ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ

Madhusudan Das Picture
Published On

ପୁରୀ: ଦୀର୍ଘ ୪୭ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତିକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ । ଶୁଭ ମୁହୂର୍ତ୍ତ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ବୁଧବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ଟା ୯ରୁ ଅପରାହ୍ଣ ୧ଟା ୪୫ମଧ୍ୟରେ ରତ୍ନ ଅଳଙ୍କାର ଗଣତିମଣତିର ଶୁଭାରମ୍ଭ ହେବ। ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଆଉ ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସରିଛି। ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ଅଧିକୃତ ବ୍ୟକ୍ତିମାନେ ୧୯୭୮ମସିହା ତାଲିକା ସହ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ କରିବେ। 

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ହେବ ଗଣତିମଣତି। ଏଥିଲାଗି ଦୁଇଟି ଟିମ୍‌ ଗୋଟିଏ ତତ୍ତ୍ୱାବଧାରକ ବା ସୁପରଭାଇଜିଂ ଏବଂ ଅନ୍ୟଟି କାର୍ଯ୍ୟନିର୍ବାହୀ ବା ହ୍ୟାଣ୍ଡ୍‌ଲିଂ ଟିମ୍‌ ଗଠନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତତ୍ତ୍ୱାବଧାରକ ଟିମ୍‌ର ଅଧ୍ୟକ୍ଷ ରହିଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି। ସେହିପରି କାର୍ଯ୍ୟବାହୀ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାରମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ଜେମୋଲୋଜିଷ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ। 

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ। ଗଣତିମଣତି ସମୟରେ ଶ୍ରୀଜୀଉଙ୍କର ନୀତି ସମ୍ପାଦନ ଅବ୍ୟାହତ ରଖାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଗଣତି ପ୍ରକ୍ରିୟାର ସୁରକ୍ଷା ଦୃଷ୍ଟିରୁ ଭକ୍ତଗଣଙ୍କ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ସୁବିଧା ଉପଲବ୍ଧ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ସୂଚନାଥାଉ କି, ଶେଷଥର ପାଇଁ ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରର ଗଣତିମଣତି ହୋଇଥିଲା। ମେ’ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭୦ ଦିନ ଧରି ଏହା ଚାଲିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନଭଣ୍ଡାର ପୁସ୍ତକ ଅନୁଯାୟୀ, ରତ୍ନଭଣ୍ଡାରରେ ୪୫୪ ପ୍ରକାରର ୧୨୮.୩୮କେଜିର ସ୍ୱର୍ଣ୍ଣ, ୨୯୩ ପ୍ରକାରର ୨୨୧.୫୩ କେଜିର ରୁପା ରହିଛି। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪୩.୦୬ କେଜିର ସ୍ୱର୍ଣ୍ଣ ଓ ୨୩୧ ପ୍ରକାରର ୧୪୮.୭ କେଜିର ରୁପା ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କେଜିର ସ୍ୱର୍ଣ୍ଣ, ୩୯ ପ୍ରକାରର ୪୬.୦୭ କେଜିର ରୁପା ଅଳଙ୍କାର ରହିଛି। ସେହିପରି ଚଳନ୍ତି ଭଣ୍ଡାର ଘରେ ୮ ପ୍ରକାରର ୨୯୯ ଭରିର ସ୍ୱର୍ଣ୍ଣ ଓ ୨୩ ପ୍ରକାରର ୨,୬୦୩ ଭରିର ରୁପା ରହିଛି। ରତ୍ନ ଅଳଙ୍କାର ଗଣତିମଣତି ବେଳେ ତାହାକୁ ମେଳକ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର