବିକ୍ରି ହେଉଥିବା ୟୁନିଟ୍-୪ ଚିକେନ୍ ଆସୋସିଏସନ୍ର ସେକ୍ରେଟାରୀ ସାହିଦ୍ କଦ୍ରୀ କହିଛନ୍ତି। ସେହିପରି ମଟନ୍, ଅଣ୍ଡା ଦର ମଧ୍ୟ ବଢ଼ୁଥିବାରୁ ଖାଉଟିମାନେ ଏବେ ଖାଇବା ଚିନ୍ତାରେ।






