ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬: ସୁପ୍ରିମକୋର୍ଟଙ୍କ ବିଚାରପତି ଓ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ଗଠନ ହେବ ଉଚ୍ଚସ୍ତରୀୟ ପ୍ୟାନେଲ
ନୂଆଦିଲ୍ଲୀ: ଦେଶର ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ (Delimitation Bill 2026) ଆଣିବାକୁ ଯାଉଛନ୍ତି। ଏହି ବିଲ୍ ଅନୁଯାୟୀ, ଦେଶର ପ୍ରତିଟି ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କରିବା ପାଇଁ ଗଠିତ ହେବାକୁ ଥିବା ପ୍ୟାନେଲରେ ସୁପ୍ରିମକୋର୍ଟର ବିଚାରପତି ଏବଂ ନିର୍ବାଚନ କମିଶନର ପ୍ରମୁଖ ଭୂମିକା ଗ୍ରହଣ କରିବେ।
ପ୍ରସ୍ତାବିତ ବିଲ୍ ଅନୁଯାୟୀ, ଏହି ସୀମା ନିର୍ଦ୍ଧାରଣ କମିଶନ ମୁଖ୍ୟତଃ ତିନି ଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ। ସୁପ୍ରିମକୋର୍ଟର ଜଣେ ବର୍ତ୍ତମାନର କିମ୍ବା ଅବସରପ୍ରାପ୍ତ ବିଚାରପତି ଏହି ପ୍ୟାନେଲର ଅଧ୍ୟକ୍ଷତା କରିବେ। ତାଙ୍କ ସହିତ ମୁଖ୍ୟ ନିର୍ବାଚନ କମିଶନର (CEC) କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଣେ ନିର୍ବାଚନ କମିଶନର ସଦସ୍ୟ ରହିବେ। ଏହାବ୍ୟତୀତ ସମ୍ପୃକ୍ତ ରାଜ୍ୟର ରାଜ୍ୟ ନିର୍ବାଚନ କମିଶନର ମଧ୍ୟ ଏହି କମିଶନର ଅଂଶବିଶେଷ ହେବେ। କେନ୍ଦ୍ର ସରକାର ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଏହି କମିଶନର କାର୍ଯ୍ୟକାଳ ସ୍ଥିର କରିବେ ଏବଂ ଆବଶ୍ୟକ ସ୍ଥଳେ ଏହାର ଅବଧି ବୃଦ୍ଧି କରାଯାଇପାରିବ।
ଏହି ବିଲ୍ରେ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରଖାଯାଇଛି। ସୂଚନା ଅନୁଯାୟୀ, ଯଦି ଭବିଷ୍ୟତରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଭାରତର ନିୟନ୍ତ୍ରଣକୁ ଆସେ, ତେବେ ସେଠାକାର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକର ସୀମା ନିର୍ଦ୍ଧାରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ହିଁ ସୀମା ନିର୍ଦ୍ଧାରଣ କମିଶନ ଭାବେ କାର୍ଯ୍ୟ କରିବେ। ଏହା ସହିତ ମେଘାଳୟ ଏବଂ ନାଗାଲାଣ୍ଡ ଭଳି ରାଜ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରାବଧାନ ରଖାଯାଇଛି।
ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବାକୁ ଥିବାବେଳେ, ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବା। ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ। ବିଲ୍ ପାସ ହେବା ପରେ ତୁରନ୍ତ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ରାଜ୍ୟ ଏହି ସାମ୍ବିଧାନିକ ସଂଶୋଧନକୁ ଅନୁମୋଦନ କରିବେ ବୋଲି ଆଶା କରାଯାଉଛି।






