୩ ଦିନ ମଧ୍ୟରେ ସକ୍ରିୟ ହେବ ମୌସୁମୀ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଣିପାଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ଆରମ୍ଭ ହୋଇସାରିଛି। ବିଭାଗ ମଧ୍ୟରେ ଏଆଇ ଆପ୍ଲିକେସନ୍ର ବ୍ୟବହାର ପାଇଁ ବର୍ତ୍ତମାନ ଗଷେଣା ଜାରି ରହିଛି। ଏ କ୍ଷେତ୍ରରେ ଆଇଆଇଟି, ଆଇଆଇଆଇଟି, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥା ସହ ଆମେ ସହଭାଗିତା ଭିତ୍ତିରେ କାମ କରୁଛୁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଅନୁଷ୍ଠିତ ଏକ ସାମ୍ବାଦିକ […]
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଣିପାଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ଆରମ୍ଭ ହୋଇସାରିଛି। ବିଭାଗ ମଧ୍ୟରେ ଏଆଇ ଆପ୍ଲିକେସନ୍ର ବ୍ୟବହାର ପାଇଁ ବର୍ତ୍ତମାନ ଗଷେଣା ଜାରି ରହିଛି। ଏ କ୍ଷେତ୍ରରେ ଆଇଆଇଟି, ଆଇଆଇଆଇଟି, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥା ସହ ଆମେ ସହଭାଗିତା ଭିତ୍ତିରେ କାମ କରୁଛୁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ମହାପାତ୍ର ଭାରତୀୟ ପାଣିପାଗ କ୍ଷେତ୍ରରେ ଏଆଇର ଉପଯୋଗ ଏବଂ ବିପର୍ଯ୍ୟୟ ରୋକିବାରେ ବିଭାଗର ସଫଳତା ସମ୍ପର୍କରେ ବିଶଦ୍ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଏଆଇକୁ ପ୍ରୟୋଗ କରି ପାଣିପାଗ କ୍ଷେତ୍ରରେ ସତର୍କ ସୂଚନା ପ୍ରଦାନ କରାଯାଉଛି। ଏହାକୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ମିଶନ ମୌସୁମ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଦେଖାଦେଉଥିବା ସିଭିୟର ୱେଦର୍ (ଭୀଷଣ ପାଣିପାଗ)କୁ ଅଧିକରୁ ଅଧିକ ସଠିକତାର ସହ ନିରୂପଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ରୋକିବା କ୍ଷେତ୍ରରେ ଭାରତୀୟ ପାଣିପାଗ ବିଭାଗ ଯେଉଁ ପଦକ୍ଷେପ ନେଇଛି, ତାହା ବିଶ୍ୱବ୍ୟାପୀ ଆଦୃତି ଲାଭ କରିବା ସହ ପ୍ରଶଂସିତ ହୋଇଛି। ବିପର୍ଯ୍ୟୟ ହ୍ରାସ କ୍ଷେତ୍ରରେ ସତର୍କ ସୂଚନା ପ୍ରଣାଳୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିକଟ ଅତୀତରେ ପାଣିପାଗ ବିଭାଗ ଏ କ୍ଷେତ୍ରରେ ଏକାଧିକ ପଦକ୍ଷେପ ନେବା କାରଣରୁ ଆମର ସତର୍କ ସୂଚନା ପ୍ରଣାଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି। ପ୍ରାୟ ୪୦ରୁ ୫୦ ପ୍ରତିଶତ ପୂର୍ବାନୁମାନର ସଠିକତା ବୃଦ୍ଧି ପାଇଛି। ବାତ୍ୟା କେଉଁଠାରେ, କେଉଁ ସମୟରେ ଏବଂ ଏହାର ତୀବ୍ରତା ସମ୍ପର୍କରେ ସଠିକ ସମୟରେ ସୂଚନା ପ୍ରଦାନ କରାଯାଉଛି। ଫଳରେ ବିପର୍ଯ୍ୟୟ ମୁକାବିଲା ପୂର୍ବାପେକ୍ଷା ସହଜ ହେବା ସହ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି।
ଅପରପକ୍ଷେ, ଦକ୍ଷିଣ-ପୂର୍ବ ମୌସୁମୀ ବାୟୁକୁ ନେଇ ମଧ୍ୟ ସୂଚନା ରଖିଛନ୍ତି ଡ. ମହାପାତ୍ର। ଏବେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ରାଜ୍ୟରେ ସକ୍ରିୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ୧୮ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆଗୁଆ ସୂଚନା ପ୍ରଦାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।






