ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର: ଓଡ଼ିଶା ସରକାର ଏକ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ବରିଷ୍ଠ ଓଏଏସ୍ (OAS) ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ବିଭାଗ ଏବଂ ପ୍ରଶାସନିକ ପଦବୀରେ ଏହି ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଗୀତାଞ୍ଜଳି ନାୟକ (OAS-SAG)ଙ୍କୁ ବଦଳି କରାଯାଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ନିବେଦିତା ବିଶ୍ୱାଳ (OAS-SAG)ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନୂତନ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ସରକାର ତାଙ୍କର ପୂର୍ବ ବଦଳି ଆଦେଶକୁ ବାତିଲ କରିଦେଇଛନ୍ତି, ଯେଉଁଥିରେ ତାଙ୍କୁ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଯୋଗଦେବାର ଥିଲା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରେ ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ଥିବା ତ୍ରିଲୋଚନ ମହାନ୍ତି (OAS-S)ଙ୍କୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ର ଯୁଗ୍ମ ନିର୍ଦ୍ଦେଶକ ଭାବେ ପୋଷ୍ଟିଂ ଦିଆଯାଇଛି।
ଅନ୍ୟ ଏକ ପ୍ରଶାସନିକ ପରିବର୍ତ୍ତନ କ୍ରମେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର କୁକୁମିନା ଦାସ (OAS-S)ଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ପୋଷ୍ଟିଂ ଦିଆଯାଇଛି। ତାଙ୍କୁ ବାରିପଦାସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର (P.D., R&R) ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।






