MMDR ସଂଶୋଧନ ବିରୋଧରେ ରାୟଗଡରେ ବିଜେଡିର ବିଶାଳ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ
ରାୟଗଡ: ସଂଶୋଧିତ ଏମଏମଡିଆର ଆଇନ-୨୦୨୬କୁ ବିରୋଧ କରି ରାୟଗଡ ସଦରମହକୁମାରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ରାୟଗଡ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ବିଜେଡି ରାୟଗଡ ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁଙ୍କ ସମେତ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ରାଲିରେ ଦଳୀୟ ନେତା ଓ କର୍ମୀମାନେ ଏମଏମଡିଆର ସଂଶୋଧନକୁ ନେଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ।

ପରେ ଏକ ପ୍ରତିନିଧି ଦଳ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ସାକ୍ଷାତ କରି ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ସଂଶୋଧିତ ଏମଏମଡିଆର ଆଇନରେ ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ସମ୍ବନ୍ଧୀୟ ଅଧିକାର ପ୍ରଭାବିତ ହେବ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ଏଥିରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରାଯାଇଛି। ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱର ନ୍ୟାୟସଙ୍ଗତ ଅଂଶ ଖଣି ପ୍ରଭାବିତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶରେ ସୁନିଶ୍ଚିତ କରିବାକୁ ମଧ୍ୟ ଦଳ ପକ୍ଷରୁ ଦାବି ରହିଛି।

ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି. ଗୌରୀ ଶଙ୍କର ରାଓ, ବରିଷ୍ଠ ନେତା ଜଗଦୀଶ ପାତ୍ର, ରଘୁନାଥ ଗମାଙ୍ଗ, ପୃଥିବୀରାଜ ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଶୁଭ୍ରା ପଣ୍ଡା, ବିନାୟକ ପଲେଇ, ଦେବାଶିଷ ଖାଡ଼ଙ୍ଗା, ଧବଳେଶ୍ୱର ନାଇଡୁ, ଉଦୟ ହିମିରିକା, ବିଷ୍ଣୁ ପଣ୍ଡା, କୁମାରୀ ପାଲକା ଓ ମାଧରାଓ କୋଣ୍ଡାଗରୀଙ୍କ ସମେତ ବିଭିନ୍ନ ଅଞ୍ଚଳର ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏଥିରେ କୋରାପୁଟ ଜିଲ୍ଲା ସଭାପତି ଝିନ୍ନ ହିକକା ଓ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏମଏମଡିଆର ସଂଶୋଧନ ଆଇନକୁ ନେଇ ଏବେ ଓଡ଼ିଶା ରାଜନୀତିରେ ତର୍କ ତୀବ୍ର ହୋଇଛି। ବିରୋଧୀ ଦଳଗୁଡ଼ିକ ସଂଶୋଧନକୁ ନେଇ ରାଜ୍ୟର ଖଣିଜ ରାଜସ୍ୱ ଓ ରାଜ୍ୟର ଅଧିକାର ସମ୍ପର୍କରେ ପ୍ରଶ୍ନ ଉଠାଉଥିବା ବେଳେ ରାଜ୍ୟ ସରକାର ଏହାର ଆର୍ଥିକ ପ୍ରଭାବର ଚୂଡ଼ାନ୍ତ ଆକଳନ ଏପର୍ଯ୍ୟନ୍ତ ହୋଇନଥିବା କହିଛନ୍ତି।






