ମନୋରଞ୍ଜନ
ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି, ସଜାଗ ରହିଛି ୩୮୮ ଟିମ୍
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ ର ପ୍ରଭାବକୁ ସଫଳତାର ସହ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଏବଂ ଅଗ୍ନିଶମ ସେବା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାରା ରାଜ୍ୟରେ ମୋଟ ୩୮୮ଟି ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨୧୬ଟି ଟିମ୍କୁ ୯ଟି ଅତ୍ୟଧିକ ସମ୍ବେଦନଶୀଳ ଜିଲ୍ଲାରେ ନିୟୋଜିତ କରାସରିଛି।
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ଏହା ସହିତ ପୁରୀ, ବାଲେଶ୍ଵର, ଜଗତସିଂହପୁର, ଗଜପତି, କଟକ, କନ୍ଧମାଳ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ସମେତ ଭୁବନେଶ୍ୱରରେ ମଧ୍ୟ ଅଗ୍ନିଶମ କର୍ମଚାରୀମାନେ ହାଇଆଲର୍ଟରେ ରହିଛନ୍ତି। ବାକି ଟିମ୍ଗୁଡ଼ିକୁ ଷ୍ଟାଣ୍ଡବାଇରେ ରଖାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନକୁ ତୁରନ୍ତ ପଠାଯିବାର ବ୍ୟବସ୍ଥା ହୋଇଛି।
ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ୧୮୧ଟି ରବର ବୋଟ୍, ୨୩୩ଟି ସର୍ଚ୍ଚଲାଇଟ୍, ୧୦୨ଟି ଡି-ୱାଟରିଂ ପମ୍ପ ଏବଂ ୬୪୦ଟି ପାୱାର ଚେନ୍ କଟିଂ ମେସିନ୍ ଭଳି ଆଧୁନିକ ଉପକରଣ ଯୋଗାଇ ଦିଆଯାଇଛି। ବାତ୍ୟା ପରେ ରାସ୍ତା ଅବରୋଧ ହଟାଇବା ଏବଂ ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ କରିବାକୁ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯିବ। ଜନସାଧାରଣ ଯେକୌଣସି ଜରୁରୀ ସହାୟତା ପାଇଁ ଟୋଲ୍-ଫ୍ରି ନମ୍ବର ୧୧୨ ରେ ଯୋଗାଯୋଗ କରିପାରିବେ। ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ କମାଣ୍ଡ ସେଣ୍ଟରରୁ ଏହି ସମଗ୍ର ଅପରେସନର ୨୪ ଘଣ୍ଟିଆ ତଦାରଖ କରାଯାଉଛି।






