IRB ବାଟାଲିଅନ୍ରେ ସିପାହୀ, କନଷ୍ଟେବଲ୍ ନିଯୁକ୍ତି ମାମଲା, ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ବିଭିନ୍ନ ବଟାଲିୟନରେ ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସର୍ବୋଚ୍ଚ ବୟସ ସୀମାକୁ ଲାଗି ରହିଥିବା ଅଦାଲତି ବିବାଦର ଅବସାନ ଘଟିଛି । ଉପରୋକ୍ତ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩ବର୍ଷ କୋହଳ କରାଯିବ ବୋଲି ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା । ଏଥିରେ ମଧ୍ୟ ସମସ୍ତ ପକ୍ଷ ସମ୍ମତି ପ୍ରକାଶ କରିଥିଲେ […]
କଟକ : ବିଭିନ୍ନ ବଟାଲିୟନରେ ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସର୍ବୋଚ୍ଚ ବୟସ ସୀମାକୁ ଲାଗି ରହିଥିବା ଅଦାଲତି ବିବାଦର ଅବସାନ ଘଟିଛି । ଉପରୋକ୍ତ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩ବର୍ଷ କୋହଳ କରାଯିବ ବୋଲି ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା । ଏଥିରେ ମଧ୍ୟ ସମସ୍ତ ପକ୍ଷ ସମ୍ମତି ପ୍ରକାଶ କରିଥିଲେ । ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେଇ ଉକ୍ତ ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସର୍ବୋଚ୍ଚ ବୟସ ସୀମାକୁ ୬ବର୍ଷ କୋହଳ ପାଇଁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ବୈଠକ ବସି ବୟସ ସୀମା କୋହଳ ସମ୍ପର୍କିତ ନିଷ୍ପତ୍ତି ହୋଇଥିବା ନେଇ କୁହାଯାଇଥିଲା । ଯେହେତୁ ଗତ ୨୦୨୮ରୁ ଉପରୋକ୍ତ ପଦ ପାଇଁ କୌଣସି ନିଯୁକ୍ତି ପରୀକ୍ଷା କରାଯାଇନଥିଲା । ସେହି ସମୟରେ ନିଯୁକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟ ପ୍ରାର୍ଥୀ ୨୦୨୪ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ସର୍ବୋଚ୍ଚ ବୟସସୀମା ଅତିକ୍ରାନ୍ତ ପାଇଁ ଆବେଦନରୁ ବଞ୍ଚିତ ହୋଇଥିଲେ। ଏଥିପାଇଁ ଜଣିକିଆ ବିଚାରପତି ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିଥିବା ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।
ମାମଲାରୁ ପ୍ରକାଶ ଯେ,ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି ସିପାହି/କନଷ୍ଟେବଳ ପଦ ପୂରଣ ପାଇଁ ୨୦୨୪, ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୬ବର୍ଷର ବ୍ୟବଧାନ ପରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା କୋହଳ କରାଯିବାର ଆବଶ୍ୟକତା ରହିଛି ଦର୍ଶାଇ ହାଇକୋର୍ଟରେ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏକାଧିକ ଆବେଦନ ଦାୟର ହୋଇଥିଲା । କରୋନା ମହାମାରୀ ପାଇଁ ବୟସସୀମା ସମ୍ପର୍କିତ ନିୟମାବଳୀ ସଂଶୋଧନକୁ ସିପାହୀ ଓ କନଷ୍ଟେବଳ ନିଯୁକ୍ତି କ୍ଷେତ୍ରରେ ଲାଗୁ କରାଯାଇନଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ସର୍ବୋଚ୍ଚ ବୟସସୀମା ୬ବର୍ଷ କୋହଳ କରାଯିବ ବୋଲି ଜଣିକିଆ ବିଚାରପତି ରାୟ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଦୁଇ ଜଣିଆ ଖଣ୍ଡପୀଠରେ ରାଜ୍ୟ ସରକାର ଚାଲେଞ୍ଜ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଏଜିଏ ଶାଶ୍ୱତ ଦାସ ଓ ପ୍ରତିପକ୍ଷ ପ୍ରାର୍ଥୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ, ବିପ୍ଳବ ବାହାଲି, ମଦନମୋହନ ଦାସ ମାମଲା ପରିଚାଳନା କରୁଥିଲେ।






