ଉତ୍କଳର ବରପୁତ୍ର ବନ୍ଦନୀୟ ବିଜୁବାବୁ

The Sakala Picture
Published On

ପରାଧୀନ ଭାରତ ବର୍ଷର ଏକ ସ୍ୱାଧୀନଚେତା ପରିବାରରେ ଜନ୍ମଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଯେଉଁ ଦୁଃସାହସିକ ଦାୟିତ୍ୱ ନିର୍ବାହ କରିଥିଲେ ସେଥିପାଇଁ ୧୯୪୩ ଜାନୁୟାରୀ ମାସରେ ତାଙ୍କୁ ଜେଲ୍‌‌ ଯିବାକୁ ପଡ଼ିଲା। ଦିଲ୍ଲୀ, ଫିରୋଜପୁର ଓ କଟକ ଆଦି ଜେଲ୍‌‌ରେ ଦୀର୍ଘଦିନ କଟାଇବା ପରେ ୧୯୪୫ରେ ସେ କାରାମୁକ୍ତ ହୋଇଥିଲେ। ସ୍ୱାଧୀନତା ଆନ୍ଦୋଳନ ପ୍ରତି ବିଜୁବାବୁ ଆକର୍ଷିତ ହେବା ପଛରେ ରହିଛି ଅନେକ ରୋମାଞ୍ଚକର ତଥ୍ୟ। ବିଜୁବାବୁ ତାଙ୍କ ଜୀବନରେ ପ୍ରଥମ […]

ପରାଧୀନ ଭାରତ ବର୍ଷର ଏକ ସ୍ୱାଧୀନଚେତା ପରିବାରରେ ଜନ୍ମଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଯେଉଁ ଦୁଃସାହସିକ ଦାୟିତ୍ୱ ନିର୍ବାହ କରିଥିଲେ ସେଥିପାଇଁ ୧୯୪୩ ଜାନୁୟାରୀ ମାସରେ ତାଙ୍କୁ ଜେଲ୍‌‌ ଯିବାକୁ ପଡ଼ିଲା। ଦିଲ୍ଲୀ, ଫିରୋଜପୁର ଓ କଟକ ଆଦି ଜେଲ୍‌‌ରେ ଦୀର୍ଘଦିନ କଟାଇବା ପରେ ୧୯୪୫ରେ ସେ କାରାମୁକ୍ତ ହୋଇଥିଲେ। ସ୍ୱାଧୀନତା ଆନ୍ଦୋଳନ ପ୍ରତି ବିଜୁବାବୁ ଆକର୍ଷିତ ହେବା ପଛରେ ରହିଛି ଅନେକ ରୋମାଞ୍ଚକର ତଥ୍ୟ।

ବିଜୁବାବୁ ତାଙ୍କ ଜୀବନରେ ପ୍ରଥମ ଗାନ୍ଧୀ ଦର୍ଶନ ସଂକ୍ରାନ୍ତରେ ନିଜେ ଲେଖିଛନ୍ତି ତାଙ୍କ ଭ୍ରମଣ କାହାଣୀ ‘ବୁଲା ନିଶା’ରେ। ରେଭେନ୍ସା କଲେଜରେ ଇଣ୍ଟରମିଡିଏଟ୍‌‌ ସାଇନ୍ସ ପଢ଼଼ିବାବେଳେ ବିଜୁବାବୁ ୨ଜଣ ବନ୍ଧୁ ଭ୍ରମରବର ସାହୁ ଓ ଅମର ଦେଙ୍କ ସହ ଏକ ଦୁଃସାହସିକ ସାଇକଲ ଯାତ୍ରା ଅଭିଯାନରେ ବାହାରିଥିଲେ କଟକରୁ ପେଶୱାର। ଏ ସଂକ୍ରାନ୍ତରେ ବିଜୁବାବୁ ଲେଖିଛନ୍ତି ଯେ ‘ମଇ ୪ ତାରିଖ ସକାଳ ପ୍ରାୟ ୫ଟା ବେଳକୁ ଆମେ ଚାଇଁବସାରୁ ଯାତ୍ରା ଆରମ୍ଭ କରି ପ୍ରାୟ ୭ଟା ବେଳକୁ ଆସି ପହଞ୍ଚିଲୁ ଚକ୍ରଧରପୁରରେ। ସେଦିନ ସେଠି ଗାନ୍ଧୀଙ୍କ ଆସିବା କଥା ଣୁଣି ବହୁତ ଲୋକ ଜମା ହୋଇଥିଲେ। ସେଠାରେ ଜଣେ ପରିଚିତ ଓଡ଼ିଆ ଭଦ୍ରଲୋକଙ୍କ ବସାରେ ଯାଇ ସ୍ନାନ ଓ ଭୋଜନ ପରେ ଗାନ୍ଧୀଙ୍କୁ ଦେଖିବା ଆଶାରେ ବାହାରିଲୁ। କିଛିକ୍ଷଣ ପରେ ଗାନ୍ଧୀ ସଦଳବଳ ଆସି ଉପସ୍ଥିତ ହେଲେ। ଜୀବନରେ ମୋର ଏହା ପ୍ରଥମ ଗାନ୍ଧୀ ଦର୍ଶନ।

କିନ୍ତୁ ଛବିରେ ଦେଖି ଦେଖି ତାଙ୍କ ଆକୃତି ମନରେ ଏପରି ଭାବରେ ବସି ଯାଇଥିଲା ଯେ, ନୂଆ କିଛି ଦେଖିଲି ବୋଲି ମନେ ହେଲା ନାହିଁ। ମୋଟର ଭିତରେ ସେହିପରି ଭାବରେ ହାତ ଉପରେ ଭରାଦେଇ ବସିଥିଲେ। ବାହାରେ ଏତେ ଲୋକଙ୍କର ଉଲ୍ଲାସ ଧ୍ୱନି; କିନ୍ତୁ କୌଣସି ଆଡ଼େ ଭ୍ରୁକ୍ଷେପ ନାହିଁ, ଯେପରିକି କୌଣସି ଗଭୀର ଚିନ୍ତାରେ ନିମଗ୍ନ। ଚକ୍ରଧରପୁରରେ ସେ ହରିଜନଙ୍କ ସମ୍ବନ୍ଧରେ ଗୋଟିଏ କ୍ଷୁଦ୍ର ବକ୍ତୃତା ଦେଲେ ଓ କିଛି ଚାନ୍ଦା ଉଠାଇବା ପରେ ପୁଣି ମୋଟରରେ ବସି ଚାଲିଗଲେ, ବୋଧହୁଏ ଜାମସେଦପୁର ଆଡ଼କୁ। ଏଣେ ଗାନ୍ଧୀ ଦର୍ଶନ ହେଲା; କିନ୍ତୁ ରାଞ୍ଚି ରାସ୍ତାରେ ଭୀଷଣ ଜଙ୍ଗଲ ଯାଏ କୁଆଡ଼େ?’

ପିଲାଦିନେ ପାଇଲଟ୍‌‌ ହେବା ପାଇଁ ତାଙ୍କର ଯେଉଁ ଜିଦ୍‌‌ ଥିଲା ତାହା ସଫଳ କରାଇଲେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ପରିବର୍ତ୍ତୀ ସମୟରେ ବ୍ରିଟ୍ରିଶ ସରକାରର ଜଣେ ସୁଦକ୍ଷ ପାଇଲଟ୍‌‌ ଭାବେ ସେ ବେଶ୍‌‌ ଖ୍ୟାତି ଅର୍ଜନ କରିବା ସହ ସେତେବେଳର ବଡଲାଟ୍‌‌ ଲର୍ଡ ୱାଭେଲ୍‌‌ଙ୍କ ବିମାନ ଚଳାଉଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ମଧ୍ୟରେ ନିଜ ଜୀବନକୁ ପାଣି ଛଡ଼ାଇ ସେ ବର୍ମାରୁ ଅନେକ ଇଂରେଜଙ୍କୁ ଉଦ୍ଧାର କରିଥିଲେ। ସୋଭିଏତ୍‌‌ ରୁଷ୍‌‌ ବି ତାଙ୍କ ସାହାଯ୍ୟକୁ କୃତଜ୍ଞତାର ସହ କ୍ରେମ୍‌‌ଲିନ୍‌‌ରେ ମନେ ପକାଉଛି। ତେବେ ମୋଟା ଅଙ୍କର ବେତନ ପାଇ ବ୍ରିଟ୍ରିଶ ସରକାର ନିକଟରେ ବାନ୍ଧି ହୋଇ ରହିବା ଲୋକ ସେ ନଥିଲେ। ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନର ‘କର ବା ମର’ ଡାକରା ତାଙ୍କୁ ବେଶ୍‌‌ ପ୍ରଭାବିତ କରିଥିଲା। ଏ ସଂକ୍ରାନ୍ତରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅରୁଣା ଆସଫ୍‌‌ ଅଲ୍ଲୀ ଲେଖିଛନ୍ତି ‘ପାଇଲଟ୍‌‌ ବିଜୁ ପଟ୍ଟନାୟକ ଥିଲେ ନିର୍ଭୀକତାର ଏକ ଜ୍ୱଳନ୍ତ ଉଦାହରଣ। ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମମନୋହର ଲୋହିଆ ଓ ମୋ ଭଳି ଆଉ କେତେଜଣଙ୍କୁ ନେଇ ଗଠିତ ଅଣ୍ଡର ଗ୍ରାଉଣ୍ଡ ଡିରେକ୍ଟୋରେଟ୍‌‌କୁ ସାହାଯ୍ୟ ଯୋଗାଇବା ଲାଗି ସେ ତାଙ୍କର ସାଥୀ ପାଇଲଟ୍‌‌ମାନଙ୍କୁ ନେତୃତ୍ୱ ଓ ପ୍ରେରଣା ଦେଉଥିଲେ।

ସେମାନଙ୍କ ସାହସ ଓ ନିର୍ଭୀକତା ବିନା ଆମେ କେବେ ହେଲେ ବମ୍ବେ, କଲିକତା ଓ ନୂଆଦିଲ୍ଲୀରେ ଆମ କମ୍ରେଡମାନଙ୍କ ସହିତ ଯୋଗସୂତ୍ର ରଖି ପାରି ନଥାନ୍ତୁ… ଶ୍ରୀ ରାଜଗୋପାଳଚାରୀ ଆମକୁ ଭେଟିବାର ଅଭିପ୍ରାୟ ପ୍ରକାଶ କରିବାରୁ ପଟ୍ଟନାୟକ ନିଜେ ରାଜାଜୀଙ୍କୁ ମାଡ୍ରାସରୁ ନୂଆଦିଲ୍ଲୀ ଉଡାଇ ଆଣି ୧୯୪୨-୪୩ ଡିସେମ୍ବର-ଜାନୁୟାରୀ ମାସରେ ଜୟପ୍ରକାଶ ନାରାୟଣ ଓ ଅଣ୍ଡରଗ୍ରାଉଣ୍ଡ ଡିରେକ୍ଟୋରେଟ୍‌‌ ସହ ସାକ୍ଷାତ କରାଇଥିଲେ। ମୁଁ ନିଜେ ଏହି ଗୁପ୍ତ ବିମାନଯାତ୍ରାର ସୁବିଧା ବହୁଥର ହାସଲ କରିଛି… ବିଜୁ ପଟ୍ଟନାୟକଙ୍କ ଭଳି ଦୁଃସାହସୀ ପୁରୁଷ ଓ ତାଙ୍କର ସାହସୀ କମ୍ରେଡମାନଙ୍କ ପ୍ରତି ମୋର ଶ୍ରଦ୍ଧା ଅକ୍ଷୁଣ୍ଣ ରହିଛି।’

ପ୍ରଫେସର ସମର ଗୁହା ଦୁଃସାହସୀ ଦେଶଭକ୍ତ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଲେଖିଛନ୍ତି, ‘ହଜାରୀବାଗ ଜେଲ୍‌‌ରୁ ଜେପି ଖସିଯିବା ପରେ ଗୋପନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ନେତୃତ୍ୱ ନେଉଥା’ନ୍ତି। ତାଙ୍କୁ ଗିରଫ କରିବା ଲାଗି ବ୍ରିଟ୍ରିଶ ପୁଲିସ ସମସ୍ତ ପ୍ରକାର ଉଦ୍ଦ୍ୟମ କରୁଥାଏ। ସେତିକିବେଳେ ଜେପିଙ୍କୁ ମିଳିଲେ ବିଜୁଙ୍କ ଭଳି ଜଣେ ଅତି ନିର୍ଭରଯୋଗ୍ୟ ସହଯୋଗୀ। ଜେପି ସେତେବେଳେ ବର୍ମାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା ଲାଗି ଉତ୍ସୁକ ଥା’ନ୍ତି। ଏହି ଉଦ୍ଦେଶ୍ୟରେ ସେ ତରବରିଆ ଭାବେ ଆକ୍ୟାବ ଅଭିମୁଖେ ଉଡ଼ିଯିବା ପାଇଁ ବିଜୁଙ୍କୁ କହିଲେ। ମାତ୍ର ଯାତ୍ରା ଆରମ୍ଭ ପୂର୍ବରୁ ବିଜୁ ହଠାତ୍‌‌ ଗିରଫ ହେଲେ। ଜେଲ୍‌‌ ଭିତରେ ସେ ଅମାନୁଷିକ ନିର୍ଯାତନାର ସମ୍ମୁଖୀନ ହେଲେ। ଏହାସତ୍ତ୍ବେ ତାଙ୍କର ଆସ୍ପର୍ଦ୍ଧା ଓ ମନୋବଳ ତିଳେମାତ୍ର ହ୍ରାସ ପାଇନଥିଲା।’ ବିଶିଷ୍ଟ ସମାଜବାଦୀ ନେତା ସୁରେନ୍ଦ୍ର ମୋହନ ଲେଖିଛନ୍ତି, ‘ବ୍ରିଟିଶ ସାମ୍ରାଜ୍ୟ ସହିତ କାର୍ଯ୍ୟରତ ପେଷାଦାରମାନେ ଉଚ୍ଚ ଚାକିରିରେ ଥିବାରୁ ଏବଂ ଆର୍ଥିକ ଓ ଅନ୍ୟ ବହୁ ସୁବିଧା ସୁଯୋଗ ଉପଭୋଗ କରୁଥିବାରୁ ସେ ସବୁ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ପ୍ରସ୍ତୁତ ନଥିଲେ। ତେବେ ଦୁର୍ଦ୍ଧର୍ଷ ପାଇଲଟ୍‌‌ ବିଜୁ ପଟ୍ଟନାୟକ ଥିଲେ ବ୍ୟତିକ୍ରମ।’

ବିଭିନ୍ନ କାରାଗାରରେ ପ୍ରାୟ ଅଢ଼େଇ ବର୍ଷ କାଟି ୧୯୪୫ରେ କଟକ ଜେଲ୍‌‌ରୁ ଖଲାସ ହେବାପରେ ଜବାହାରଲାଲ ନେହେରୁଙ୍କ ଆଗ୍ରହକ୍ରମେ ବିଜୁ ବାବୁ ୧୯୪୬ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭାର ଦ୍ୱିତୀୟ ନିର୍ବାଚନରେ କେନ୍ଦ୍ର କଟକ ସଦର ନିର୍ବାଚନମଣ୍ଡଳୀରୁ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୭ ପର୍ଯ୍ୟନ୍ତ ପ୍ରାୟ ୫୧ବର୍ଷ ଧରି ରାଜ୍ୟ ଓ ଜାତୀୟ ରାଜନୀତିରେ ସକ୍ରିୟ ଥିବା ବିଜୁ ବାବୁ ଅନେକ ନେତା ତିଆରି କରିଛନ୍ତି। ତେବେ ସେ ଦୁଇଥରରେ ମାତ୍ର ୭ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରାୟ ୩ବର୍ଷ କେନ୍ଦ୍ରମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି।
୧୯୪୭ ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଇଣ୍ଟର ଏସିଆନ୍‌‌ ରିଲେସନ୍ସ କନ୍‌‌ଫରେନ୍ସ ଅନୁଷ୍ଠିତ ହୋଇଥିଲା ମହାତ୍ମା ଗାନ୍ଧୀଙ୍କ ଆଗ୍ରହ କ୍ରମେ। ଏ ପ୍ରସଙ୍ଗରେ କଟକ ସହିଦ ଭବନଠାରେ ୧୯୯୫ ଅକ୍ଟୋବର ୧୧ ତାରିଖରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ବିଜୁ ବାବୁ କହିଥିଲେ, ‘ସମ୍ମିଳନୀ ଅବସରରେ ନେତାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଟେବୁଲର ବ୍ୟବସ୍ଥା ହୋଇଥାଏ।

ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଓ ଅନ୍ୟାନ୍ୟ ତୁଙ୍ଗ ଭାରତୀୟ ନେତାମାନେ ଗୋଟିଏ ଦେଶର ଟେବୁଲରୁ ଆଉ ଗୋଟିଏ ଦେଶର ଟେବୁଲକୁ ଯାଇ ସେ ସବୁ ରାଷ୍ଟ୍ରର ନେତା ଓ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ଓ ଭଲମନ୍ଦ ସମ୍ପର୍କରେ ବୁଝୁଥା’ନ୍ତି। ମୁଁ ସେମାନଙ୍କ ପଛେ ପଛେ ଚାଲିଥାଏ। ଇଣ୍ଡୋନେସିଆ ଟେବୁଲ ପାଖରେ ପଣ୍ଡିତ ନେହେରୁ କିଛି ସମୟ ଅଟକିଗଲେ। ଜଣେ ପ୍ରତିନିଧି ତାଙ୍କୁ କହିଲେ ଯେ, ଡଚ୍‌‌ମାନଙ୍କ କବଳରୁ ସୁଲ୍‌‌ତାନ୍‌‌ ସାହାରିୟରଙ୍କୁ କିପରି ଉଦ୍ଧାର କରାଯିବ? ନେହେରୁ ସବୁ ଶୁଣିଲେ କିନ୍ତୁ କିଛି କହିଲେ ନାହିଁ। ମୋ ଆଡ଼କୁ ବୁଲିପଡ଼ି ସେହି ପ୍ରତିନିଧିଙ୍କୁ କହିଲେ ଏଠି ଜଣେ ପାଇଲଟ୍‌‌ ଅଛନ୍ତି, ତାଙ୍କୁ ପଚାର ସେ ଯଦି ପାରିବେ? ତା’ପରେ ମୋତେ କହିଲେ, ୟାଙ୍କୁ କିଛି ସାହାଯ୍ୟ କର… ମୁଁ ଇଣ୍ଡୋନେସିଆ ଯାଇ ସୁଲ୍‌‌ତାନ୍‌‌ ସାହାରିୟରଙ୍କୁ ଉଦ୍ଧାର କରିବା ପାଇଁ ହଁ ମାରିଲି।

ଏକ ଡାକୋଟା ବିମାନରେ ମୁଁ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କଲି। ସାଙ୍ଗରେ ଏକମାତ୍ର ସହଯାତ୍ରୀ ଥିଲେ ମୋର ପତ୍ନୀ ଜ୍ଞାନ ପଟ୍ଟନାୟକ… ମୁଁ ସୁକର୍ଣ୍ଣଙ୍କ ପାଖରେ ପହଞ୍ଚିବାର ଅଳ୍ପ ସମୟ ପରେ ତାଙ୍କ ପତ୍ନୀ ଫାତ୍‌‌ମା ଏକ କନ୍ୟାସନ୍ତାନ ଜନ୍ମଦେଲେ। ଆନନ୍ଦିତ ହୋଇ ସୁକର୍ଣ୍ଣ ମୋତେ କହିଲେ, ବିଜୁ ତୁମେ ମୋ ନବଜାତ ଶିଶୁଟିର ଏକ ସଂସ୍କୃତ ନାମ ଦିଅ। ସେଦିନ ପ୍ରବଳ ବର୍ଷା ହେଉଥାଏ। ପରିବେଶ ଓ ପରିସ୍ଥିତିକୁ ବିଚାରକୁ ନେଇ ନବଜାତ କନ୍ୟାଟିର ନାମ ରଖିଲି- ମେଘାବତୀ ସୁକର୍ଣ୍ଣ ପୁତ୍ରୀ… ପରେ ମୁଁ ଜାକର୍ତ୍ତାରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ସାହାରିୟର ଓ ସୁମାତ୍ରାରୁ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଆଣି ଭାରତରେ ପହଞ୍ଚିଲି। କଲିକତା ଦେଇ ନୂଆଦିଲ୍ଲୀରେ ପହଞ୍ଚିବା ବେଳକୁ ରାତି ହୋଇଯାଇଥାଏ। ସାହାରିୟର ଓ ହଟ୍ଟାଙ୍କୁ ବିମାନବନ୍ଦରରୁ ସିଧା ଗାଡ଼ିରେ ନେଇ ନେହେରୁଙ୍କ ଘରକୁ ଗଲି।

ମହାତ୍ମା ଗାନ୍ଧୀଙ୍କ ସହ ଇଣ୍ଡୋନେସିଆର ଏହି ନେତାମାନେ ଆଲୋଚନା କରିବାବେଳେ ମୋର ଦୁଃସାହସିକ ଅଭିଯାନ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଥିଲେ। ଗାନ୍ଧିଜୀ ଏଥିପାଇଁ ମୋ ପିଠି ଥାପୁଡ଼େଇ ସାବାସୀ ଦେଇଥିଲେ। ବୋଧହୁଏ ବାପୁଙ୍କ କରସ୍ପର୍ଶ ମୋ ଜୀବନର ଥିଲା ସର୍ବଶ୍ରେଷ୍ଠ ପୁରସ୍କାର। ପରବର୍ତ୍ତୀ ସମୟରେ ଚୀନ୍‌‌ର ଭାରତ ଆକ୍ରମଣ ବେଳେ ଇଣ୍ଡୋନେସିଆରେ ଚୀନ ସାମରିକ ଘାଟି ସ୍ଥାପନ ପାଇଁ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ ଟାଳିବାରେ ଭାରତ ସରକାର ମୋର ସେବା ଗ୍ରହଣ କରିଥିଲେ। ସେହିଭଳି ଭାରତ-ପାକିସ୍ତାନ ଯୁଦ୍ଧବେଳେ ଆୟୁବ୍‌‌ ଖାଁଙ୍କ ଅନୁରୋଧକ୍ରମେ ସୁକର୍ଣ୍ଣ ତିନୋଟି ବୁଡ଼ାଜାହାଜ ଓ ଗୋଟିଏ ମିରାକ ଯୁଦ୍ଧବିମାନ ପାକିସ୍ତାନକୁ ପଠାଇବା ଲାଗି ରାଜି ହୋଇଥିଲେ। ଏହା ଜାଣିପାରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମୋତେ ସୁକର୍ଣ୍ଣଙ୍କ ପାଖକୁ ପଠାଇ ତାଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ। ମୁଁ ଅଗତ୍ୟା ଜାକର୍ତ୍ତା ଯାଇ ସୁକର୍ଣ୍ଣଙ୍କୁ ଭେଟିଲି। କିନ୍ତୁ ସେତେବେଳକୁ ବୁଡ଼ାଜାହାଜଗୁଡ଼ିକ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଥାଏ। ସେ ମୋ ଅନୁରୋଧ ରକ୍ଷା କରିବା ଅବସ୍ଥାରେ ନଥିଲେ। ମୁଁ ତାଙ୍କୁ କହିଲି, ସୁକର୍ଣ୍ଣ! ତୁମ ଦେଶକୁ ରକ୍ଷା କରିବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇଦେଇଥିଲି। ତୁମେ ମୋ ଦେଶକୁ ଏହି ଘଡ଼ିସନ୍ଧି ସମୟରେ ସାହାଯ୍ୟ କରିବ ନାହିଁ? ଏହାପରେ ସେ ତୁରନ୍ତ ବୁଡ଼ାଜାହାଜଗୁଡ଼ିକ ଫେରାଇ ଆଣିବା ପାଇଁ ତାଙ୍କ ଦେଶର ନୌବାହିନୀକୁ ନିର୍ଦ୍ଦେଶ ଦେଲେ ଏବଂ ଭାରତ ପ୍ରତି ଦେଖାଦେଇଥିବା ବିପଦକୁ ଟାଳିଦିଆଯାଇଥିଲା।’

ବହୁ ସଂଗ୍ରାମର ମହାନାୟକ ବିଜୁ ପଟ୍ଟନାୟକ ଓଡ଼ିଶା ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ, ଅନେକ କାମ ବି କରିଥିଲେ। ତାଙ୍କ ବାଲ୍ୟବନ୍ଧୁ ବିନୋଦ କାନୁନ୍‌‌ଗୋଙ୍କ ସ୍ମୃତିରେ ବକ୍ତବ୍ୟ ରଖି ମାକ୍ସମୁଲାରଙ୍କ ବାଣୀ ଉଦ୍ଧାର କରି ସେ କହିଥିଲେ, ‘ସମଗ୍ର ପୃଥିବୀରେ ପ୍ରକୃତି ତା’ର ସବୁଠାରୁ ବେଶୀ ଆଶୀର୍ବାଦ କେଉଁ ଦେଶ ଉପରେ ଅଜାଡ଼ି ଦେଇଛି ବୋଲି ଯଦି ମୁଁ ଖୋଜିବସେ ତେବେ ଭାରତବର୍ଷ ହିଁ ମୋ ମାନସପଟରେ ଭାସିଉଠିବ। ତେଣୁ ଆମେ ସମସ୍ତେ ମିଶି ଓଡ଼ିଶା ରାଜ୍ୟକୁ ଏଭଳି ଗଢ଼ି ତୋଳିବା ଯାହା ଫଳରେ ସମଗ୍ର ପୃଥିବୀ କହି ଉଠିବ ଯେ, ଓଡ଼ିଶା ହେଉଛି ଆମ ସ୍ୱପ୍ନର ରାଜ୍ୟ।’ ଭୁବନେଶ୍ୱର ବିମାନବନ୍ଦରରେ ରଖାଯାଇଥିବା ବିଜୁବାବୁଙ୍କ ସ୍ମୃତିର ସନ୍ତକ ଡାକୋଟା ବିମାନଟି ସତେ ଯେମିତି ଏକଥା ଡାକି ଡାକି ମନେ ପକାଇଦେଉଛି। ପ୍ରହଲାଦ କୁମାର ସିଂହ ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର