ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
୨୦୦୨ ଗୁଜରାଟ ଦଙ୍ଗା ସମୟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଜଣ ଦୋଷୀଙ୍କୁ ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିବା ସହ ସେମାନଙ୍କ ଦଣ୍ଡାଦେଶକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛନ୍ତି।
ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ପ୍ରସନ୍ନ ବି. ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ପାଇଥିବା ଦୁଇ ଦୋଷୀ ହେଉଛନ୍ତି ବିପିନଚନ୍ଦ୍ର କନହୈୟାଲାଲ ଜୋଶୀ ଏବଂ ପ୍ରଦୀପ ରମଣଲାଲ ମୋଧିୟା। ସର୍ବୋଚ୍ଚ ଅଦାଲତ ନିଜ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ଉଭୟ ଦୋଷୀ ପ୍ରାୟ ୧୭ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଅକ୍ଷମ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦୨୨ରେ ଗୁଜରାଟ ସରକାର ୧୧ ଜଣ ଦୋଷୀଙ୍କୁ ଅକାଳ ମୁକ୍ତି ଦେଇଥିଲେ, ଯାହାକୁ ଜାନୁଆରୀ ୨୦୨୪ରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଏହାପରେ ଦୋଷୀମାନେ ଜେଲକୁ ଫେରିଥିଲେ। ବର୍ତ୍ତମାନ ଦୋଷୀମାନେ ୨୦୧୭ରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟ ଆବେଦନରେ ଅନେକ ଆଇନଗତ ପ୍ରସଙ୍ଗ ବିଚାରାଧୀନ ଥିବାରୁ କୋର୍ଟ ଏହି ଜାମିନ ମଞ୍ଜୁର କରିଛନ୍ତି।
୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ୧୪ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨୦୦୮ରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବର୍ତ୍ତମାନର ଜାମିନ ସର୍ତ୍ତାବଳୀ ଟ୍ରାଏଲ୍ କୋର୍ଟ ଦ୍ୱାରା ନିର୍ଣ୍ଣୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।






