କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର
ବାରିପଦା: କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଇରଙ୍ଗପୁର ଥାନା ଅନ୍ତର୍ଗତ ହାଟବଦଳା ନିକଟ ଚିଲିଙ୍ଗୁଡିପୋଖରୀ ଗ୍ରାମର ମଦନ ଟୁଡୁଙ୍କ ପରିବାରରେ ଏହି ଅଘଟଣ ଘଟିଛି। ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବାରୁ ମଦନଙ୍କ ଦୁଇ ବର୍ଷର ପୁଅ ଅନୁଜ ଟୁଡୁ ଓ ତାଙ୍କ ମା’ ବାସନ୍ତୀ ଟୁଡୁ(୫୧) ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଶିଶୁପୁତ୍ର ଅନୁଜର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରଟି ଆଖି ବୁଜିଥିବା ଜଣାପଡ଼ିଛି। ଅନ୍ୟପଟେ ଗୁରୁତର ଆହତ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।






