ଓଡ଼ିଶାରେ ଲଗାଣ ବର୍ଷା: ନବରଙ୍ଗପୁର ପାଇଁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD
ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ବର୍ଷା ଅବ୍ୟାହତ ରହିଛି। ସେପ୍ଟେମ୍ବର ୨୪ ତାରିଖ ଭୋର ସମୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରାଜ୍ୟର ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଭାଗରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ନବରଙ୍ଗପୁର ଜିଲ୍ଲା ପାଇଁ ଆଇଏମଡି ପକ୍ଷରୁ ରେଡ୍ ୱାର୍ଣ୍ଣିଂ (Red Warning) ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟର ୬ଟି ଜିଲ୍ଲା ଯଥା- ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ଅନ୍ୟ ୯ଟି ଜିଲ୍ଲା- ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ା ପାଇଁ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖ ରାତି ୧୧ଟାରୁ ସେପ୍ଟେମ୍ବର ୨୪ ତାରିଖ ରାତି ୧ଟା ମଧ୍ୟରେ ଏହି ଗଭୀର ଅବପାତଟି କଳିଙ୍ଗପଟ୍ଟନମ୍ ନିକଟରେ ଉପକୂଳ ଅତିକ୍ରମ କରିଛି। ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ରହିଥିଲା, ଯାହାକି ସର୍ବାଧିକ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଗୁରୁବାର ସକାଳ ୫:୩୦ ସୁଦ୍ଧା ଏହି ସିଷ୍ଟମଟି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କଳିଙ୍ଗପଟ୍ଟନମଠାରୁ ୫୦ କିମି ପଶ୍ଚିମ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୧୭୦ କିମି ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହାର ତୀବ୍ରତା ବଜାୟ ରଖି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେ ଧୀରେ ଦୁର୍ବଳ ହେବ ବୋଲି ଆକଳନ କରାଯାଇଛି।
ଏହି ସିଷ୍ଟମର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାଣ ବର୍ଷା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ, ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତ୍ୟାଧିକ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ଥିବାରୁ, ସତର୍କ ସୂଚନା ଥିବା ଜିଲ୍ଲାଗୁଡ଼ିକର ବାସିନ୍ଦାମାନଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।






