ସରକାରୀ ଜମିକୁ କେନ୍ଦ୍ରକରି ସାନଖେମୁଣ୍ଡିର ଦୁଇ ଗାଁ ମଧ୍ୟରେ ମାରପିଟ; ୧୫ ଗିରଫ ସହ ଧାରା୧୬୩ ଜାରି

ସାନଖେମୁଣ୍ଡି: ସରକାରୀ ଜମିକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଦୁଇ ଗାଁ ମଧ୍ୟରେ ମାରପିଟ । ୧୫ ଜଣଙ୍କୁ ଉଠାଇନେଲା ପୁଲିସ । ଢେଲା, ପଥର ମାଡ଼ରେ ଉକ୍ତ ଜାଗାରେ ନିର୍ମାଣ ହୋଇଥିବା ହନୁମାନ ବାଟିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ବିଏନ୍ଏସ୍ଏସ୍ ଧାରା ୧୬୩ ଲାଗୁ କରାଯିବା ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି । ଗତକାଲି ଜମି ବିବାଦକୁ ନେଇ ପରସ୍ପର ମଧ୍ୟରେ ଇଟା ପଥର ମାଡ ହୋଇଥିଲା ।
ଗତକାଲି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ, ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଛକ ନିକଟରେ ଥିବା ଏକ ସରକାରୀ ଜମିକୁ ନେଇ ଗୁରୁବାର ଦୁଇ ଗାଁ ହାତାହାତି ହୋଇଥିଲେ । ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉଠାରୁ ଆରମ୍ଭ କରି ଟାୟାର ଜାଳି ରାଜପଥ ଅବରୋଧ, ଢେଲାପଥର ମାଡ଼ ଭଳି ହିଂସା ଘଟିଛି। ଏପରିକି, ଗୋଟିଏପକ୍ଷର ଢେଲା, ପଥର ମାଡ଼ରେ ଉକ୍ତ ଜାଗାରେ ନିର୍ମାଣ ହୋଇଥିବା ହନୁମାନ ବାଟିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଦୀର୍ଘ ବର୍ଷ ହେଲା ଡେଙ୍ଗାଓସ୍ତା ଛକ ନିକଟରେ ଏକ ସରକାରୀ ଜାଗାରେ ରତ୍ନମଣିପୁର ଗ୍ରାମବାସୀ ଏକ ହନୁମାନ ବାଟିକା ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ଉଭୟ ରତ୍ନମଣିପୁର ଓ ସିଙ୍ଗିପୁର ଗ୍ରାମ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। କଥା ତହସିଲ, ଥାନା ଓ ଜିଲ୍ଲା ପ୍ରଶାସନ ପାଖକୁ ବାରମ୍ୱାର ଯାଇଥିଲେ ହେଁ ସମାଧାନର ରାସ୍ତା ବାହାରି ପାରିନଥିଲା। ଏହାକୁ ନେଇ ଆଜି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟକୁ ସିଙ୍ଗିପୁର ଗ୍ରାମବାସୀ ଘେରାଉ କରିଥିଲେ। ଉକ୍ତ ସ୍ଥାନରେ ନିର୍ମାଣ ହୋଇଥିବା ହନୁମାନ ବାଟିକା ଭାଙ୍ଗିବା ସହ ସେହି ସ୍ଥାନରେ ପରିବା ମାର୍କେଟ୍, ସାଇକେଲ ଷ୍ଟାଣ୍ଡ, ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯିବା ନେଇ ଦାବି କରିଥିଲେ। ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଉପ-ଜିଲ୍ଲାପାଳଙ୍କ ଆଦେଶ ମିଳିବା ପରେ ପାଚେରି ଭାଙ୍ଗିବା ନେଇ କହିଥିଲେ ମଧ୍ୟ ଲୋକମାନେ ରାଜି ହୋଇନଥିଲେ। ଫଳରେ ସାନଖେମୁଣ୍ଡି ତହସିଲଦାର ଉକ୍ତ ପାଚେରି ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଟିମ୍ ପହଞ୍ଚି ପାଚେରି ଭାଙ୍ଗିବା ଲାଗି ଉଦ୍ୟମ କରିବାରୁ ରତ୍ନମଣିପୁର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। କିଛି ସମୟ ପରେ ଉଭୟ ଗ୍ରାମବାସୀ ଇଟା, ପଥର ଫିଙ୍ଗିବା ସହ ଆକ୍ରମଣ କରିଥିଲେ। ସିଙ୍ଗିପୁର ଗ୍ରାମବାସୀ ଏହି ହନୁମାନ ବାଟିକାର ପାଚେରି, ଲାଇଟ୍, ଗଛ ଓ ସିସିଟିଭିକୁ ଭାଙ୍ଗି ଦେଇଥିଲେ।