ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନିରପେକ୍ଷ ନିର୍ବାଚନ ଆୟୋଗ ଗଠନ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଦେଶର ସର୍ବୋଚ୍ଚ ଅଦାଲତ ନିର୍ବାଚନ ଆୟୋଗର ସଦସ୍ୟ ଓ ମୁଖ୍ୟ ମନୋନୟନ ଘେନି ଯେଉଁ ରାୟ ଦେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏହା ଫଳରେ ଆୟୋଗର ସଦସ୍ୟ ମନୋନୀତ କରିବାରେ ସରକାରଙ୍କ ଏକଚାଟିଆ ଅଧିକାରର ଅବସାନ ଘଟିବ। ମନୋନୟନ ପ୍ରକ୍ରିୟା ନିରପେକ୍ଷ ହେଲେ ସମ୍ପୃକ୍ତ ପଦାଧିକାରୀ ସ୍ୱାଧୀନ ଓ ନିରପେକ୍ଷ ଭାବେ କାମ କରିବାର ସୁଯୋଗ ପାଇବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗର ସଦସ୍ୟ ମନୋନୟନ ଘେନି ନୂଆ ନୀତି ସରକାର ପ୍ରଣୟନ କରିବା ପର୍ଯ୍ୟନ୍ତ ଏବେ […]

ଦେଶର ସର୍ବୋଚ୍ଚ ଅଦାଲତ ନିର୍ବାଚନ ଆୟୋଗର ସଦସ୍ୟ ଓ ମୁଖ୍ୟ ମନୋନୟନ ଘେନି ଯେଉଁ ରାୟ ଦେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏହା ଫଳରେ ଆୟୋଗର ସଦସ୍ୟ ମନୋନୀତ କରିବାରେ ସରକାରଙ୍କ ଏକଚାଟିଆ ଅଧିକାରର ଅବସାନ ଘଟିବ। ମନୋନୟନ ପ୍ରକ୍ରିୟା ନିରପେକ୍ଷ ହେଲେ ସମ୍ପୃକ୍ତ ପଦାଧିକାରୀ ସ୍ୱାଧୀନ ଓ ନିରପେକ୍ଷ ଭାବେ କାମ କରିବାର ସୁଯୋଗ ପାଇବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗର ସଦସ୍ୟ ମନୋନୟନ ଘେନି ନୂଆ ନୀତି ସରକାର ପ୍ରଣୟନ କରିବା ପର୍ଯ୍ୟନ୍ତ ଏବେ ଏକ ତିନିଜଣିଆ କମିଟିର ସୁପାରିସ ଅନୁସାରେ ରାଷ୍ଟ୍ରପତି ନୂତନ ସଦସ୍ୟମାନଙ୍କୁ ନିଯୁକ୍ତି ଦେବେ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଭ୍ୟ ରହିବେ। ଯଦି ବିରୋଧୀଦଳର କେହି ମାନ୍ୟତାପ୍ରାପ୍ତ ନେତା ନଥା’ନ୍ତି; ତା’ହେଲେ ଲୋକସଭାରେ ସବୁଠୁ ବଡ଼ ବିରୋଧୀଦଳର ନେତାଙ୍କୁ ଏହି କମିଟିର ସଭ୍ୟ ଭାବେ ଗ୍ରହଣ କରାଯିବ। ସେ ପର୍ଯ୍ୟନ୍ତ ଚୟନ କମିଟିର ସୁପାରିସରେ ରାଷ୍ଟ୍ରପତି ସଦସ୍ୟମାନଙ୍କୁ ନିଯୁକ୍ତି ଦେବେ। ଏହି ରାୟ ଫଳରେ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥାର ସଦସ୍ୟ ନିଯୁକ୍ତି ନିୟମ ପ୍ରସ୍ତୁତ କରିବାର ପଥ ପରିଷ୍କାର ହୋଇଯାଇଛି।

ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ। ଦେଶରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାର ଦାୟିତ୍ୱ ଏହା ଉପରେ ନ୍ୟସ୍ତ। ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର କୁହାଯାଉଥିବା ଭାରତରେ ସଂସଦୀୟ ଏବଂ ବିଧାନସଭା ନିର୍ବାଚନ ସମେତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଏହି ଆୟୋଗଙ୍କ ଦ୍ୱାରା କରାଯାଇଥାଏ। ଆରମ୍ଭରୁ ଏହା ଜଣିକିଆ ସଦସ୍ୟ ବିଶିଷ୍ଟ ଥିଲା। ପରବର୍ତ୍ତୀକାଳରେ ଟି ଏନ୍‌‌ ଶେଷାନ ନିର୍ବାଚନ କମିଶନ ଥିବାବେଳେ ସେ ନିଜର କ୍ଷମତା ଓ ପ୍ରତିପତ୍ତି ଜାହିର କରିବା ପରେ ସରକାର ଆୟୋଗକୁ ତିନି ସଦସ୍ୟ ବିଶିଷ୍ଟ କରିଥିଲେ।

ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଅନୁଷ୍ଠାନ ହେବା ସତ୍ତ୍ବେ ନିର୍ବାଚନ ଆୟୋଗର ସଦସ୍ୟମାନଙ୍କ ମନୋନୟନ ଓ ନିଯୁକ୍ତି ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ହୋଇପାରିନାହିଁ। ତେଣୁ ପାରମ୍ପରିକ ଭାବେ ସରକାର ହିଁ ଆପଣାର ଇଚ୍ଛା ଅନୁସାରେ ସଦସ୍ୟମାନଙ୍କୁ ମନୋନୀତ କରି ଏହାର ସଭ୍ୟଭାବେ ନିଯୁକ୍ତି ଦେଇଆସୁଛନ୍ତି। ତିନିଜଣ ସଦସ୍ୟଙ୍କ ମଧ୍ୟରୁ ଯିଏ ବରିଷ୍ଠତମ, ତାଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ ନିଯୁକ୍ତି ଦିଆଯାଉଛି। ଏହି ନିଯୁକ୍ତି ବ୍ୟବସ୍ଥାଟି ପୁରୁଣା ଏବଂ ଦୀର୍ଘକାଳରୁ ଚାଲିଆସୁଛି। ଭାରତୀୟ ପ୍ରଶାସନିକ ସେବାର ସେବାନିବୃତ୍ତ ଅଧିକାରୀମାନଙ୍କୁ ସରକାର ସାଧାରଣତଃ ନିର୍ବାଚନ ଆୟୋଗର ସଦସ୍ୟଭାବେ ନିଯୁକ୍ତି କରିଥା’ନ୍ତି। ତେବେ ଏହି ପଦ ପାଇଁ ସର୍ବନିମ୍ନ ଯୋଗ୍ୟତା, ଦକ୍ଷତା ଓ ଅଭିଜ୍ଞତା ଆଦି କ’ଣ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ କରାଯାଇନାହିଁ। ସରକାର ମୁଖ୍ୟତଃ ନିଜର ଅନୁଗତ ସେବାନିବୃତ୍ତ ଅଧିକାରୀମାନଙ୍କୁ ଏହି ପଦରେ ନିଯୁକ୍ତି ଦିଅନ୍ତି ବୋଲି ଅଭିଯୋଗ ହୋଇଆସିଛି। ନାଗରିକ ସମାଜ, ଅଣ ପ୍ରଶାସନିକ କ୍ଷେତ୍ର ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆୟୋଗର ସଭ୍ୟ ଭାବେ ମନୋନୀତ କରାଯିବାର ଦୃଷ୍ଟାନ୍ତ ପ୍ରାୟତଃ ନାହିଁ। ସତେଯେପରି ଏହା ସେମାନଙ୍କ ପାଇଁ ନିଷିଦ୍ଧାଞ୍ଚଳ ଏବଂ ଏହି ପଦରେ ରହିବା ପାଇଁ କେବଳ ଆଇଏଏସ୍‌‌, ଆଇପିଏସ୍‌‌ ଅଧିକାରୀମାନେ ଜନ୍ମ। ବାସ୍ତବରେ ଏହା ଏକ ବିଡ଼ମ୍ବନା ଏବଂ ଗଣତନ୍ତ୍ର ତଥା ସ୍ୱଚ୍ଛତା ଓ ପାରଦର୍ଶିତାର ଅବମାନନା।

ଆରମ୍ଭରୁ ନିର୍ବାଚନ ଆୟୋଗର ନିରପେକ୍ଷତାକୁ ନେଇ ରାଜନୈତିକ ଓ ଅନ୍ୟାନ୍ୟ ମହଲରେ ପ୍ରଶ୍ନ ଉଠୁଛି। ଏହାର ସଦସ୍ୟ ସରକାରଙ୍କ ହାତବାରିସି ହୋଇ ନିଜର ସାମ୍ବିଧାନିକ ଦାୟିତ୍ୱବୋଧ ଭୁଲି ଯାଉଥିବା ଅଭିଯୋଗ ହେଉଛି। ଆକ୍ଷେପ ଓ ସମାଲୋଚନା ଗତକାଲି ଥିଲା, ଆଜି ବି ରହିଛି। ସରକାରଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ନିରପେକ୍ଷ ଭାବେ କାମ କରିବାର ସୁଯୋଗ କମ୍‌‌। ସେ ଚାପରେ ରହିବା ସ୍ୱାଭାବିକ। ତେଣୁ ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ତତ୍କାଳିକ ସରକାରଙ୍କ ଦ୍ୱାରା ମନୋନୀତ କରିବା ପରିବର୍ତ୍ତେ ଏକ ସ୍ୱଚ୍ଛ ଓ ଭାରସାମ୍ୟ ବିଶିଷ୍ଟ ବ୍ୟବସ୍ଥାରେ ଏହା କରାଯିବା ଉଚିତ। ଏବେ ଯେଉଁ ତିନିଜଣିଆ କମିଟି ଏହି ନାମ ସୁପାରିସ କରିବ, ସେଥିରେ ସରକାରଙ୍କର ଆଉ ଏକଚାଟିଆ ଅଧିକାର ରହିବ ନାହିଁ। ଆହୁରି ମଧ୍ୟ ସର୍ବସମ୍ମତି କିମ୍ବା ସଂଖ୍ୟାଗରିଷ୍ଠତା ଆଧାରରେ ସଦସ୍ୟ ମନୋନୀତ ହେବେ। ତିନି ସଦସ୍ୟ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ପ୍ରଧାନ ବିଚାରପତି ତିନିଜଣ ଯାକ ଯୋଗ୍ୟ ଓ ନିରପେକ୍ଷ ପ୍ରାର୍ଥୀଙ୍କୁ ବାଛିବାକୁ ବାଧ୍ୟ ହେବେ। ତେବେ ଏହି ଅନ୍ତରୀଣ ବ୍ୟବସ୍ଥାରେ ନିଯୁକ୍ତି ପ୍ରକ୍ରିୟାର ଆରମ୍ଭ ଓ କାର୍ଯ୍ୟକାରିତା ଦାୟିତ୍ୱ କାହା ଉପରେ ନ୍ୟସ୍ତ ହେବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସରକାର ଏହା କରିବାକୁ ବାଧ୍ୟ।

ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନିୟମ କ’ଣ ଓ କେମିତି ହେବ? ଏହାକୁ ସେବାନିବୃତ୍ତ ଅଧିକାରୀଙ୍କ ଥଇଥାନ କେନ୍ଦ୍ର କରାନଯାଉ। ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ସଫଳ ପରିଚାଳକ, ବ୍ୟକ୍ତିତ୍ୱ ଓ ପେସାଦାରମାନଙ୍କୁ ଏଥିପାଇଁ ବାଛିବାର ବ୍ୟବସ୍ଥା ରହୁ। ନୂଆ ନିୟମ ନିର୍ବାଚନ ଆୟୋଗକୁ ଯେପରି ଯଥାର୍ଥରେ ସ୍ୱାଧୀନ ଓ ନିରପେକ୍ଷ କରିପାରିବ ସେଥିପାଇଁ ସଂସଦରେ ତଥା ଜାତୀୟସ୍ତରରେ ମଧ୍ୟ ବିତର୍କ କରାଯାଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର