ମନୋରଞ୍ଜନ
ସଫା ହେଉନି ରାସ୍ତା : ଆବର୍ଜନା ପାଣି ସହ ଦୁର୍ଗନ୍ଧ ପାଇଁ ଘରୁବାହାରି ପାରୁନାହାଁନ୍ତି ଲୋକ
ଭୁବନେଶ୍ୱର : ଘରୁ ବାହାରିଲେ ଆବର୍ଜନା ପାଣି। ଗେଟ୍ ଆଗରେ ଚାଲୁଛି ଆବର୍ଜନାପୂର୍ଣ୍ଣ ପଚାପାଣି। ଯାହାକି କେବଳ ଦୁର୍ଗନ୍ଧ ସୃଷ୍ଟି କରୁନି ବରଂ ସଂକ୍ରମଣର ଭୟ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ ବହୁ ଦିନ ପର୍ଯ୍ୟନ୍ତ ଜମା ହୋଇ ରହୁଥିବା ପାଣିରେ ପୋକ ଗୁଡ଼ିକ ଘର ଭିତରେ ପଶୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ୱାର୍ଡ ନମ୍ବର-୬୫ ପାତ୍ରପଡ଼ା ଭଗବାନପୁର ଅଞ୍ଚଳରେ ରହିଛି ଏହି ଆବର୍ଜନାପୂର୍ଣ୍ଣ ରାସ୍ତା। ପ୍ରାୟ ୨୦୦ ଲମ୍ବର ମିଟର […]
ଭୁବନେଶ୍ୱର : ଘରୁ ବାହାରିଲେ ଆବର୍ଜନା ପାଣି। ଗେଟ୍ ଆଗରେ ଚାଲୁଛି ଆବର୍ଜନାପୂର୍ଣ୍ଣ ପଚାପାଣି। ଯାହାକି କେବଳ ଦୁର୍ଗନ୍ଧ ସୃଷ୍ଟି କରୁନି ବରଂ ସଂକ୍ରମଣର ଭୟ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ ବହୁ ଦିନ ପର୍ଯ୍ୟନ୍ତ ଜମା ହୋଇ ରହୁଥିବା ପାଣିରେ ପୋକ ଗୁଡ଼ିକ ଘର ଭିତରେ ପଶୁଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ୱାର୍ଡ ନମ୍ବର-୬୫ ପାତ୍ରପଡ଼ା ଭଗବାନପୁର ଅଞ୍ଚଳରେ ରହିଛି ଏହି ଆବର୍ଜନାପୂର୍ଣ୍ଣ ରାସ୍ତା। ପ୍ରାୟ ୨୦୦ ଲମ୍ବର ମିଟର ଏହି ରାସ୍ତାର ଓସାର ଅଧିକ ରହିଥିବା ବେଳେ ସେଥିରେ ପେଭରବ୍ଲକ ବିଛାଯାଇଥିବାରୁ ରାସ୍ତାଟିବେଶ୍ ଆକର୍ଷଣୀୟ ଦେଖାଯାଏ। ପୂର୍ବରୁ ଏହା ମାଟି ରାସ୍ତା ରହିଥିବାରୁ ଲୋକଙ୍କ ଯିବାଆସିବା ସହ ବର୍ଷା ଦିନରେ ବହୁ ସମସ୍ୟା ହୋଇଥାଏ। ତେଣୁ ଏହି ରାସ୍ତାରେ ପେଭରବ୍ଲକ ବିଛାଯିବା ପରେ ସୌନ୍ଦର୍ଯ୍ୟ ବୃଦ୍ଧି ସହ ବର୍ଷା ସମୟରେ ଯାତାୟତ କରିବାରେ ମଧ୍ୟ ସୁବିଧା ହେବ ବୋଲି ଅଞ୍ଚଳବାସୀଙ୍କ ଆଶା ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ରାସ୍ତା ଅଞ୍ଚଳବାସୀଙ୍କ ପ୍ରମୁଖ ସମସ୍ୟା ପାଲଟିଯାଇଛି। କାରଣ ରାସ୍ତା ଉପରେ ଠିକ୍ ଭାବେ ପେଭରବ୍ଲକ ପକାଯାଇନଥିବାରୁ ଲୋକଙ୍କ ଘର ଦୁଆର ମୁହଁରେ ଜମି ରହୁଛି ପାଣି।
ଅନେକ ସମୟରେ ପ୍ରବଳ ବର୍ଷାରେ ପାଣି ଘର ଭିତରକୁ ପଶୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏଠାରେ ରହୁଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ଏବଂ ଛୋଟପିଲାମାନେ ସ୍କୁଲ ଯିବାକୁ ବି ଭୟ କରୁଛନ୍ତି। ଦୀର୍ଘଦିନ ଯାଏଁ ପାଣି ଜମି ରହୁଥିବାରୁ ଶିଉଳି ଲାଗିବା ସହ ନର୍ଦ୍ଦମାରେ ପରିଣତ ହୋଇଛି। ତେଣୁ ଘରୁ ବାହୟାରିବା ମାତ୍ରେ ଏହି ନର୍ଦ୍ଦମା ପାଣିରେ ପଶିବାକୁ ବାଧ୍ୟ ହେଉଥିବା ଏଠାରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଲଗାଣ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବା ବେଳେ ପ୍ରାୟ ୪ରୁ ୫ଦିନ ଯାଏ ବି ପାଣି ଶୁଖୁନି। ଫଳରେ ସେଠାରେ ଅଭଳିଆ ଆବର୍ଜନା ପଡ଼ି ତାହା ପଚି ଦୁର୍ଗନ୍ଧ ସାଙ୍ଗକୁ ମଶାଙ୍କ ପ୍ରାଦୁର୍ଭାବ ବି ବଢ଼଼ୁଛି। ତେବେ ଏହି ରାସ୍ତାରେ ପେଭରବ୍ଲକ କାମ ଠିକ୍ ଭାବେ କରାଯାଇ ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା କହିଛନ୍ତି। ବର୍ଷା ଦିନରେ ପାଣି ପାଦୁଅ ରାସ୍ତାରେ ଯିବାଆସିବା ନ କରିବା ପାଇଁ ନିର୍ମାଣ ହୋଇଥିବା ଏହି ରାସ୍ତା ଏବେ ଅଞ୍ଚଳବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।






