ପୁଲିସର ଅତ୍ୟାଚାର ଓ କଙ୍ଗାରୁ କୋର୍ଟ ପ୍ରତିବାଦରେ କାର୍ଯ୍ୟବନ୍ଦ ଚେତାବନୀ ଦେଲା ଡାକ୍ତରୀ ସଂଘ
ଭୁବନେଶ୍ବର : ରାଜ୍ୟରେ ଓଏଏସ ଅଧିକାରୀଙ୍କ କାର୍ଯ୍ୟବନ୍ଦ ମନରୁ ଯାଇ ନ ଥିବା ବେଳେ ଏବେ ରାଜ୍ୟର ଡାକ୍ତର ମାନେ କାର୍ଯ୍ୟବନ୍ଦର ବଡ଼ ଚେତାବନୀ ଦେଇଛନ୍ତି। ରାୟଗଡାର ଡାକ୍ତର ସୁମୀରନ ରାଉତଙ୍କୁ ପୁଲିସର ଅତ୍ୟାଚାର ଓ କଙ୍ଗାରୁ କୋର୍ଟ ପ୍ରତିବାଦରେ ସରକାରଙ୍କୁ ଏଭଳି ଚରମବାଣୀ ଶୁଣାଇଛି ଡାକ୍ତରୀ ସଂଘ ‘ଓମସା’। ରାୟଗଡା କଲ୍ୟାଣସିଂପୁର ମେଡ଼ିକାଲ ଅଫିସର ଇନଚାର୍ଜ ଡାକ୍ତର ସୁମୀରନ ରାଉତ ଆଉଟଡୋର ସାରି ଫିଲଡ଼ ଭିଜିଟ କଲେ। ଆଶା କର୍ମୀ ଓ ହେଲଥ ୱାର୍କର ସହ ସଂଜୀଲିକୁ […]
ଭୁବନେଶ୍ବର : ରାଜ୍ୟରେ ଓଏଏସ ଅଧିକାରୀଙ୍କ କାର୍ଯ୍ୟବନ୍ଦ ମନରୁ ଯାଇ ନ ଥିବା ବେଳେ ଏବେ ରାଜ୍ୟର ଡାକ୍ତର ମାନେ କାର୍ଯ୍ୟବନ୍ଦର ବଡ଼ ଚେତାବନୀ ଦେଇଛନ୍ତି। ରାୟଗଡାର ଡାକ୍ତର ସୁମୀରନ ରାଉତଙ୍କୁ ପୁଲିସର ଅତ୍ୟାଚାର ଓ କଙ୍ଗାରୁ କୋର୍ଟ ପ୍ରତିବାଦରେ ସରକାରଙ୍କୁ ଏଭଳି ଚରମବାଣୀ ଶୁଣାଇଛି ଡାକ୍ତରୀ ସଂଘ ‘ଓମସା’।
ରାୟଗଡା କଲ୍ୟାଣସିଂପୁର ମେଡ଼ିକାଲ ଅଫିସର ଇନଚାର୍ଜ ଡାକ୍ତର ସୁମୀରନ ରାଉତ ଆଉଟଡୋର ସାରି ଫିଲଡ଼ ଭିଜିଟ କଲେ। ଆଶା କର୍ମୀ ଓ ହେଲଥ ୱାର୍କର ସହ ସଂଜୀଲିକୁ ଯାଇଥିଲେ । ଏହି ସମୟରେ ପୁଲିସର ଫୋନ ଆସିଲା ଟ୍ରେନ ଆକ୍ସିଡେଣ୍ଟରେ ଜଣଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦାୟୀ କରାଗଲା। ଡାକ୍ତରଙ୍କୁ ଅପହରଣ ଭଳି ଢଙ୍ଗରେ ପୁଲିସ ଅପହରଣ କରି ଅକଥନୀୟ ଯନ୍ତ୍ରଣା ଦିଆଗଲା। ଡାକ୍ତରଙ୍କୁ ପୁଲିସ ଜିପ ଚାନ୍ଦିଲି ଥାନାକୁ ନେଇ ସେଠାରେ ୧୮ ଘଣ୍ଟା ଅଟକ ରଖାଗଲା। ଏହା ପୁଲିସର କଙ୍ଗାରୁ କୋର୍ଟ ବୋଲି ଅଭିଯୋଗ କରିଛି ରାଜ୍ୟ ଡାକ୍ତର ସଂଘ।
କେବଳ ସେତିକି ନୁହେଁ ଡାକ୍ତରୀ ସଂଘ କହିଛି ଯେ ପୁଲିସ ଡାକ୍ତରଙ୍କୁ ଦଶ ଲକ୍ଷ ମାଗିଥିଲା। ମୋବାଇଲ ବି ଛଡାଇ ନେଲା। କାହାକୁ ଯୋଗାଯୋଗ କରିବାର ସୁଯୋଗ ଦିଆଗଲା ନାହିଁ। ଘରକୁ କି ଜିଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଯୋଗାଯୋଗର ସୁଯୋଗ ଦିଆଗଲା ନାହିଁ। ଡାକ୍ତରଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଗଲା। ଜଣେ ଡେଣ୍ଟଲ ସର୍ଜନ ଡାକ୍ତର ହୀରା ଚାନ୍ଦ ମଧ୍ୟ ସୁମିରନ ରାଉତଙ୍କ ସହ ଥିଲେ। ୧୮ ଘଣ୍ଟା ପରେ ଡାକ୍ତର ଦୁଇ ଲକ୍ଷ ଦେବାକୁ ରାଜି ହେବାରୁ ଛଡ଼ାଗଲା। ପୁଲିସ ଷ୍ଟେସନରେ ସାଧା କାଗଜରେ ଜବରଦସ୍ତ ଦସ୍ତଖତ ମଧ୍ୟ ନିଆଗଲା। ତେଣୁ ରାଜ୍ୟର ଡାକ୍ତର ମାନେ ଭୟଭୀତ ଓ ଚାକିରୀ କରିବାକୁ ଆଉ ଚାହୁଁ ନାହାନ୍ତି।
ପ୍ରଶାସନ ଏବେ ସ୍ଥାଣୁ ପାଲଟି ଯାଇଛି। ରାୟଗଡା ଏସପି ଓ ଜିଲ୍ଲାପାଳ ଉଦାସୀନ। ଏଣୁ ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ଓମସା। ଏଭଳି ଯନ୍ତ୍ରଣାରେ ଯୁବ ଡାକ୍ତର ମାନେ ଆଉ ଡ୍ୟୁଟି କରିବେ ନାହିଁ। ଏଭଳି ହେଲେ ଆତ୍ମହତ୍ୟାର ଖବର ଆସିବ । ଭଙ୍ଗା ଘର ସେମାନେ ରୋଗୀ ସେବା ଦେଉଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ। ୨୪ ରୁ ରାୟଗଡାରେ ଡାକ୍ତର ମାନେ ଆଉ ଡ୍ୟୁଟି କରିବେ ନାହିଁ। ଡାକ୍ତର ସୁରକ୍ଷିତ ନୁହଁନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ। ଡିଜି ହସ୍ତକ୍ଷେପ କରନ୍ତୁ। ଜିଲ୍ଲା ପ୍ରଶାସନ ଓ ଏସପି ମଧ୍ୟ ସହଯୋଗ କରୁ ନାହାନ୍ତି। ରାଜ୍ୟର ଡାକ୍ତର ମାନେ ମାନସିକ ଯନ୍ତ୍ରଣା ମଧ୍ୟରେ ରହିଛନ୍ତି। କୌଣସି ଘଟଣାରେ ଡାକ୍ତର ସୁମୀରନ ରାଉତ ନ ଥିବା ବେଳେ ପୁଲିସ ମିଛରେ ଡାକ୍ତରଙ୍କୁ କାଙ୍ଗାରୁ କୋର୍ଟ କରିବା ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ନଚେତ ପ୍ରଥମେ ରାୟଗଡା ଓ ପରେ ସାରା ରାଜ୍ୟରେ ଡାକ୍ତର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛି ଓଡିଶା ଡାକ୍ତରୀ ସେବା ସଂଘ ବା ଓମସା।






