ମନୋରଞ୍ଜନ
ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ପୋଲ ଉପରୁ ପ୍ରାୟ ୧୦୦ ମିଟର ତଳକୁ ଗଭୀର ଖାଇରେ ଖସିପଡ଼ିଛି । ଉତ୍ତରାଖଣ୍ଡର ଟିହରି ଗଡ଼ୱାଲ ଜିଲ୍ଲାରେ ଘଟିଥିବା ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଋଷିକେଶରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ବସଟି ନିୟନ୍ତ୍ରଣ ହରାଇ ଏକ ବ୍ରିଜ୍ ଉପରୁ ପ୍ରାୟ ୧୦୦ ମିଟର ତଳକୁ ଖସିପଡିବାରୁ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବସରେ ମୋଟ ୩୪ ଜଣ ଯାତ୍ରୀ ଥିଲେ।
ମଙ୍ଗଳବାର ଭୋର ପ୍ରାୟ ୫:୩୦ ସମୟରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଗୁଲର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବ୍ୟାସୀ ଏବଂ ଧାଲୱାଲା SDRF ପୋଷ୍ଟର ଟିମ୍ ସହିତ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୨୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଋଷିକେଶ ସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶକ୍ରମେ ଅଧିକ SDRF ଟିମ୍ ନିୟୋଜିତ କରାଯାଇଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟିହରୀ ଗଢ଼ୱାଲ ଜିଲ୍ଲାରେ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନି ସମ୍ପର୍କରେ ଜାଣି ସେ ମର୍ମାହତ ବୋଲି କହିଛନ୍ତି । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।






