ଚପଳ କିଶୋର ଜୀବନ

The Sakala Picture
Published On

କୈଶୋରାବସ୍ଥା ପ୍ରତ୍ୟେକଙ୍କ ପାଇଁ ଏକ ସନ୍ଧିକ୍ଷଣ ସମୟ। ଏହି ସମୟରେ ପିଲାମାନେ ଅଧିକ ସ୍ୱାଧୀନତା ଲୋଡ଼ି ବସୁଥିବା ବେଳେ ଆମ ଭାରତୀୟ ସମାଜ, ସଂସ୍କୃତି କଟକଣା ଲାଗୁ କରେ ସେଇ କିଶୋର କିଶୋରୀଙ୍କ ପାଇଁ। ସାମାଜିକ ସମ୍ପର୍କକୁ ବାଦ୍‌‌ ଦେଲେ ବାକି ରହିଲା ପାଠପଢ଼଼ା। ଅଧିକାଂଶ ପିଲା ନିଜର ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି। କାରଣ ପ୍ରତିଯୋଗିତାମୂଳକ ପୃଥିବୀରେ ସାଙ୍ଗସାଥୀଙ୍କ ସହିତ ପାଦ ମିଳାଇ ଚାଲିବାର ଅଛି। ତେଣୁ ଏହି ସମୟରେ ପିତାମାତା ବା ଅଭିଭାବକମାନେ […]

କୈଶୋରାବସ୍ଥା ପ୍ରତ୍ୟେକଙ୍କ ପାଇଁ ଏକ ସନ୍ଧିକ୍ଷଣ ସମୟ। ଏହି ସମୟରେ ପିଲାମାନେ ଅଧିକ ସ୍ୱାଧୀନତା ଲୋଡ଼ି ବସୁଥିବା ବେଳେ ଆମ ଭାରତୀୟ ସମାଜ, ସଂସ୍କୃତି କଟକଣା ଲାଗୁ କରେ ସେଇ କିଶୋର କିଶୋରୀଙ୍କ ପାଇଁ। ସାମାଜିକ ସମ୍ପର୍କକୁ ବାଦ୍‌‌ ଦେଲେ ବାକି ରହିଲା ପାଠପଢ଼଼ା। ଅଧିକାଂଶ ପିଲା ନିଜର ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି। କାରଣ ପ୍ରତିଯୋଗିତାମୂଳକ ପୃଥିବୀରେ ସାଙ୍ଗସାଥୀଙ୍କ ସହିତ ପାଦ ମିଳାଇ ଚାଲିବାର ଅଛି। ତେଣୁ ଏହି ସମୟରେ ପିତାମାତା ବା ଅଭିଭାବକମାନେ ସାବଧାନତାର ସହିତ କିଶୋର ସନ୍ତାନଙ୍କ ସହ ଆପୋସ ଆଲୋଚନା କରି ସବୁ କ୍ଷେତ୍ରରେ ସହଯୋଗ କରିବା ଜରୁରୀ।

ସାଧାରଣତଃ ୧୦ରୁ ୧୯ ବର୍ଷ ବୟସ ହେଉଛି କୈଶୋର ସମୟ। ଏହି ସମୟରେ କିଶୋରଙ୍କ ଅପେକ୍ଷା କିଶୋରୀମାନଙ୍କ ଶାରୀରିକ ଓ ଆବେଗିକ ବିକାଶ ଦ୍ରୁତତର ହୋଇଥାଏ। ଶିକ୍ଷା ଦୃଷ୍ଟିରୁ ଦେଖିଲେ ଏହି ବୟସରେ ପଡ଼େ ମୂଳଦୁଆ। ତେଣୁ ପିତାମାତାମାନେ କିଶୋର ସନ୍ତାନଙ୍କୁ ସ୍ୱାଧୀନ ଭାବେ ସବୁ କାମ କରିବାକୁ ସୁଯୋଗ ଦେବା ଉଚିତ। ପିଲାମାନେ ଜ୍ଞାନ ଆହରଣ ପାଇଁ ନିଜେ ଇଣ୍ଟରନେଟ୍‌‌ ଦେଖିବା ବା ଲାଇବ୍ରେରୀକୁ ଯିବା ଉଚିତ। ପିତାମାତାମାନେ ଜାଣିବା ଦରକାର ଯେ କିଶୋର ସନ୍ତାନଟି ଆଦୌ ଶିଶୁ ନୁହେଁ। ଜଣେ ସ୍ୱୟଂସଂପୂର୍ଣ୍ଣ ମଣିଷର କ୍ଷୁଦ୍ର ସଂସ୍କରଣ। ତେଣୁ ଏହି ବୟସରୁ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସମସ୍ତ ଉଦ୍ୟମ କରାଯିବା ଆବଶ୍ୟକ। ମଝିରେ ମଝିରେ ଚା କରିବା, ଖାଦ୍ୟ ବାଢ଼ି ଖାଇବା, ନିଜେ ନେଇ କ୍ଷୀର ଓ ପାଣି ପିଇବା ଦିଗରେ ପ୍ରୋତ୍ସାହନ ଦେବା ଦରକାର। କୈଶୋରାବସ୍ଥାରେ ଅନେକ ସମୟରେ ପିତାମାତାଙ୍କ କଥା ପିଲାମାନଙ୍କୁ ଭଲ ଲାଗେ ନାହିଁ। ଅନେକ ପିଲା ପିତାମାତାଙ୍କ କାମ ଓ କଥାକୁ ନାପସନ୍ଦ କରନ୍ତି। ତେଣୁ ଏଥିରେ ବାପା ମା’ଙ୍କ ବ୍ୟସ୍ତ ହେବାର କିଛି ନାହିଁ। ବରଂ ନିଜେ ସମସ୍ତ ପ୍ରକାର ଅନୈତିକ କାର୍ଯ୍ୟରୁ ଦୂରେଇ ରହି ସନ୍ତାନଙ୍କ ଦୋଷାରୋପର ସାମ୍ନା କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ଦରକାର। ପିଲାମାନଙ୍କ ଅଭିଯୋଗକୁ ନେଇ ବିବ୍ରତ ହେବା ଉଚିତ ନୁହେଁ।

କିଶୋର ସନ୍ତାନଙ୍କ ଭଲ ପାଇଁ ପିତାମାତା ଅସୀମ ଧୈର୍ଯ୍ୟଶୀଳ ହେବା ଦରକାର। କିଛି ନୀତି ନିୟମ ବିଷୟରେ ଏହି ବୟସର ପୁଅ-ଝିଅଙ୍କୁ ଅବଗତ କରାଇବାର ଥିଲେ ବୁଝାଇ ଶୁଝାଇ କହିବା ଦରକାର। କିଶୋର ସନ୍ତାନମାନଙ୍କ ସବୁକଥା ପ୍ରଥମେ ଧୈର୍ଯ୍ୟର ସହ ଶୁଣିବା ଆବଶ୍ୟକ। ନହେଲେ ସେମାନେ ସାଙ୍ଗସାଥୀଙ୍କୁ ଅଧିକ ପ୍ରିୟଭାବି ସେମାନଙ୍କ ପରାମର୍ଶ ଗ୍ରହଣ କରିବାକୁ ପସନ୍ଦ କରିବେ ଓ ବାପା ମା’ଙ୍କୁ କଥା ଲୁଚାଇବେ। ପାଠପଢ଼଼ା ନେଇ ସବୁବେଳେ ଗାଳିଗୁଲଜ କରିବା ଉଚିତ ମଧ୍ୟ ନୁହେଁ। ବରଂ ସମସ୍ୟାରୁ କିପରି ସେମାନେ ମୁକ୍ତି ପାଇବେ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବା ଜରୁରୀ।

ପ୍ରତ୍ୟେକ ପିତାମାତା ସେମାନଙ୍କ କିଶୋର ସନ୍ତାନଙ୍କର ଉପଯୁକ୍ତ ବନ୍ଧୁ ହେବା ଉଚିତ। ପରିବର୍ତ୍ତିତ ପରିସ୍ଥିତିରେ ଆଜି ପରିବାରରେ ସାମାଜିକ ମୂଲ୍ୟବୋଧ ଏବଂ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି। ତେଣୁ ପରିବାରରେ ସୁସଂହତ ଓ ଶାନ୍ତ ପରିବେଶ କ୍ୱଚିତ୍‌‌ ପରିଲକ୍ଷିତ ହେଉଛି। ଅଧିକାଂଶ ପିତାମାତା ଏବେ ଏତେ ବ୍ୟସ୍ତ ଯେ ନିଜ ସମୟରୁ କିଛି ସମୟ ବାହାର କରି ପୁତ୍ରକନ୍ୟାମାନଙ୍କ ସହ ବିତାଇବାକୁ ଚାହୁଁନାହାନ୍ତି। ଏହା ପିତାମାତା ଓ ସନ୍ତାନମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦୁର୍ବଳ କରେ। ଏଣୁ ସେମାନେ ଅଧିକରୁ ଅଧିକ ସମୟ ଏକା ସାଥିରେ କାଟିବା ଦରକାର।

କିଶୋରମାନେ ଚାହାନ୍ତି ଯେ ସେମାନେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୁଅନ୍ତୁ। ତେଣୁ ସାମାଜିକ ଉତ୍ସବରେ ସେମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ପିତାମାତା ସୁଯୋଗ ଦେବା ଉଚିତ। ତାହାହେଲେ ନିଜର ଅନ୍ତର୍ନିହିତ ଗୁଣକୁ ସେମାନେ ଚିହ୍ନିବାର ସୁଯୋଗ ପାଇବେ। କିଶୋର ସନ୍ତାନ ଓ ପିତାମାତା ପରସ୍ପର ପସନ୍ଦକୁ କିଭଳି ଭାବେ ଗ୍ରହଣ କରୁଛନ୍ତି ସେଥିପ୍ରତି ତୀକ୍ଷ୍‌‌ଣ ଦୃଷ୍ଟି ଦେବା ଜରୁରୀ।

ନିଜର ସନ୍ତାନଙ୍କୁ ଅବିଶ୍ୱାସ କଲେ ସେମାନଙ୍କ ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଏ। ସେମାନଙ୍କ ପାଇଁ କେବଳ ନୀତି ନିୟମର ଲମ୍ବା ଧାଡ଼ି ତିଆରି ନକରି ସେମାନଙ୍କ ଇଚ୍ଛା, ଆକାଂକ୍ଷାକୁ ଯଥେଷ୍ଟ ସମ୍ମାନ ଦିଆଯିବା ଉଚିତ। କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବା ଦିଗରେ ମା’ମାନଙ୍କର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହା ନିଃସନ୍ଦେହରେ କୁହାଯାଇପାରେ। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଏ ଦିଗରେ ମଧ୍ୟ କର୍ତ୍ତବ୍ୟ ରହିଛି। ଜୟନ୍ତୀ ପଣ୍ଡା, ହରିୟାନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp