ବନାଗ୍ନି ସମସ୍ୟା ଓ ସମାଧାନ

The Sakala Picture
Published On

ବନ୍ୟପ୍ରାଣୀମାନଙ୍କର ଅବୈଧ ଶିକାର ଏବଂ ସେମାନଙ୍କ ଶରୀରର ବିଭିନ୍ନ ଅଂଶର ବେଆଇନ ଚାଲାଣ ସହିତ ବନାଗ୍ନି ନିୟନ୍ତ୍ରଣ ଏବେ ବିଶ୍ୱସ୍ତରୀୟ ସମସ୍ୟା ଭାବେ ଉଭା ହୋଇଛି। ଏଥିମଧ୍ୟରୁ ବନାଗ୍ନି ନିୟନ୍ତ୍ରଣ ପ୍ରମୁଖ ଆହ୍ୱାନ ସୃଷ୍ଟି କରିଛି। ବନାଗ୍ନି ଫଳରେ ଜୈବ ବିବିଧତା ନଷ୍ଟ ହେବା ସହିତ ପରିବେଶର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। କେବଳ ସେତିକି ନୁହେଁ, ମୃତ୍ତିକା କ୍ଷୟ ସାଙ୍ଗକୁ ଏହାର ଉର୍ବରତା ମଧ୍ୟ ହ୍ରାସ ପାଉଛି। ଏହାର ମୂଲ୍ୟ ଅକଳ୍ପନୀୟ। କାରଣ […]

ବନ୍ୟପ୍ରାଣୀମାନଙ୍କର ଅବୈଧ ଶିକାର ଏବଂ ସେମାନଙ୍କ ଶରୀରର ବିଭିନ୍ନ ଅଂଶର ବେଆଇନ ଚାଲାଣ ସହିତ ବନାଗ୍ନି ନିୟନ୍ତ୍ରଣ ଏବେ ବିଶ୍ୱସ୍ତରୀୟ ସମସ୍ୟା ଭାବେ ଉଭା ହୋଇଛି। ଏଥିମଧ୍ୟରୁ ବନାଗ୍ନି ନିୟନ୍ତ୍ରଣ ପ୍ରମୁଖ ଆହ୍ୱାନ ସୃଷ୍ଟି କରିଛି। ବନାଗ୍ନି ଫଳରେ ଜୈବ ବିବିଧତା ନଷ୍ଟ ହେବା ସହିତ ପରିବେଶର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। କେବଳ ସେତିକି ନୁହେଁ, ମୃତ୍ତିକା କ୍ଷୟ ସାଙ୍ଗକୁ ଏହାର ଉର୍ବରତା ମଧ୍ୟ ହ୍ରାସ ପାଉଛି। ଏହାର ମୂଲ୍ୟ ଅକଳ୍ପନୀୟ। କାରଣ ଏହାଦ୍ୱାରା ଜଳବାୟୁରେ ବିଭ୍ରାଟ ଦେଖାଦେବା ସାଙ୍ଗକୁ ପରିବେଶ ଅସୁରକ୍ଷିତ ହୋଇପଡ଼ୁଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ପକ୍ଷରୁ ରାଜ୍ୟ ୱାରି ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୪୭,୧୪୫ ବର୍ଗ କିଲୋମିଟର(ବ.କି.ମି.) ଜଙ୍ଗଲ ରହିଛି। ସମଗ୍ର ଦେଶର ଜଙ୍ଗଲ ଅଞ୍ଚଳର ଏହା ୭.୩୪ ପ୍ରତିଶତ। ତନ୍ମଧ୍ୟରୁ ୨୫୯୦ ବ.କି.ମି.ଜଙ୍ଗଲ ବନାଗ୍ନିପ୍ରବଣ। ସେହିପରି ଆନ୍ଧ୍ରପ୍ରଦେଶରେ ୪୭,୨୫୬ ବ.କି.ମି. ଜଙ୍ଗଲ ମଧ୍ୟରୁ ୧୨୯ ବ.କି.ମି., ଅରୁଣାଚଳ ପ୍ରଦେଶରେ ୬୮,୬୬୧ ବ.କି.ମି.ରୁ ୧୦୧ ବ.କି.ମି., ଛତିଶଗଡ଼ରେ ୫୭,୪୮୪ ବ.କି.ମି. ମଧ୍ୟରୁ ୧୨୧ ବ.କି.ମି., ଝାଡ଼ଖଣ୍ଡରେ ୨୧,୭୪୩ ବ.କି.ମି.ରୁ ୪୭୨ ବ.କି.ମି., କର୍ଣ୍ଣାଟକରେ ୩୨,୩୪୩ ବ.କି.ମି.ରୁ ୧୦୭ ବ.କି.ମି., ମଧ୍ୟପ୍ରଦେଶରେ ୭୭,୯୧୨ ବ.କି.ମି.ରୁ ୩୦୯୬ ବ.କି.ମି., ମହାରାଷ୍ଟ୍ରରେ ୪୩,୮୫୯ ବ.କି.ମି.ରୁ ୫୮୪ ବ.କି.ମି. ଓ ଉତ୍ତରାଞ୍ଚଳରେ ୨୩,୨୫୪ ବ.କି.ମି.ରୁ ୪୪୯୨ ବ.କି.ମି. ଜଙ୍ଗଲ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଥାଏ। ତଥ୍ୟାନୁଯାୟୀ, ଓଡ଼ିଶାରେ ୨୦୦୫ ମସିହାରେ ଯେଉଁ ପରିମାଣରେ ଜଙ୍ଗଲ ପୋଡ଼ି ହୋଇଥିଲା, ତାହା ସମଗ୍ର ଦେଶରେ ତୃତୀୟ ଏବଂ ଏହାର ପରିମାଣ ୫.୪୯ ପ୍ରତିଶତ।

ଜଳବାୟୁରେ ଆର୍ଦ୍ରତା ଓ ପବନର ବେଗ ଉପରେ ପ୍ରାକୃତିକ ବନାଗ୍ନି ନିର୍ଭର କରିଥାଏ। ବାୟୁମଣ୍ଡଳରେ ଉତ୍ତାପର ମାତ୍ରା ବୃଦ୍ଧି ଯଦିଓ ଜଙ୍ଗଲରେ ନିଆଁ ଲାଗିବାର ପ୍ରତ୍ୟକ୍ଷ କାରଣ ନୁହେଁ, ମାତ୍ର ଏହାଦ୍ୱାରା ଶୁଖିଯାଉଥିବା ବୃକ୍ଷ, ଶୁଖିଲା ପତ୍ର ଓ ଗୁଳ୍ମ ଆଦି ସାମାନ୍ୟ ନିଆଁକୁ ପବନର ବେଗ ସହିତ ଜଙ୍ଗଲବ୍ୟାପୀ କରାଇ ଦେଇଥାଏ। ପାହାଡ଼ରୁ ଗଡ଼ି ଆସୁଥିବା ବଡ଼ ବଡ଼ ପଥର ପରସ୍ପର ସହିତ ଧକ୍କା ଲାଗି ମଧ୍ୟ ନିଆଁ ସୃଷ୍ଟି କରିଥା’ନ୍ତି। ଏହା ସତ୍ୟ ଯେ, ଜଙ୍ଗଲ ଅଞ୍ଚଳରେ ସାଧାରଣତଃ ଆଦିବାସୀମାନେ ବସବାସ କରନ୍ତି। ସେମାନେ ନିଜର ଜୀବନଜୀବିକା ପାଇଁ ପୋଡ଼ୁଚାଷ ଉପରେ ନିର୍ଭର କରନ୍ତି। ଖରାଦିନ ଓ ଶୀତଦିନ ଆସିଲେ ସେମାନେ ଏଥିରେ ଗଛପତ୍ରରେ ନିଆଁ ଲଗାଇ ଦେଇଥାଆନ୍ତି। ଦରପୋଡ଼ା ଗଛରୁ ସେମାନେ ଅଙ୍ଗାର ସଂଗ୍ରହ କରି ବଜାରରେ ବିକ୍ରି କରିଥାଆନ୍ତି। ସେମାନେ ଲଗାଉଥିବା ନିଆଁ ସାରା ଜଙ୍ଗଲକୁ ମାଡ଼ିଯାଇ ବ୍ୟାପକ କ୍ଷତି ଘଟାଇଥାଏ। ପୁଣି ଜଙ୍ଗଲଜାତ ସାମଗ୍ରୀ ଯଥା ମହୁଲ, ଶାଳମଞ୍ଜି, ଟୋଲ ଆଦି ସଂଗ୍ରହ ସକାଶେ ଏସବୁ ଗଛର ମୂଳ ସଫା ରଖିବା ପାଇଁ ଆଦିବାସୀମାନେ ତଳେ ଝରିପଡ଼ୁଥିବା ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥାଆନ୍ତି।

ଜଙ୍ଗଲ ନିଆଁ ଦ୍ୱାରା ଜୈବ ବିବିଧତା ନଷ୍ଟ ହେବା ସହ ବୃକ୍ଷଲତାଗୁଡ଼ିକର ବିଲୋପ ଘଟେ ଓ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଉଜୁଡ଼ିଯାଏ। ଜଙ୍ଗଲୀ ଜନ୍ତୁଙ୍କ ବଂଶବୃଦ୍ଧି ବାଧାପ୍ରାପ୍ତ ହୁଏ। ଅନେକ ଜୀବଜନ୍ତୁଙ୍କର ପ୍ରାଣହାନି କାରଣରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଏ। ଗଛ ଧ୍ୱଂସ ପାଉଥିବା ଯୋଗୁଁ ଶ୍ଲେଷଣ ପ୍ରକ୍ରିୟାରେ ବ୍ୟାଘାତ ଘଟି ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଏ। ଜଙ୍ଗଲ ସମ୍ପଦ ହ୍ରାସ ଯୋଗୁଁ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଏ। ଜଙ୍ଗଲ ଉପରେ ନିର୍ଭରଶୀଳ ବନବାସୀମାନଙ୍କର ଜୀବନଜୀବିକା ବିପନ୍ନ ହୁଏ। ଆବାସସ୍ଥଳୀ ଉଜୁଡ଼ିଯିବା କାରଣରୁ ବନ୍ୟଜନ୍ତୁମାନେ ଜନପଥକୁ ମାଡ଼ିଆସିବା ଫଳରେ ପଶୁ-ମଣିଷ ସଂଘର୍ଷ ଓ ବିବାଦ ବୃଦ୍ଧି ପାଏ।

ଓଡ଼ିଶାରେ ୧୯୮୮ ପ୍ରଣୀତ ଜାତୀୟ ଜଙ୍ଗଲ ନୀତିରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ସହିତ ଏହାକୁ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସବିଶେଷ ମାର୍ଗଦର୍ଶିକା ଜାରି କରାଯାଇଛି। ସାମ୍ପ୍ରତିକ ସୂଚନାପ୍ରଯୁକ୍ତି ଜ୍ଞାନକୌଶଳ ଦ୍ୱାରା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ସହ କେନ୍ଦ୍ର ସରକାର ୨୦୦୦ ମସିହାରେ ଏ ସମ୍ପର୍କିତ କେତେକ ନିର୍ଦ୍ଦିଷ୍ଟ ନିୟମ ଜାରି କରିଛନ୍ତି। ସେହିପରି ଭାରତୀୟ ଜଙ୍ଗଲ ଆଇନରେ ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ ଉଲ୍ଲେଖ ରହିଛି। ଏହି ଆଇନ୍‌‌ରେ ଜଙ୍ଗଲ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଯୋଜନାରେ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ବନାଗ୍ନି ନିୟନ୍ତ୍ରଣ କରିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ ବିଶେଷ ଭାବେ ପ୍ରସ୍ତୁତ ହୋଇଛି। ଏଥିରେ ସଂରକ୍ଷିତ ଓ ସାଧାରଣ ଜଙ୍ଗଲରେ ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଜଙ୍ଗଲ ପାଖରେ ନିଆଁର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ରେ ଜଙ୍ଗଲରେ ନିଆଁ ଲଗାଇବା ଓ ଜଳନ୍ତା ନିଆଁକୁ ଛାଡ଼ି ଆସିବା ଭଳି କାର୍ଯ୍ୟ କଲେ ଜେଲ ଓ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଜଙ୍ଗଲରେ କୌଣସି କାରଣବଶତଃ ଅଗ୍ନି ଦେଖାଯିବା ମାତ୍ରେ ନିକଟସ୍ଥ ଗ୍ରାମଗୋଷ୍ଠୀକୁ ସୂଚୀତ କରାଇବା ଦ୍ୱାରା ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା, ଗ୍ରାମ୍ୟସ୍ତରରେ ଆଇନ ପ୍ରଣୟନ କରାଯାଇ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବା, ଶିକାର, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଫସଲ ସୁରକ୍ଷା, ପୋଡ଼ୁଚାଷ ପାଇଁ ନିଆଁର ବ୍ୟବହାରକୁ ନିଷିଦ୍ଧ କରିବା ସକାଶେ କ୍ଷମତା ପ୍ରଦାନ କରାଯାଇଛି।

ଆମ୍ଭେମାନେ ପ୍ରକୃତି ପ୍ରଦତ୍ତ ଜଙ୍ଗଲ ସମ୍ପଦ ନଷ୍ଟ କରୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛୁ। କେବଳ ଭାରତରେ ନୁହେଁ, ଭୟାବହ ଜଙ୍ଗଲ ନିଆଁ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅପୂରଣୀୟ କ୍ଷତି କରୁଛି। ବହୁ ବିଳମ୍ବରେ ହେଲେ ବି ଭାରତରେ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ସେହିପରି ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ସରକାର କଡ଼ାକଡ଼ି ଆଇନ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଅନେକ ସାମାଜିକ ଅନୁଷ୍ଠାନ ଏ ସମ୍ପର୍କିତ ନିୟମିତ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଜଙ୍ଗଲରେ କେଉଁଠି ନିଆଁ ଲାଗୁଛି, ତାହା ଉପରେ ନଜର ରଖିବା ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଜଙ୍ଗଲ ଭିତରେ ନିରୀକ୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ନେଇ ନିୟମିତ ପହରା ବ୍ୟବସ୍ଥା ହୋଇଛି। ନିରୀକ୍ଷଣ ମଞ୍ଚରେ ଦିଗ ନିର୍ଣ୍ଣାୟକ ଯନ୍ତ୍ର ମଧ୍ୟ ଲଗାଯାଇଛି, ଯାହାଫଳରେ ଜଙ୍ଗଲ ଉପରେ ସଠିକ୍‌‌ ନଜର ରଖାଯାଇପାରୁଛି। ନିଆଁ ଲାଗିଥିବା ଜଙ୍ଗଲ ଉପରେ ବାଲିବର୍ଷା, ଫୋମ ଓ ଅଗ୍ନି ନିର୍ବାପନ ଗ୍ୟାସର ପ୍ରୟୋଗ, କୃତ୍ରିମ ବର୍ଷା ଆଦି କରାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ସେହି ତୁଳନାରେ ଆମ ଦେଶର ବନାଗ୍ନି ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ସାଧନର ବ୍ୟବସ୍ଥା ନାହିଁ। ଜଙ୍ଗଲ ହେଉଛି ଆମ ପ୍ରକୃତି ମାତାର ଅନବଦ୍ୟ ରୂପ। ଏହାକୁ ଭଲପାଇବା ଦ୍ୱାରା କେବଳ ପ୍ରକୃତି ନୁହେଁ ଆମେ ଆମ ନିଜ ଜୀବନକୁ ସୁନ୍ଦର ଓ ସାର୍ଥକ କରିପାରିବା।

ଅଲେଖ ଚନ୍ଦ୍ର ସାମଲ

ମୋ-  ୯୪୩୭୨୫୭୧୨୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp