ବିଶ୍ୱବିଦ୍ୟାଳୟ ବିଲ୍‌ ଗୃହୀତ

The Sakala Picture
Published On

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ବିଲ୍‌ । ମାତ୍ର ବିଧାନସଭାରେ ଏହି ବିଲ୍‌କୁ ଜୋରଦାର ବିରୋଧ କରିଛି ବିଜେଡି । ତରବରିଆ ଭାବରେ ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ କରିବାରେ ସରକାର ସଫଳ ହୋଇଥିଲେ ହେଁ ଏହି ଐତିହାସିକ ଭୁଲ ପାଇଁ ଭବିଷ୍ୟତ ପିଢ଼ି କ୍ଷମା ଦେବେ ନାହିଁ ବୋଲି ବିଜେଡି କହିଛି। ତେଣୁ ଏହି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳର ସଦସ୍ୟମାନେ ଦାବି କରିଥିଲେ ହେଁ ବିରୋଧୀଙ୍କ ଦାବି ଓ ପ୍ରତିବାଦକୁ ଗ୍ରହଣ […]

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ବିଲ୍‌ । ମାତ୍ର ବିଧାନସଭାରେ ଏହି ବିଲ୍‌କୁ ଜୋରଦାର ବିରୋଧ କରିଛି ବିଜେଡି । ତରବରିଆ ଭାବରେ ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ କରିବାରେ ସରକାର ସଫଳ ହୋଇଥିଲେ ହେଁ ଏହି ଐତିହାସିକ ଭୁଲ ପାଇଁ ଭବିଷ୍ୟତ ପିଢ଼ି କ୍ଷମା ଦେବେ ନାହିଁ ବୋଲି ବିଜେଡି କହିଛି। ତେଣୁ ଏହି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳର ସଦସ୍ୟମାନେ ଦାବି କରିଥିଲେ ହେଁ ବିରୋଧୀଙ୍କ ଦାବି ଓ ପ୍ରତିବାଦକୁ ଗ୍ରହଣ କରିନାହାନ୍ତି ସରକାର। ବିଳମ୍ବିତ ରାତିରେ ଧ୍ୱନିମତରେ ବିଶ୍ୱବିଦ୍ୟାଳୟ ବିଲ୍‌ ଗୃହର ଅନୁମୋଦନ ଲାଭ କରିଛି। ଆଜି ଅପରାହ୍ନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌ ଗୃହରେ ଆଗତ କରି ତାହାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଆଲୋଚନା ଆରମ୍ଭ ହୋଇଥିଲଶ। ବାଚସ୍ପତି ପ୍ରଥମେ ସଂଧ୍ୟା ୭ଟାରେ ଗୃହ କାର୍ଯ୍ୟ ଅବଧି ଏକ ଘଣ୍ଟା ବୃଦ୍ଧି କରିଥିଲେ। ତା ପରେ ଉପବାଚସ୍ପତି ରାତି ୯ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବୃଦ୍ଧି କରିଥିଲେ। ତେବେ ରାତି ୯ଟା ପରେ ଗୃହ କାର୍ଯ୍ୟ ବୃଦ୍ଧି କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ସରୋଜ କୁମାର ସାହୁ ପ୍ରସ୍ତାବ ଆଗତ କରିଥିଲେ। ସରକାରୀ ଦଳ ସଦସ୍ୟମାନେ ସମର୍ଥନ କରିବା ପରେ ବାଚସ୍ପତି ପ୍ରଥମେ ରାତି ୧୦ଟା ଏବଂ ପରେ ରାତି ୧୧ଟା ଯାଏ ଗୃହ କାର୍ଯ୍ୟ ବୃଦ୍ଧି କରିଥିଲେ। ଶେଷରେ ଧ୍ୱନୀମତରେ ବିଳମ୍ବିତ ରାତିରେ ଏହି ବିଲ୍‌ ଗୃହର ଅନୁମୋଦନ ଲାଭ କରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ

ଏହାକୁ ବିରୋଧ କରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, କେନ୍ଦ୍ର ସରକାର ଏକ ଗୁରୁତର ତ୍ରୁଟି ଭାବେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ତରବରିଆ ଭାବେ ପଦକ୍ଷେପ ନେଇଥିଲେ। ସେହି ରାସ୍ତାରେ ରାଜ୍ୟ ସରକାର ଯାଇ ବିଶ୍ୱବିଦ୍ୟାଳୟ ଆଇନ୍‌ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉଚ୍ଚଶିକ୍ଷା ବ୍ୟବସ୍ଥାର ଘରୋଇକରଣ ଆହୁରି ତୀବ୍ର ହେବ। ଜାତୀୟ ଶିକ୍ଷା ନୀତି ଲାଗୁ ସମୟରେ ସଂସଦକୁ ବିଶ୍ୱାସକୁ ନିଆଯାଇ ନଥିଲା। ସେହିପରି ଭାବେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଆଇନ୍‌ରେ ସଂଶୋଧନ କରାଯାଉଛି। ମୁନାଫା ପାଇଁ ଶିକ୍ଷାନୁଷ୍ଠାନ ଖୋଲୁଥିବା କର୍ପୋରେଟ୍‌ ସଂସ୍ଥା ଲାଭବାନ ହେବେ। ରାଜ୍ୟ ଜରିଆରେ ସବୁ କ୍ଷମତା କେନ୍ଦ୍ର ସରକାର ନିଜ ହାତରେ ରଖିବା ପାଇଁ ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ସମାଲୋଚନା ଓ ପରାମର୍ଶକୁ ମଧ୍ୟ ଅଣଦେଖା କରାଯାଉଛି। ଆଇନ୍‌ରେ ପରିବର୍ତ୍ତନ କରାଗଲେ ସରକାର ଯାହାକୁ ପାରିବେ ତାକୁ କୁଳପତି କରିଦେବେ। ୟୁଜିସି ଆଇନ୍‌ ଥାଉ ଥାଉ ସରକାର କ’ଣ ପାଇଁ ବିଶ୍ୱବିଦ୍ୟାଳୟ ସଂଶୋଧନ ପାଇଁ ଉଦ୍ୟମ କରୁଛନ୍ତି ତାହା ବୁଝାପଡୁ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଥିଲେ।

ଆହୁରି ପଢ଼ନ୍ତୁ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ତିନି ଜିଲ୍ଲାରେ ୪ IAS ଅଧିକାରୀଙ୍କୁ ଦାୟିତ୍ୱ, ଅତିରିକ୍ତ SRC କ୍ଷମତା ପ୍ରଦାନ

ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଥିଲେ କେନ୍ଦ୍ର ସରକାରଙ୍କର ଜାତୀୟ ଶିକ୍ଷା ନୀତି ଆମର ଶୈକ୍ଷିକ ବାତାବରଣକୁ ଧ୍ୱଂସ କରିଦେବ। ସେଥିପାଇଁ ଅନେକ ରାଜ୍ୟ ଏହାକୁ ଲାଗୁ ନ କରିବା ପାଇଁ ଖୋଲାଖୋଲି କହିଛନ୍ତି। କେନ୍ଦ୍ରକୁ ଖୁସି କରିବା ପାଇଁ ରାଜ୍ୟ ସରକାର ଯେମିତି ହେଉ ବିଶ୍ୱବିଦ୍ୟାଳୟ ଆଇନ୍‌ରେ ସଂଶୋଧନ କରିବା ପାଇଁ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ଆଇନ୍‌ ଅନୁସାରେ ବିଶ୍ୱବିଦ୍ୟାଳୟ ଯଦି ପ୍ରତିଷ୍ଠା ହେଉଛି, ରାଜ୍ୟ ସରକାର ଅର୍ଥ ଦେଉଛନ୍ତି ତା ହେଲେ ଏହାର ନିୟନ୍ତ୍ରଣ କାହିଁକି ରାଜ୍ୟ ସରକାରଙ୍କ ହାତରେ ରହିବ ନାହିଁ? ବିଶ୍ୱବିଦ୍ୟାଳୟକୁ ପାରଦର୍ଶୀ କରିବା ପାଇଁ ଆଇନରେ ପରିବର୍ତ୍ତନ ଆବଶ୍ୟକ ବୋଲି ସରକାର କହୁଛନ୍ତି। ତା ହେଲେ କ’ଣ ଆଜି ଯାଏ ଯେତେ ବିଦ୍ୱାନ ଆମ ବିଶ୍ୱବିଦ୍ୟାଳୟର ପାଠ ପଢ଼ିଛନ୍ତି ସେମାନେ କ’ଣ ସଚ୍ଚୋଟ ନୁହଁନ୍ତି? ଏପରି ବ୍ୟବସ୍ଥା କରାଯାଇଛି, ଜଣେ ପାଠ ପଢ଼ିବ ଗୋଟେ ବିଷୟରେ ଆଉ ଅଧ୍ୟାପକ ହେବ ଆଉ ଗୋଟେ ବିଷୟରେ। ଯାହାର ଶିକ୍ଷାନୁଷ୍ଠାନ ସମ୍ପର୍କରେ ସାମାନ୍ୟତମ ଜ୍ଞାନ ନଥିବ ସେ କୁଳପତି ଆସନରେ ବସିବେ। ବିଦ୍ୱାନ ପ୍ରାର୍ଥୀଙ୍କୁ କୁଳପତି ନିଯୁକ୍ତି ଦେବାକୁ ମନା କରୁଛନ୍ତି, କିନ୍ତୁ ସେହି ବ୍ୟକ୍ତିକୁ ଭଲ ଭାବେ ପରୀକ୍ଷା କରି ଓପିଏସ୍‌ସି ଚୟନ କରୁଛି। କିନ୍ତୁ ଓପିଏସ୍‌ସି ହାତରୁ ବିଶ୍ୱବିଦ୍ୟାଳୟ ନିଯୁକ୍ତି କ୍ଷମତା କାଢ଼ି ନିଆଯାଉଛି। ବିଶ୍ୱବିଦ୍ୟାଳୟକୁ ଭଲ କୁଳପତି ମିଳିବେ ନାହିଁ। ସୁପ୍ରିମ୍‌ କୋର୍ଟରେ ଗୋଟିଏ ବିଲ୍‌କୁ ନେଇ ବିଚାର ଚାଲିଥିବା ବେଳେ ସରକାର ବିଧାନସଭାରେ ଆଉ ଗୋଟିଏ ବିଲ୍‌ ଆଣିବାର ତାତ୍ପର୍ଯ୍ୟ କ’ଣ? ଶିକ୍ଷାକୁ ନେଇ ରାଜନୀତି ନ ହେଉ। ବିଶ୍ୱବିଦ୍ୟାଳୟ ମେସିନ୍‌ ତିଆରି କାରଖାନାରେ ପରିଣତ ନ ହେଉ। ନଚେତ ଆମ ଭବିଷ୍ୟତ ପିଢି ଆମକୁ କ୍ଷମା ଦେବ ନାହିଁ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଧାଡ଼ି ଦର୍ଶନ' ବ୍ୟବସ୍ଥା: ଆଇନ ମନ୍ତ୍ରୀ

ବିଜେଡି ସଦସ୍ୟ ଗଣେଶ୍ୱର ବେହେରା କହିଥିଲେ, ବିଶ୍ୱବିଦ୍ୟାଳୟ ଆମ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। କିନ୍ତୁ ବିଶ୍ୱବିଦ୍ୟାଳୟକୁ ସଶକ୍ତ କରିବା ବଦଳରେ ସରକାର ତାହାର ବିପରିତ କାର୍ଯ୍ୟ କରୁଛନ୍ତି। ବିଶ୍ୱବିଦ୍ୟାଳୟ ସଂଖ୍ୟା ବଢ଼ୁଛି, ହେଲେ ଗୁଣବତ୍ତା ବଢ଼ୁ ନାହିଁ। ଏହି ବିଲ୍‌ ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା, ସ୍ୱାୟତ୍ତତା ଓ ସ୍ୱାଚ୍ଛନ୍ଦ କିପରି ସୁନିଶ୍ଚିତ କରିବ ତାହା ଆଦୌ ସ୍ପଷ୍ଟ ନୁହେଁ। ଗୋଟିଏ ଆଇନ୍‌ରେ ସବୁ ପ୍ରକାର ବିଶ୍ୱବିଦ୍ୟାଳୟ ଚାଲିପାରିବ ନାହିଁ। ବିଶ୍ୱବିଦ୍ୟାଳୟକୁ ଏକ ସରକାରୀ ବିଭାଗ ଭାବେ ବିବେଚନା କରାନଯାଉ। କୁଳପତିଙ୍କୁ ସରକାରଙ୍କ ଏଜେଣ୍ଟ କରାନଯାଉ। ନଚେତ ବିଶ୍ୱବିଦ୍ୟାଳୟର ନିଜତ୍ୱ ହରାଇ ବସିବ। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ, ରମେଶ ବେହେରା ପ୍ରମୁଖ ବିଲ୍‌କୁ ବିରୋଧ କରିଥିଲେ।

ଅନ୍ୟପକ୍ଷରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍‌ କହିଛନ୍ତି ଯେ କୌଣସି ସମାନ ବିଷୟ ଓ ପ୍ରସଙ୍ଗକୁ ଉଭୟ ସଂସଦ ଲାଗୁ କରିଥିବେ ଓ ଯଦି ଏଥିରେ ଅସଙ୍ଗତି ଥିବ, ତେବେ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଆମର ଦୀର୍ଘଦିନ ଧରି ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା। ପୂର୍ବ ସଂଶୋଧିତ ଆଇନର ଯେଉଁ କଥାକୁ ୟୁଜିସି ବିରୋଧ କରିଥିଲା, ଆମେ ସେଥିରେ ସଂଶୋଧନ ଆଣିଛୁ। ଏବେ ସିଣ୍ଡିକେଟ ବୈଠକ ପାଇଁ କୁଳପତିଙ୍କୁ ଅଫିସରଙ୍କ ଅନୁମତି ଆଣିବାକୁ ପଡୁଛି, ଅଫିସର କୁଳପତି ନିଯୁକ୍ତି ଦେଉଥିବାରୁ ବିଶ୍ୱ ବିଦ୍ୟାଳୟର ସ୍ୱାୟତ୍ତତା ରହୁନାହିଁ। ଏବେ ଅଧ୍ୟାପକ ନିଯୁକ୍ତିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ୟୁଜିସିର ନିୟମ ଅନୁଯାୟୀ ନିଯୁକ୍ତି ହେବ। ଆମେ ୨୦୨୦ ବିଶ୍ୱ ବିଦ୍ୟାଳୟ ଆଇନକୁ ସମ୍ପୂଣ୍ଣ ବଦଳାଉନୁ। ଅଣ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପୁରୁଣା ବ୍ୟବସ୍ଥାରେ ହେବ। ଏବେ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ମୋଟ ୩୫ ପ୍ରତିଶତ ଶିକ୍ଷକ ପଦବୀ, ୨୯ ପ୍ରତିଶତ ଅଣ ଶିକ୍ଷକ ପଦବୀରେ ଚାଲିଛି। ୮ ଟି ସରକାରୀ ବିଶ୍ୱ ବିଦ୍ୟାଳୟର ନାକ ମାନ୍ୟତା ଥିବା ବେଳେ ୯ ଟିର ନାକ ମାନ୍ୟତା ନାହିଁ। ତେଣୁ ଆମେ ସବୁ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଆଣିଛୁ ବୋଲି ମନ୍ତ୍ରୀ କହିଥିଲେ। ଏହାପରେ ଏହି ଆଇନରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇ ବିଲଟି ଗୃହୀତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର