ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଚାଲିଛି ବୋଇତ ବନ୍ଦାଣ ଉତ୍ସବ
ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଓ ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଆଜି ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି। ପ୍ରତ୍ୟୁଷରୁ ବିଭିନ୍ନ ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି। ପାନ୍, ଗୁଆ, ଫୁଲ ଏବଂ ଦୀପ ସଜ୍ଜିତ କଦଳୀ ପଟୁଆର ଓ କାଗଜ ତିଆରି ଡଙ୍ଗାକୁ ଜଳାଶୟରେ ଭସାଇ ଶ୍ରଦ୍ଧାଳୁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି।
ପ୍ରାଚୀନ କାଳରେ ଓଡ଼ିଶାର ସାଧବ ପୁଅମାନେ ବାଣିଜ୍ୟ ପାଇଁ ସୁଦୂର ବାଲି, ଜାଭା ଏବଂ ସୁମାତ୍ରା ଦ୍ୱୀପକୁ ଯାତ୍ରା କରୁଥିଲେ। ସେହି ଗୌରବମୟ ଇତିହାସର ସ୍ମୃତି ଚାରଣ କରି ଆଜି ଶ୍ରଦ୍ଧାଳୁମାନେ "ଆ କା ମା ବୈ, ପାନ ଗୁଆ ଥୋଇ..." ଗୀତ ଗାଇ ଜଳାଶୟରେ ଡଙ୍ଗା ଭସାଇଛନ୍ତି। ଏହି ପରମ୍ପରା ସହିତ ପବିତ୍ର କାର୍ତ୍ତିକ ମାସର ସମାପ୍ତି ଘଟିଛି। ଏହା ନାବିକମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଏକ ପ୍ରାର୍ଥନା ଭାବେ ମଧ୍ୟ ବିବେଚନା କରାଯାଏ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ବୋଇତ ବନ୍ଦାଣ କରିବା ସହ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦୁର୍ଲଭ ସୁନା ବେଶ ବା ରାଜାଧିରାଜ ବେଶ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି। ହବିଷ୍ୟାଳିମାନଙ୍କର ମାସବ୍ୟାପୀ ଚାଲିଥିବା କାର୍ତ୍ତିକ ବ୍ରତର ଆଜି ଉଦ୍ଯାପନ ହୋଇଛି।
ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଜଳାଶୟରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁଙ୍କ ନିରାପତ୍ତା ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଘାଟଗୁଡ଼ିକରେ ଉଦ୍ଧାରକାରୀ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି।






