ଆଜି ରତ୍ନାଳଙ୍କାରରେ ଝଲସିବେ ବିଶ୍ୱନିୟନ୍ତା, ଅପରାହ୍ନ ୫ଟାରୁ ବେଶ ଆରମ୍ଭ
ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। […]
ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସିବେ ଦାରୁଦିଅଁ।
ରବିବାର ପୂର୍ବାହ୍ନରେ ମହାପ୍ରଭୁଙ୍କର ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଯାହାକି ବର୍ତ୍ତମାନ ଚାଙ୍ଗଡା ଘରେ କାର୍ଯ୍ୟକ୍ଷମ) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼ିବା ପରେ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍ ସଅଳ ନୀତିକାନ୍ତି କରାଯିବା ଲାଗି ପୂର୍ବରୁ ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ, ଚଳିତବର୍ଷ ସୁନାବେଶରେ ୧୦ରୁ ୧୫ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସଅଳ ନୀତିକାନ୍ତି କରାଯାଇ ନିର୍ଘଣ୍ଟ ସମୟ ପୂର୍ବରୁ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ କରାଯିବ। ଏହାଦ୍ୱାରା ଭକ୍ତମାନେ ଅଧିକ ସମୟ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ସୁଯୋଗ ପାଇବେ। ସେହିପରି ସୁନାବେଶ ସମୟରେ ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ସୁନାବେଶ ଦର୍ଶନ କରିପାରିବେ। ରଥ ଉପରକୁ ଅଣସେବାୟତ ଚଢ଼ିବେ ନାହିଁ। ସେହିପରି କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି କଡାକଡି ଭାବେ ସ୍ପଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ, ସୁନାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଯେଉଁଭଳି ସୁରକ୍ଷା ଏବଂ ଟ୍ରାଫିକ କଟକଣା ଥିଲା ସେହିଭଳି କଟକଣା ମଧ୍ୟ ରହିବ ବୋଲି କହିଛନ୍ତି ଏସ୍ପି ପିନାକ ମିଶ୍ର।
ସୁନାବେଶ ନୀତି
- ମଙ୍ଗଳ ଆଳତି ସକାଳ ୬ରୁ ୬ଟା ୩୦
- ମଇଲମ ତଡ଼ପଲାଗି ସକାଳ ୭ଟା
- ଅବକାଶ ୮ଟା
- ବେଶ ଶେଷ ୯ଟା
- ଗୋପଳବଲ୍ଲଭ ପୂର୍ବାହ୍ନ ୧୦ରୁ ୧୦ଟା ୩୦
- ସକାଳଧୂପ ୧୧ଟାରୁ ମଧ୍ୟାହ୍ନ ୧୨ଟା
- ମଇଲମ ୧୨ଟା ୩୦
- ମହାସ୍ନାନ ଓ ସର୍ବାଙ୍ଗ ଅପରାହ୍ନ ୧ଟା
- ବେଶ ଶେଷ ୧ଟା ୩୦
- ମଧ୍ୟାହ୍ନ ଧୂପ ଅପରାହ୍ନ ୨ରୁ ୩ଟା
- ମଇଲମ ୩ଟା ୩୦
- ଖଣ୍ଡୁଆ ଲାଗି ସନ୍ଧ୍ୟା ଆଳତି ୪ଟା
- ଏକାଦଶୀ ସର୍ବାଙ୍ଗ ୪ଟା ୩୦
- ସୁନାବେଶ ୫ଟାରୁ ୬ଟା ୩୦
- ସନ୍ଧ୍ୟାଧୂପ ରାତି ୮ରୁ ୯ଟା
- ସୁନାବେଶ ମଇଲମ ରାତି ୧୦ରୁ ୧୧ଟା
- ଚନ୍ଦନଲାଗି ୧୧ଟା
- ବଡ଼ସିଂହାର ବେଶ ୧୨ଟା
- ବଡ଼ସିଂହାର ଭୋଗ ୧୨ଟା ୩୦
- ମଇଲମ ୧୨ଟା ୪୫
- ଶୟନଠାକୁର ବିଜେ ରାତି ୧ଟା
- ରାତ୍ର ପହୁଡ ଭୋର୍ ୪ଟା






