ଓଡ଼ିଶା ବଜେଟ୍‌ ୨୦୨୩-୨୪: ଅଭିବୃଦ୍ଧି ଓ ଜନକଲ୍ୟାଣର ଅଭିନବ ସମନ୍ବୟ

The Sakala Picture
Published On

ଆସନ୍ତା ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ସମ୍ଭାବ୍ୟ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌‌ ସୁଦୂରପ୍ରସାରୀ ସମ୍ଭାବନା ସୃଷ୍ଟି କରିବା ସହିତ ଅନେକ ମାଇଲଖୁଣ୍ଟ ସ୍ଥାପନା କରିଛି। ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନ ସରକାରଙ୍କ ଏହି ୨୩ ତମ ବଜେଟ୍‌‌ର ଆକାର ରହିଛି ୨ ଲକ୍ଷ ୩୦ ହଜାର କୋଟି, ଯାହା ଓଡ଼ିଶା ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ପୂର୍ବ ବର୍ଷ ତୁଳନାରେ […]

ଆସନ୍ତା ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ସମ୍ଭାବ୍ୟ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌‌ ସୁଦୂରପ୍ରସାରୀ ସମ୍ଭାବନା ସୃଷ୍ଟି କରିବା ସହିତ ଅନେକ ମାଇଲଖୁଣ୍ଟ ସ୍ଥାପନା କରିଛି। ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନ ସରକାରଙ୍କ ଏହି ୨୩ ତମ ବଜେଟ୍‌‌ର ଆକାର ରହିଛି ୨ ଲକ୍ଷ ୩୦ ହଜାର କୋଟି, ଯାହା ଓଡ଼ିଶା ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ପୂର୍ବ ବର୍ଷ ତୁଳନାରେ ଏଥର ରେକର୍ଡ ଆକାର ୩୦ ହଜାର କୋଟି ଟଙ୍କା ବା ୧୫% ବୃଦ୍ଧି ପାଇଛି, ଯାହା ମଧ୍ୟ ଏକ ରେକର୍ଡ। ‘ଲୋକଙ୍କ ଦ୍ୱାରା, ଲୋକଙ୍କର ଓ ଲୋକଙ୍କ ପାଇଁ’ ରୂପେ ମୁଖ୍ୟମନ୍ତ୍ରୀ ଅଭିହିତ କରିଥିବା ଏହି ବଜେଟ୍‌‌ ଓଡ଼ିଶାକୁ ବିକାଶର ଏକ ନୂଆ ଶିଖରକୁ ନେଇଯିବ ବୋଲି ସେ ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସେଥିରେ ଦ୍ୱିରୁକ୍ତି ନାହିଁ। ପୂର୍ବ ବର୍ଷଠାରୁ ଏହି ବଜେଟ୍‌‌ ୧୫% ବା ୩୦ ହଜାର କୋଟି ବୃଦ୍ଧି ପାଇଛି, ଯାହା ଓଡ଼ିଶା ବଜେଟ୍‌‌ ଇତିହାସରେ ସର୍ବାଧିକ ଅଟେ।

ନିତି ଆୟୋଗର ପୂର୍ବ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ୫ ଜୁଲାଇ ୨୦୨୨ ରେ ଏକ ଜାତୀୟ ଇଂରାଜୀ ଦୈନିକ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ କରିଥିଲେ ଯେ, ଭାରତୀୟ ଲୋକେ ମଧ୍ୟ ଭଲ ଆର୍ଥିିକ ନୀତିକୁ ଦେଖି ଭୋଟ୍‌‌ ଦିଅନ୍ତି, ଯାହାର ଉଦାହରଣ ବାରମ୍ବାର ନିର୍ବାଚନ ଜିତୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଉଲ୍ଳେଖ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ବେଳେ ୧୯୯୯-୨୦୦୦ରେ ଓଡ଼ିଶା ମୁଣ୍ଡପିଛା ନେଟ୍‌‌ ଜିଏସ୍‌‌ଡିପି(ରାଜ୍ୟ ମୋଟ ଘରୋଇ ଉତ୍ପାଦନ)ରେ ଭାରତରେ ସର୍ବନିମ୍ନ ତୃତୀୟ ସ୍ଥାନରେ ଥିବାବେଳେ ୨୦୧୮-୧୯ ବେଳକୁ ରାଜ୍ୟ ୧୧କୁ ଉତ୍ତୀର୍ଣ୍ଣ ହୋଇପାରିଥିଲା। ଓଡ଼ିଶାର ହାରାହାରି ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୦୦ ଓ ୨୦୧୦ ଦଶକ ଦ୍ୱୟରେ, ୭.୨% ରେ ସ୍ଥିର ଥିବାବେଳେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୮.୮%ରେ ପହଞ୍ଚିପାରିଥିଲା। ୨୦୦୪-୨୦୦୫ରେ ରାଜ୍ୟରେ ୫୭.୬% ଦାରିଦ୍ର୍ୟ ହାର ଥିବାବେଳେ ୨୦୧୧-୧୨ ବେଳକୁ ଏହା ୩୨.୯%କୁ ଦ୍ରୁତ ହ୍ରାସ ପାଇଥିଲା। ୨୦୧୫-୧୬ ରେ ଦାରିଦ୍ର୍ୟ ହାର ୩୧.୬% ଥିବାବେଳେ ୨୦୨୨-୨୩ରେ ଏହା ୧୨%କୁ ହ୍ରାସ ପାଇଛି। ୨୦୦୦-୨୦୦୧ରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୦,୪୫୩ ଟଙ୍କା ଥିବା ବେଳେ ଆଜି ଏହା ୧, ୫୦,୬୭୬ ଟଙ୍କାରେ ପହଞ୍ଚିପାରିଛି। ତେଣୁ ଯେଉଁ ରାଜନୈତିକ ସମୀକ୍ଷକମାନେ ଜାତି, ଧର୍ମ ଇତ୍ୟାଦି ସମୀକରଣକୁ ନେଇ ନିର୍ବାଚନର ପ୍ରାକ୍‌‌ ଫଳାଫଳ ଅନୁମାନ କରିଥା’ନ୍ତି, ସେମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ଆର୍ଥିିକ ମଡେଲକୁ ନେଇ ଲୋକଙ୍କ ବାରମ୍ବାର ମତଦାନକୁ ଆକଳନ କରିପାରନ୍ତି ନାହିଁ। ପାନାଗାରିଆ ‘ନବୀନୋମିକ୍‌‌ସ’ ଶବ୍ଦ ବ୍ୟବହାର ନ କରିଥିଲେ ମଧ୍ୟ ନବୀନଙ୍କ ଆର୍ଥିିକ ମଡେଲକୁ ଦେଶରେ ଏକ ସ୍ୱତନ୍ତ୍ର ଇନ୍‌‌କ୍ଲୁସିଭ୍‌‌ ଗ୍ରୋଥ୍‌‌ ବା ସମାବେଶୀ ଆର୍ଥିିକ ଅଭିବୃଦ୍ଧି ମଡେଲ ଭାବେ ବର୍ଣ୍ଣନା କରିଥିଲେ।

ନବୀନୋମିକ୍‌‌ସ’ ମଡେଲର ପ୍ରଥମ ଉପାଦାନ ହେଲା ବିତ୍ତୀୟ ଶୃଙ୍ଖଳା। ୨୦୦୦ ପୂର୍ବର ସରକାର, ‘ଋଣ କରି ଘିଅ ପିଉଥିବା’ ନ୍ୟାୟରେ ବଜେଟ୍‌‌ ପ୍ରସ୍ତୁତ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରିତ୍ୱ କାଳରେ ‘ଯେତିକି ଚୁନାରେ ସେତିକି ପିଠା କରିବା’ ନୀତିରେ ବଜେଟ୍‌‌ ପ୍ରସ୍ତୁତ ତଥା ରୂପାୟନ ହୋଇଚାଲିଲା। ୨୦୦୦-୨୦୦୧ରେ ରାଜ୍ୟ ବଜେଟ୍‌‌ ୭୩୯୦ କୋଟି ଟଙ୍କାର ଥିବା ବେଳେ ରାଜସ୍ୱ ନିଅଣ୍ଟ ଥିଲା ୨୨୫୧ କୋଟି ଟଙ୍କା, ଯାହାକି ବଜେଟ୍‌‌ର ପ୍ରାୟ ଏକ-ତୃତୀୟାଂଶ। ଆଜି ବଜେଟ୍‌‌ ୨୦୦୦ ତୁଳନାରେ ପ୍ରାୟ ୩୦ ଗୁଣ ବୃଦ୍ଧି ପାଇଥିବା ବେଳେ ରାଜସ୍ୱ ବଳକା ଅଛି୨୬, ୭୩୮ କୋଟି ଟଙ୍କା, ଯାହାକି ମୋଟ ରାଜ୍ୟ ଘରୋଇ ଉତ୍ପାଦନର ୩.୧%। ସେହିପରି ବିତ୍ତୀୟ ନିଅଣ୍ଟ ପରିମାଣ ଜିଏସ୍‌‌ଡିପିର ୩% ଭିତରେ ସୀମିତ ରହିଛି, ଯାହାକି ଓଡ଼ିଶା ଏଫ୍‌‌ଆର୍‌‌ବିଏମ୍‌‌ ଆଇନ୍‌‌ ୨୦୦୫ର ସର୍ତ୍ତ ପାଳନ କରୁଛି। ୨୦୦୨-୨୦୦୩ରେ ଋଣ ଜିଏସ୍‌‌ଡିପିର ୫୦% ଥିବା ବେଳେ ୨୦୨୨-୨୩ ବେଳକୁ ଏହା ୧୩.୧%କୁ ହ୍ରାସ ପାଇଛି, ଯାହାକି ଜିଏସ୍‌‌ଡିପିର ୨୫% ସୀମାର ବହୁ ତଳେ। ସେହିପରି ୨୦୨୩-୨୪ ରେ ରାଜ୍ୟ ସରକାର ନିଜ ଟିକସ ଆୟ ମୋଟ୍‌‌ ଆୟର ୨୩.୦୪% ଓ ଅଣ ଟିକସ ଆୟ ମୋଟ ଆୟର ୨୨.୮୩%, ପୁଞ୍ଜି ଆୟ ୧୯.୭୮% ଧାର୍ଯ୍ୟ କରି ବଜେଟ୍‌‌ରେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି। ସେହିପରି ପ୍ରଶାସନିକ ବ୍ୟୟକୁ କେବଳ ୪୦.୮୭% ମଧ୍ୟରେ ସୀମିତ ରଖାଯାଇ କାର୍ଯ୍ୟକ୍ରମ ବ୍ୟୟ ପାଇଁ ଅବଶିଷ୍ଟ ଅର୍ଥ ରଖାଯାଇଛି। ଏହିସବୁ କାରଣରୁ ଓଡ଼ିଶା ଆଜି ଆର୍ଥିିକ ବଳକା ଏବଂ ବିତ୍ତୀୟ ଶୃଙ୍ଖଳିତ ରାଜ୍ୟ ଭାବେ ପରିଗଣିତ ହେଉଛି।

‘ନବୀନୋମିକ୍‌‌ସ’ର ଦ୍ୱିତୀୟ ଉପାଦାନ ହେଲା ସ୍ଥିର ଆର୍ଥିିକ ପ୍ରଗତି। ୨୦୦୦ ମସିହାରୁ ପ୍ରତିବର୍ଷ ରାଜ୍ୟ ସରକାରଙ୍କର ଉଦ୍ୟମ ଯୋଗୁଁ ଆଜି ମୋଟ ଘରୋଇ ଉତ୍ପାଦନକୁ କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ଅବଦାନ ହେଲା ଯଥାକ୍ରମେ ୨୦%, ୪୦% ଓ ୪୦%, ଯାହାକି ଆର୍ଥିିକ ଢାଞ୍ଚାର ବିବିଧକରଣର ଏକ ସୁସ୍ଥ ମଡେଲ୍‌‌। ଶିଳ୍ପ ଓ ସେବା କ୍ଷେତ୍ରରେ ବ୍ୟାପକ ଘରୋଇ ପୁଞ୍ଜିଲଗାଣ ଯୋଗୁଁ ଶିଳ୍ପ ଓ ସେବା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି। ତେବେ ଓଡ଼ିଶା ଏକ କୃଷିପ୍ରବଣ ରାଜ୍ୟ ହୋଇଥିବାରୁ କୃଷିର ବିକାଶକୁ ଛାଡ଼ି ଦେଲେ ଅର୍ଥନୀତିର ବିକାଶ ହୋଇପାରିବନାହିଁ। ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ୍‌‌ ଉପସ୍ଥାପନ କରି ଆସୁଛନ୍ତି। ୨୦୨୩-୨୪ରେ ରାଜ୍ୟ ସରକାର କୃଷି ପାଇଁ୨୪ ହଜାର ୮ ଶହ ୨୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ଗତ ଆର୍ଥିିକ ବର୍ଷ ତୁଳନାରେ ୨୦% ଅଧିକ। ଏଥିରେ କୃଷିର ବିକାଶ, ଜଳସେଚନ, ‘କାଳିଆ’ ସହାୟତା, ଧନସଂଗ୍ରହ ପାଣ୍ଠି, କୃଷିଋଣ ସୁଧ ରିହାତି, ବିଭିନ୍ନ କୃଷି ମିଶନ, ଉଦ୍ୟାନ କୃଷି ଓ ମିଲେଟ୍‌‌ ମିଶନ, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ରାଶି, କୃଷି ଗବେଷଣା ଇତ୍ୟାଦି ସ୍ଥାନ ପାଇଛି। ଫଳରେ ଦେଶରେ କୃଷି ଅଭିବୃଦ୍ଧି ହାର ୫.୯୮% ଥିବା ବେଳେ ଓଡ଼ିଶାରେ ଏହା ୨୨.୫୨% ହୋଇପାରିଛି।

‘ନବୀନୋମିକ୍‌‌ସ’ର ତୃତୀୟ ଉପାଦାନ ହେଲା ସମାବେଶୀ ବା ଇନ୍‌‌କ୍ଲୁସିଭ୍‌‌ ଆର୍ଥିିକ ବିକାଶ। କୌଣସି ରାଜ୍ୟ ବା ଦେଶର ଆର୍ଥିିକ ଅଭିବୃଦ୍ଧି ହୋଇଗଲେ ସେଥିରେ ସମାଜର ଦୁର୍ବଳ ଶ୍ରେଣୀର ବିକାଶ ଆପେ ଆପେ ହୋଇଯିବ ବା ଦାରିଦ୍ର୍ୟ ଦୂରୀକରଣ ଆପେ ଆପେ ହୋଇପାରିବ ଏହା ଭାବିବା ତ୍ରୁଟିପୂର୍ଣ୍ଣ। ସେଥିପାଇଁ ସମାଜର ଦୁର୍ବଳ ବର୍ଗଙ୍କୁ ଆର୍ଥିିକ ସହାୟତା ତଥା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟଆର୍ଥିିକ ସ୍ରୋତରେ ସାମିଲ୍‌‌ କରିବାକୁ ପଡ଼ିଥାଏ। ଓଡ଼ିଶାରେ କୃଷକମାନେ ସାଧାରଣତଃ ନାମମାତ୍ର, କ୍ଷୁଦ୍ର ତଥା ଜମିହୀନ କୃଷି ଶ୍ରମିକ ହୋଇଥିବାରୁ କୃଷି ଓ କୃଷକର ବିକାଶ, ସମାବେଶୀ ବିକାଶର ଏକ ଅଙ୍ଗ। ତେଣୁ ରାଜ୍ୟ ସରକାରଙ୍କର କୃଷକମାନଙ୍କ ପାଇଁ ବିକାଶ କାର୍ଯ୍ୟକ୍ରମ ସମାବେଶୀ ବିକାଶର ଅନ୍ତର୍ଭୁକ୍ତ। ସେହିପରି ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୪୦% ହୋଇଥିବାରୁ ସେମାନେ ସମାଜର ପଛୁଆ ବର୍ଗ ହିସାବରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଶା କରନ୍ତି। ଏଥର ବଜେଟ୍‌‌ରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସର୍ବାଧିକ ୩୮, ୪୩୭ କୋଟିର ବ୍ୟୟ ବରାଦ ହେବା ଉଲ୍ଲେଖନୀୟ ପଦକ୍ଷେପ। ଏହାସହିତ ବଜେଟ୍‌‌ରେ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି କଲ୍ୟାଣ ଯୋଜନା’, ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ ଯୋଜନା’ ଇତ୍ୟାଦି ନୂଆ ଯୋଜନା ପ୍ରଣୟନ କରାଯାଇଛି। ଗରିବ ଲୋକଙ୍କ ପାଇଁ ପୂର୍ବ ଭଳି ‘ଖାଦ୍ୟ ସୁରକ୍ଷା ଯୋଜନା’, ‘ବିଜୁ ପକ୍କାଘର ଯୋଜନା’, ‘ହରିଶ୍ଚନ୍ଦ୍ର ଯୋଜନା’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଇତ୍ୟାଦି ସହିତ ‘ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା’ ଭଳି ନୂଆ ଯୋଜନା ବଜେଟ୍‌‌ରେ ସ୍ଥାନ ଦିଆଯାଇଛି।

ମହିଳାମାନଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ୨୦୨୦ ମସିହାରେ ‘ମିଶନ ଶକ୍ତି’କୁ ଏକ ସ୍ୱତନ୍ତ୍ର ବିଭାଗର ମର୍ଯ୍ୟାଦା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ତେଣୁ ‘ନବୀନୋମିକ୍‌‌ସ’ର ଅନ୍ୟ ଏକ ମୁଖ୍ୟ ଉପାଦାନ ହେଲା ମହିଳାଙ୍କ ଆର୍ଥିିକ ସଶକ୍ତୀକରଣ। ଏବେ ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳା ୬ ଲକ୍ଷରୁ ଊର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବିଭିନ୍ନ ଆର୍ଥିିକ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। ସେମାନଙ୍କୁ ଏପ୍ରିଲ୍‌‌ ୨୦୨୨ ମସିହାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ଗତ ୩ ବର୍ଷ ଭିତରେ ‘ମିଶନ ଶକ୍ତି’ ଗ୍ରୁପ୍‌‌ମାନଙ୍କୁ ୪ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୫ ବର୍ଷରେ ସେମାନଙ୍କୁ ଏମ୍‌‌ଏସ୍‌‌ଏମ୍‌‌ଇକୁ ପରିବର୍ତ୍ତନ କରି ୫୦ ହଜାର କୋଟିର ଋଣ ପ୍ରଦାନ କରାଯିବ। ଏବେ ବଜେଟ୍‌‌ରେ କୃଷି କ୍ଷେତ୍ରରେ ମହିଳା ଏସଏଚ୍‌‌ଜିମାନଙ୍କ ପାଇଁ ୫ ବର୍ଷ ଲାଗି ୩୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ମହିଳା ଏସ୍‌‌ଏଚ୍‌‌ଜି ଉଦ୍ୟୋଗୀ ପ୍ରୋତ୍ସାହନ ନାମକ କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ‘ମିଶନ ଶକ୍ତି ସ୍କୁଟର’ ଯୋଜନା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ମୋଟାମୋଟି ଭାବେ ‘ମିଶନ ଶକ୍ତି’ ମହିଳା ଓ ଶିଶୁ କଲ୍ୟାଣ ପାଇଁ ୬୨୨୪ କୋଟି ଟଙ୍କା ବଜେଟ୍‌‌ରେ ପ୍ରଦାନ କରାଯାଇଛି।

‘ନବୀନୋମିକ୍‌‌ସ’ର ଅନ୍ୟ ଏକ ଉପାଦାନ ହେଲା ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରି ଆର୍ଥିିକ ଅଭିବୃଦ୍ଧିର ସୁରକ୍ଷା କରିବା। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ହାସଲ କରି ଧନ ଜୀବନ ସୁରକ୍ଷା କରିପାରି ମିଳିତ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଥିବାବେଳେ ବାତ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଲାଗି କେନ୍ଦ୍ର ପାଖରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି। କିନ୍ତୁ କେନ୍ଦ୍ର ଏହା ଶୁଣୁ ନାହିଁ। ଫଳରେ ରାଜ୍ୟ ସରକାର ନିଜ ପ୍ରଚେଷ୍ଟାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ବଜେଟ୍‌‌ରେ ୩୭୦୦ କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ‘ମୁଖ୍ୟମନ୍ତ୍ରୀ ଲୁଣାବନ୍ଧ ଯୋଜନା’ ପରି ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି।

ସେହିପରି ଲୋକଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ବୃଦ୍ଧି କରିବା ପାଇଁ ତଥା ମାନବ ସମ୍ବଳର ନିରନ୍ତର ବିକାଶ ପାଇଁ ଆବଶ୍ୟକ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ନବୀନୋମିକ୍‌‌ସର ଅନ୍ୟ ଏକ ଉପାଦାନ। ଏହି ବଜେଟ୍‌‌ରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ସର୍ବାଧିକ ଅର୍ଥ ବ୍ୟବସ୍ଥା କରାଯାଇଛି। ‘୫-ଟି’ ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ମଡେଲ ସ୍କୁଲ ସହିତ ଏଥରକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରବୃତ୍ତି’ ଇତ୍ୟାଦି ନୂଆ କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ସେହିପରି ‘ଆମ ଡାକ୍ତରଖାନା ଯୋଜନା’ରେ ୧୪୭ ଡାକ୍ତରଖାନାର ରୂପାନ୍ତରଣ କରାଯିବା ପାଇଁ ସ୍ଥିର ହୋଇଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ବଜେଟ୍‌‌ରେ ୩୦,୦୩୦ କୋଟି ଓ ସ୍ୱାସ୍ଥ୍ୟ ସେବା ପାଇଁ ୧୬,୦୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ବଜେଟ୍‌‌ର ମୂଳ ଲକ୍ଷ୍ୟ ହେଉଛି ଏହାଦ୍ୱାରା ରାଜ୍ୟର ସାମୂହିକ ବିକାଶ କିଭଳି ସମ୍ଭବପର ହୋଇପାରିବ। ଏହିଦୃଷ୍ଟିରୁ ଦେଖିଲେ ୨୦୨୩-୨୪ ବଜେଟ୍‌‌ ନିଶ୍ଚିତ ରୂପେ ଲୋକଙ୍କ ପାଇଁ ଓ ଲୋକଙ୍କ ବିକାଶ ଜରିଆରେ ରାଜ୍ୟର ସାମୂହିକ ବିକାଶ ପାଇଁ ଉଦ୍ଦିଷ୍ଟ ଏଥିରେ ସନ୍ଦେହ ନାହିଁ। ମୋଟ ଉପରେ କହିବାକୁ ଗଲେ ‘ନବୀନୋମିକ୍‌‌ସ’ର ମୂଳ ଲକ୍ଷ୍ୟକୁ ଏଥର ବଜେଟ୍‌‌ରେ ଯଥାସମ୍ଭବ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଚେଷ୍ଟା କରାଯାଇଛି, ଏହା ନିଃସନ୍ଦେହ।

ଲଳିତ ମୋହନ ମିଶ୍ର, ଭୁବନେଶ୍ବର

ମୋ- ୯୪୩୯୧୭୮୫୮୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର