ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍

Suryakanta Picture
Published On

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ 'କିଙ୍ଗ'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତି କାରଣରୁ ଫିଲ୍ମର ଦୁବାଇ ସିଡ୍ୟୁଲକୁ ବାତିଲ କରିଦିଆଯାଇଛି। କଳାକାର ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ଦୁବାଇ ବଦଳରେ ମୁମ୍ବାଇର ଏକ ଷ୍ଟୁଡିଓରେ ମରୁଭୂମିର ଦୃଶ୍ୟ ସୁଟିଂ କରାଯିବ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଏପ୍ରିଲ ୯ରୁ ଦୁବାଇରେ ଆରମ୍ଭ ହେବାର ଥିଲା ସୁଟିଂ

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଆସନ୍ତା ଏପ୍ରିଲ ୯ ତାରିଖରୁ ଦୁବାଇରେ ଫିଲ୍ମ 'କିଙ୍ଗ'ର ଏକ ଗୁରୁତ୍ୱପୂର୍ଣ୍ଣ ଆକ୍ସନ ସିକ୍ୱେନ୍ସ ସୁଟିଂ ହେବାର ଥିଲା। ଏହି ସିଡ୍ୟୁଲ୍ ପ୍ରାୟ ଏକ ସପ୍ତାହ ଧରି ଚାଲିବାର ଥିଲା, ଯେଉଁଥିରେ ଶାହରୁଖ ଖାନ, ସୁହାନା ଖାନ ଏବଂ ଅନିଲ କପୁର ଅଂଶଗ୍ରହଣ କରିଥାନ୍ତେ। ନିର୍ମାତାମାନେ ଏଥିପାଇଁ ସମସ୍ତ ଆବଶ୍ୟକୀୟ ଅନୁମତି ମଧ୍ୟ ହାସଲ କରିସାରିଥିଲେ। କିନ୍ତୁ ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ମେକର୍ସ କୌଣସି ପ୍ରକାର ରିସ୍କ ନେବାକୁ ଚାହିଁନଥିଲେ ଏବଂ ଏହି ଅନ୍ତର୍ଜାତୀୟ ସିଡ୍ୟୁଲକୁ ବାତିଲ କରିଦେଇଥିଲେ।

ମୁମ୍ବାଇର ଭିଲେ ପାର୍ଲେରେ ତିଆରି ହେଲା ଆର୍ଟିଫିସିଆଲ୍ ମରୁଭୂମି

ଦୁବାଇ ଶୁଟିଂ ବାତିଲ ହେବା ପରେ, ଏବେ ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏକ ଷ୍ଟୁଡିଓରେ ଆର୍ଟିଫିସିଆଲ୍ ମରୁଭୂମିର ଏକ ବିଶାଳ ସେଟ୍ ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଭିଜନକୁ ବାସ୍ତବ ରୂପ ଦେବା ପାଇଁ ଖର୍ଚ୍ଚରେ କୌଣସି କାଣ୍ଟଛାଣ୍ଟ କରାଯାଇନାହିଁ। ଷ୍ଟୁଡିଓ ଭିତରେ ଶୁଟିଂ ହେବା ଦ୍ୱାରା ଲାଇଟିଂ ଏବଂ ଆକ୍ସନ ଦୃଶ୍ୟ ଉପରେ ନିର୍ଦ୍ଦେଶକଙ୍କର ଅଧିକ ନିୟନ୍ତ୍ରଣ ରହିବ ବୋଲି ଆଶା କରାଯାଉଛି। ତେବେ ଷ୍ଟୁଡିଓରେ ତିଆରି ହୋଇଥିବା ଏହି ମରୁଭୂମି ସେଟ୍ ଦର୍ଶକଙ୍କୁ କେତେ ରିଅଲ୍ ଫିଲ୍ ଦେବ, ତାହା ଦେଖିବା ବାକି ରହିଲା।

ପୂର୍ବରୁ ମଧ୍ୟ ଅଟକିଥିଲା 'କିଙ୍ଗ'ର ସୁଟିଂ

ଏହା ପ୍ରଥମ ଥର ନୁହେଁ ଯେବେ ଫିଲ୍ମ 'କିଙ୍ଗ'ର ସୁଟିଂ ପ୍ରଭାବିତ ହୋଇଛି। ଗତବର୍ଷ ଜୁଲାଇ-ଅଗଷ୍ଟ (୨୦୨୫) ମାସରେ ଏକ ଆକ୍ସନ ଦୃଶ୍ୟର ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଆମେରିକା ଯିବାକୁ ପଡ଼ିଥିଲା ଏବଂ ଡାକ୍ତର ତାଙ୍କୁ ଗୋଟିଏ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପରେ ନଭେମ୍ବର ମାସରେ ସେ ପୁଣିଥରେ ସେଟକୁ ଫେରିଥିଲେ। ଏହି ଫିଲ୍ମଟି ଆସନ୍ତା ଡିସେମ୍ବର ୨୪, ୨୦୨୬ ରେ ବଡ଼ ପରଦାରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp