ହନ୍ତସନ୍ତ ଅନ୍ତ୍ୟୋଦୟ ହିତାଧିକାରୀ : ମିଳୁନି ଦ୍ୱିତୀୟ କିସ୍ତି; ଆଗଉନି କାମ, ପୂରଣ ହୋଇପାରୁନି କୋଠା ଘର ସ୍ୱପ୍ନ
ଭୁବନେଶ୍ୱର : ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗୁ କଲେ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ଓ ଚଳିତ ଆର୍ଥିକ ବର୍ଷକୁ ମିଶାଇ ୫୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଲେ। ମାତ୍ର ୫ ମାସ ବିତି ଯାଇଥିଲେ ବି ଲୋକଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି। ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇବାରେ ପରେ ଧାର୍ଉଧାର୍ କରି ଘରର ଅଧାଅଧି କାମ ସାରି ଦେଇଛନ୍ତି। ଏବେ ଦ୍ୱିତୀୟ କିସ୍ତି […]
ଭୁବନେଶ୍ୱର : ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗୁ କଲେ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ଓ ଚଳିତ ଆର୍ଥିକ ବର୍ଷକୁ ମିଶାଇ ୫୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଲେ। ମାତ୍ର ୫ ମାସ ବିତି ଯାଇଥିଲେ ବି ଲୋକଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି। ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇବାରେ ପରେ ଧାର୍ଉଧାର୍ କରି ଘରର ଅଧାଅଧି କାମ ସାରି ଦେଇଛନ୍ତି। ଏବେ ଦ୍ୱିତୀୟ କିସ୍ତି ଟଙ୍କା ନ ମିଳିବାରୁ କେମିତି ଘର କାମ କରିବେ ଓ ଉଧାର ଶୁଝିବେ ସେହି ଚିନ୍ତା ସମସ୍ତଙ୍କୁ ଘାରୁଛି। ହେଲେ ଅନ୍ତ୍ୟୋଦୟ ଅନ୍ଲାଇନ୍ ପୋର୍ଟାଲ୍ ଖୋଲୁ ନ ଥିବାରୁ ତୃଣମୂଳସ୍ତରରେ ପ୍ରଶାସନ ବି କିଛି କରିପାରୁନି। ତେଣୁ ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଯେଉଁ ହିତାଧିକାରୀମାନଙ୍କୁ ଚୟନ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପାଇବାର ମାସକ ପରେ ପ୍ରଥମ କିସ୍ତି ଟଙ୍କା ଦିଆଯାଇଥିଲା। ଏବେ ବି ଅଧିକାଂଶ ଲୋକଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନି। ଯେଉଁମାନେ ପ୍ରଥମ କିସ୍ତ ପାଇଥିଲେ, ସେମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଏଯାଏଁ ମିଳିନି। ପ୍ରାୟ ୩ ମାସ ହେବ ସରକାରଙ୍କ ଅନ୍ତ୍ୟୋଦୟ ପୋର୍ଟାଲ ଖୋଲୁନଥିବାରୁ ଏହି ସମସ୍ୟା ହୋଇଥିବା ଜଣାପଡ଼ିଛି। ସାରା ରାଜ୍ୟରେ ଏଭଳି ସମସ୍ୟା ଦେଖାଦେଇଛି। ଖୁବ୍ଶୀଘ୍ର ରାଜ୍ୟ ସରକାର ପୋର୍ଟାଲ୍ ଠିକ୍କରି ଲୋକଙ୍କୁ ଠିକଣା ସମୟରେ ଟଙ୍କା ଦେବା ବ୍ୟବସ୍ଥା କରିବା ଜରୁରୀ ବୋଲି ଦାବି କରାଯାଉଛି। ପୋର୍ଟାଲ ଖୋଲୁ ନ ଥିବାରୁ ଦ୍ୱିତୀୟ କିସ୍ତି ଟଙ୍କା ହିତାଧିକାରଙ୍କ ପାଖକୁ ଆସିପାରୁ ନାହିଁ। ଫଳରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାଦେଶ ମିଳିବାର ୪ମାସ ଭିତରେ ଘର ସମ୍ପୂର୍ଣ୍ଣ କଲେ, ମିଳିବାକୁ ଥିବା ପ୍ରୋତ୍ସାହନ ରାଶି ପାଇବାରୁ ହିତାଧିକାରୀ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି, ପୂର୍ବରୁ ହିତାଧିକାରୀ ନାମାନୁସାରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଥିଲା। ହିତାଧିକାରୀ ଅବା ସେମାନଙ୍କ ବାପାଙ୍କର ସମାନ ନାଁ ଥିବା କ୍ଷେତ୍ରରେ ଟଙ୍କା ଅନ୍ୟ ଆକାଉଣ୍ଟକୁ ଚାଲିଗଲା। ତେଣୁ ଏବେ ଡିବିଟି ବ୍ୟବସ୍ଥା ଅନୁସାରେ ଟଙ୍କା ଦିଆଯାଉଛି। ଯେଉଁ ବ୍ୟାଙ୍କ୍ ଆକାଉଣ୍ଟ୍ ଆଧାର କାର୍ଡ ସହ ଲିଙ୍କ୍ ଥିବା ସେହି ଆକାଉଣ୍ଟ୍କୁ ଟଙ୍କା ସିଧାସଳଖ ଯିବ। ତେଣୁ ଏହି ବ୍ୟବସ୍ଥା ସଜାଡ଼ିବାରେ ସମୟ ଲାଗୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟାଦେଶ ପାଇ ମଧ୍ୟ ବିଳମ୍ୱରେ ଟଙ୍କା ମିଳିବା, ପୋର୍ଟାଲ୍ କାମ ନ କରିବା ଏବଂ ବର୍ଷାଦିନ ଯୋଗୁଁ ଘର ତିଆରି ପାଇଁ ଆବଶ୍ୟକ ଉପକରଣ ସହଜରେ ମିଳୁ ନ ଥିବାରୁ ହିତାଧିକାରୀ ଚିନ୍ତାରେ ପଡ଼ିଛନ୍ତି।
ଉଲ୍ଲେଖଥାଉ କି, ରାଜ୍ୟ ସରକାରଙ୍କ ଏହା ନିଜସ୍ୱ ଯୋଜନା। କ୍ୟାନ୍ସର ରୋଗୀ, ଦିବ୍ୟାଙ୍ଗ, ବିଧବା, ସହିଦ ପରିବାର, ହାତୀ ଉପଦ୍ରବ ଏବଂ ଘରପୋଡ଼ିରେ କ୍ଷତିଗ୍ରସ୍ତ ଆଦି ୧୧ଟି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦିଆଯାଇ ଯୋଜନାରେ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ବଜେଟ୍ରେ ୭୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ଆରମ୍ଭରୁ ଏହି ଯୋଜନାରେ କେଁ ଦେଖିବାକୁ ମିଳିଲାଣି। ପୂର୍ବରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲେ ବି ଟଙ୍କା ମିଳୁ ନ ଥିଲା। ଏବେ ପୁଣି ପୋର୍ଟାଲ୍ ଖୋଲୁ ନ ଥିବାରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି। ସରକାର କେବଳ ଯୋଜନା କରି ନିଜ ଦାୟିତ୍ୱ ସାରି ଦେଉଛନ୍ତି। ମାତ୍ର ତୃଣମୂଳସ୍ତରରେ ଏହାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ସାଧାରଣ ଗରିବ ହିତାଧିକାରୀ ଘରଟିଏ ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛି, ତାହା ପୂରଣ ହୋଇପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।






