ରାଜ୍ୟର ମୋଟ ୯ ଜିଲ୍ଲାକୁ ମାଡ଼ିଗଲାଣି ଡାଇରିଆ : ୧୩ ଦିନରେ ଗଡ଼ିଲାଣି ୨୪ ମୁଣ୍ଡ
ଭୁବନେଶ୍ୱର/ଯାଜପୁର/କେନ୍ଦ୍ରାପଡ଼ା : ଗତ ୬ ତାରିଖରୁ ଯାଜପୁରରେ ବ୍ୟାପିଥିବା ଡାଇରିଆ ଡେଇଁଡେଇଁ ମାଡ଼ୁଛି। ଦୈନିକ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ବଦଳରେ ବଢ଼ିଚାଲିଛି। ୧୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଯାଜପୁରରେ ହଇଜା ନିୟନ୍ତ୍ରଣ ହୋଇ ନ ଥିବାବେଳେ ଝାଡ଼ାବାନ୍ତି ୯ ଜିଲ୍ଲାକୁ ବ୍ୟାପିଛି। ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ପରେ ବାଲେଶ୍ୱରକୁ ଡାଇରିଆ ମାଡ଼ିଗଲାଣି। ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା, ଧର୍ମଶାଳାରେ […]
ଭୁବନେଶ୍ୱର/ଯାଜପୁର/କେନ୍ଦ୍ରାପଡ଼ା : ଗତ ୬ ତାରିଖରୁ ଯାଜପୁରରେ ବ୍ୟାପିଥିବା ଡାଇରିଆ ଡେଇଁଡେଇଁ ମାଡ଼ୁଛି। ଦୈନିକ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ବଦଳରେ ବଢ଼ିଚାଲିଛି। ୧୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଯାଜପୁରରେ ହଇଜା ନିୟନ୍ତ୍ରଣ ହୋଇ ନ ଥିବାବେଳେ ଝାଡ଼ାବାନ୍ତି ୯ ଜିଲ୍ଲାକୁ ବ୍ୟାପିଛି। ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ପରେ ବାଲେଶ୍ୱରକୁ ଡାଇରିଆ ମାଡ଼ିଗଲାଣି। ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା, ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିବାବେଳେ ଯାଜପୁର ଓ ବରୀ ବ୍ଲକରେ ଝାଡ଼ାବାନ୍ତି ଭୟଙ୍କର ରୂପ ନେଇଛି। ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ଗାଁରେ ଜଣଙ୍କର ମୃତ୍ୟୁ ଘଟିଛି। ଯାଜପୁରରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଅର୍ଦ୍ଧାଧିକ ଶିଶୁ ରୋଗୀ ଥିବା ଜଣାପଡ଼ିଛି।
ସେପଟେ ଯାଜପୁରରେ ଝାଡା ବାନ୍ତିରେ ବୁଧବାର ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ଆଜି ମୃତ୍ୟୁ ଘଟିଛି। ଯାହା ଫଳରେ ଯାଜପୁରରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଯାଜପୁର ବ୍ୟାସନଗର ସ୍ଥିତି ଯାଜପୁର ରୋଡ଼ ଅର୍ବାନ ସିଏଚସିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୁଧୀନି ମୁର୍ମୁ (୧ ବର୍ଷର ଶିଶୁ କନ୍ୟା)ହୋଇଥିବା ବେଳେ ଅନ୍ୟଜଣେ ପୂଜା ସାମାଡ଼(୨୫ ବର୍ଷ) ଉଭୟ ବ୍ୟାସନଗର ଚୂନଭାଟି ଅଞ୍ଚଳର। ଗୁରୁତର ଅବସ୍ଥାରେ ବ୍ୟାସନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ପୂଜା ସାମାଡ଼ଙ୍କ ଚିକିତ୍ସ ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି କେନ୍ଦୁଝରରେ ୩ ଜଣ, କଟକରେ ୨ ଜଣ ଓ କେନ୍ଦ୍ରାପଡ଼ାରେ ଜଣେ ପ୍ରାଣ ହରାଇଛନ୍ତି ।
ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟା ଯାଜପୁର ସୁଦ୍ଧା ଜିଲ୍ଲାରେ ୧୮୫ ଜଣ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୫ ଜଣଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରୀୟ ଟିମ୍ ମଧ୍ୟ ତିନି ଦିନ ଧରି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରୁଥିଲେ ହେଁ ଏଯାବତ୍ ଝାଡ଼ାବାନ୍ତିର ମୂଳ ଉତ୍ସ ଖୋଜି ପାଉନାହାନ୍ତି। ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକସ୍ଥିତି ଉପୁଜିଛି। ଗତକାଲି ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର୍ କରିଥିବା ଜଣାପଡ଼ିଛି। ଏବେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ବିଭିନ୍ନ ଘରୋଇ ହସ୍ପିଟାଲ୍ରେ କିଛି ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି। ଏ ସମ୍ପର୍କରେ ହସ୍ପିଟାଲ୍ର ନିର୍ଦ୍ଦେଶକ ଡାକ୍ତର ରୂପଭାନୁ ମିଶ୍ର କହିଛନ୍ତି, ରାଜ୍ୟରେ ହଇଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହାକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।
ହସ୍ପିଟାଲ୍ରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରରୁ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବାହାରୁ ରୋଗୀ କେହି ଆସି ଚିକିତ୍ସିତ ହେଉନାହାନ୍ତି। ଡାଇରିଆ ୱାର୍ଡକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ରଖାଯାଇଛି। ସମସ୍ତ ବ୍ୟବସ୍ଥା କରାଯାଇଛି। ବାହାରୁ ଯଦି ରୋଗୀ ଆସନ୍ତି ତେବେ ଚିକିତ୍ସା କରିହେବ। ଏବେ ଭୁବନେଶ୍ୱରରେ ସେଭଳି ଅଣାୟତ୍ତ ପରିସ୍ଥିତି ହୋଇନାହିଁ। ତଥାପି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଡାଇରିଆ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଔଷଧ ଓ ସାଲାଇନ୍ ମହଜୁଦ୍ ରହିଛି ବୋଲି ସେ କହିଛନ୍ତି।
ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗତକାଲି ଢେଙ୍କାନାଳରେ ‘ଷ୍ଟପ୍ ଡାଇରିଆ’ ଅଭିଯାନ ଆରମ୍ଭ କଲେ। ଏହା ୪୫ ଦିନ ଧରି ଚାଲିବ ବୋଲି କୁହାଯାଉଛି। ମାତ୍ର ବର୍ତ୍ତମାନର ଭୟଙ୍କରସ୍ଥିତିରୁ ଲୋକମାନଙ୍କୁ କେମିତି ଉଦ୍ଧାର କରାଯିବ, ଅର୍ଥାତ୍ ସଂକ୍ରମଣ କେମିତି ରୋକାଯିବ, ତା’ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଷ୍ଟପ୍ ଡାଇରିଆ ଅଭିଯାନରେ ଜନସଚେତନତା ଏକ ନିୟମିତ ପ୍ରକ୍ରିୟା। ପୂର୍ବରୁ ବି ଏହା କରାଯାଉଥିଲା। ହେଲେ ତୃଣମୂଳସ୍ତରରେ ଲୋକଙ୍କ ପାଖରେ ଏହା ପହଞ୍ଚି ପାରୁନଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବେସରକାରୀ ଭାବେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କର ଏଥିରେ ପ୍ରାଣହାନୀ ଘଟିଲାଣି। ଆଉ କେତେ ମୁଣ୍ଡ ଗଡ଼ିବା ପରେ ରାଜ୍ୟ ସରକାର ଚେତିବେ ବୋଲି ସଚତେନ ନାଗରିକ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହି ଘଟଣା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ୩୦ଜିଲ୍ଲାକୁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜି ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଯେଉଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ତାଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ। ଆଜି ମଧ୍ୟ କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ। ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।






