ପାରୋଲରେ ଯାଇ ଆଉ ଜେଲକୁ ଫେରୁନାହାନ୍ତି କଏଦୀ, ଥାନାର ଦ୍ୱାରସ୍ଥ ହେଲେ ଜେଲ ଅଧିକ୍ଷକ
ଭୁବନେଶ୍ୱର: ଭୁଶୁଡି ପଡ଼ିଲାଣି ଜେଲ ବ୍ୟବସ୍ଥା । କେଉଁଠାରେ କଏଦୀ ଚମ୍ପଟ ମାରିଲେଣି ତ ଆଉ କେଉଁଠାରେ ପାରୋଲରେ ଯାଇ ଫେରୁନାହାନ୍ତି କଏଦୀ । ଏଭଳି ଏକ ସଙ୍ଗିନ ଘଟଣା ସାମ୍ନାକୁ ଆସିଛି ଝାରପଡା ଜେଲରୁ । ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ । ଜଣେ ଦୁଷ୍କର୍ମ ଅଭିଯୁକ୍ତ, ଆଉ ଜଣେ ହତ୍ୟା ଅଭିଯୁକ୍ତ । ଜଣଙ୍କ ନାଁ ଶୁଶୀଲ ଦିଗଲ ଓ ଅନ୍ୟ ଜଣଙ୍କ ନାଁ ରଞ୍ଜିତ ନାୟକ । ଏଭଳି ଘଟଣାକୁ ନେଇ ଗତକାଲି ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଝାରପଡା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ । ତେବେ ବଡ଼ କଥା ହେଉଛି ଦୁଇ ଜଣ କଏଦୀ ଏତେ ଦିନ ଧରି ବାହାରେ ରହିଲେ । କେହି କେମିତି ତାଙ୍କୁ ଖୋଜିଲେନି ? ନା ବିଭାଗୀୟ ଉଦାସୀନତା ପଦାରେ ପଡିବା ଭୟରେ ଏସବୁକୁ ଲୁଚାଇ ରଖିଲେ ? ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଜେଲ ବିଭାଗର ଅପାରଗତା ପଦାରେ ପଡିଛି ।
ସୂଚନା ଅନୁସାରେ, ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶୀଲ ଦିଗଲ ପୂର୍ବରୁ ବହୁ ବାର ଛୁଟିରେ ଯାଇ ଜେଲକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ଫଲୋ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା । ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ । କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା । ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା । କିନ୍ତୁ ଦୁଇ ମାସ ହେବ ସେ ଆଉ ଜେଲକୁ ଫେରିନାହାନ୍ତି । ଏହାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ଝାରପଡା ଜେଲ ଅଧିକ୍ଷକ ।





