ମନୋରଞ୍ଜନ
କାର୍ତ୍ତିକ ପୂର୍ଣ୍ଣିମାରେ ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର: ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ, ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ
ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜି କାର୍ତ୍ତିକ ମାସ ତଥା ପଞ୍ଚୁକ ବ୍ରତର ଅନ୍ତିମ ଦିନରେ ହଜାର ହଜାର ଭକ୍ତ ମହୋଦଧିରେ ସ୍ନାନ କରିବା ସହ ଡଙ୍ଗା ଭସାଇଛନ୍ତି। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଛି । ରତ୍ନସିଂହାସନରୂଢ଼ ମହାପ୍ରଭୁଙ୍କୁ ରାଜାଧିରାଜ ତଥା ସୁନାବେଶରେ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ଏହି ବେଶରେ ଶ୍ରୀବିଗ୍ରହଙ୍କୁ ବହୁମୂଲ୍ୟ ଅଳଙ୍କାର ସବୁ ଲାଗି କରାଯାଇଛି । ବଡ଼ଠାକୁର ଶ୍ରୀବଳଭଦ୍ର ହଳ ମୂଷଳ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଆୟୁଧ ଧାରଣ କରିଛନ୍ତି । ଦେବୀ ସୁଭଦ୍ରାଙ୍କୁ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ସହ ୨ଟି ଆୟୁଧ ତଥା ତଡ଼ଗୀ ଲାଗି କରାଯାଇଛି । ସୋମବାର ରାତିରୁ ଲାଇନରେ ଠିଆ ହୋଇଥିବା ହଜାର ହଜାର ଭକ୍ତ ସକାଳ ନୀତି ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୋର ସମୟରୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ସମୁଦ୍ର ଏବଂ ଅନ୍ୟାନ୍ୟ ପବିତ୍ର ଜଳାଶୟ ନିକଟରେ ରୁଣ୍ଡ ହୋଇଥିଲେ। କଦଳୀ ପଟୁଆ, ସୋଲ ଏବଂ କାଗଜରେ ନିର୍ମିତ ଛୋଟ ଛୋଟ ଡଙ୍ଗାରେ ଦୀପ, ଫୁଲ ଓ ସିନ୍ଦୂର ଦେଇ ସେମାନେ ବୋଇତ ବନ୍ଦାଣ କରିଥିଲେ। ପ୍ରାଚୀନ କାଳର ସାଧବ ପୁଅମାନଙ୍କ ସାମୁଦ୍ରିକ ବାଣିଜ୍ୟ ଯାତ୍ରାର ସ୍ମୃତି ଚାରଣ କରି 'ଆ କା ମା ବୈ' ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।
ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର, ସମୁଦ୍ର କୂଳ ଏବଂ ପର୍ଯ୍ୟଟନ ମାର୍ଗଗୁଡ଼ିକରେ ୪୫ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।






