ମନୋରଞ୍ଜନ
ଓଡ଼ିଶା
ପୁରୀଘାଟ ଅଞ୍ଚଳରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ: ଜଣଙ୍କର ମୃତ୍ୟୁ, ୨୧ ଜଣଙ୍କୁ ଅଟକ ରଖିଛି ପୋଲିସ
କଟକ: କଟକ ସହରର ପୁରୀଘାଟ ଥାନା ଅଞ୍ଚଳରେ ଏକ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ମୃତ ବ୍ୟକ୍ତିଙ୍କ ପରିଚୟ ଗଣେଶ ଘାଟ ସାମଲ ସାହିର ଅମରେନ୍ଦ୍ର ସାମଲ ଓରଫ ବୁଲୁ (୫୦) ବୋଲି ଜଣାପଡିଛି। ଏହି ସଂଘର୍ଷରେ ନିରଞ୍ଜନ ସାମଲ ଓରଫ ନିଲୁଆ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ କଟକର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷରୁ ପ୍ରାୟ ୪ ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୁରୀଘାଟର ବୁରୁଜ ସାହି ଏବଂ ଗଣେଶ ଘାଟର ସାମଲ ସାହିର ଯୁବକମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବଚସା ହୋଇଥିଲା। ପ୍ରାଥମିକ ସୂଚନା ମୁତାବକ, ଏକ ମଦ ଦୋକାନ ସମ୍ମୁଖରେ ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା।
ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ର, ପଥର ଏବଂ କାଚ ବୋତଲରେ ଆକ୍ରମଣ କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଡିସିପି (DCP) ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଅତିରିକ୍ତ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।






