ମନୋରଞ୍ଜନ
ଓଡ଼ିଶା
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା : ସନ୍ଦେହଘେରରେ ବୋର୍ଡ ସଭାପତିଙ୍କ ଭୂମିକା, ରିମାଣ୍ଡରେ ଆସିବେ ନିହାରଙ୍କ ସମେତ ୩ ଅଭିଯୁକ୍ତ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ଘଟଣାରେ ବୋର୍ଡ ଉପସଭାପତି ନୀହାର ରଂଜନ ମହାନ୍ତିଙ୍କ ଗିରଫଦାରୀ ପରେ ଶ୍ରୀ ମହାନ୍ତିଙ୍କ ସହ ଗତ କିଛି ଦିନ ଧରି ବୋର୍ଡ କାର୍ଯ୍ୟାଳୟର ଆଉ କେଉଁମାନେ ଅଧିକ ସମ୍ପର୍କରେ ଥିଲେ, ତାହାର ଖୋଳତାଡ଼ ଜାରି ରହିଛି। ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବୋର୍ଡ କାର୍ଯ୍ୟାଳୟର ଆଉ ଜଣେ […]
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ଘଟଣାରେ ବୋର୍ଡ ଉପସଭାପତି ନୀହାର ରଂଜନ ମହାନ୍ତିଙ୍କ ଗିରଫଦାରୀ ପରେ ଶ୍ରୀ ମହାନ୍ତିଙ୍କ ସହ ଗତ କିଛି ଦିନ ଧରି ବୋର୍ଡ କାର୍ଯ୍ୟାଳୟର ଆଉ କେଉଁମାନେ ଅଧିକ ସମ୍ପର୍କରେ ଥିଲେ, ତାହାର ଖୋଳତାଡ଼ ଜାରି ରହିଛି। ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବୋର୍ଡ କାର୍ଯ୍ୟାଳୟର ଆଉ ଜଣେ ମହିଳା ଡାଟାଏଣ୍ଟ୍ରି ଅପରେଟରଙ୍କୁ ଜେରା କରାଯାଇଛି। ସମ୍ପୃକ୍ତ ମହିଳା ଡାଟାଏଣ୍ଟ୍ରି ଅପରେଟର୍ଙ୍କ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ କି ଭୂମିକା ରହିଥିଲା, ଉପ-ସଭାପତିଙ୍କ ଲାପଟପକୁ ସେ ବ୍ୟବହାର କରିଥିଲେ କି ନାହିଁ; ସେ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଛି।
ଅପରପକ୍ଷେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନୀହାର ରଂଜନ ମହାନ୍ତି, ଡାଟାଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ୩ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାପଡ଼ିଛି। ରିମାଣ୍ଡରେ ଅଣାଗଲେ ଏମାନଙ୍କୁ ସାମ୍ନାସାମ୍ନି ଜେରା କରାଯିବା ଫଳରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ନିହାରଙ୍କ ଅର୍ଥ କାରବାର ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚ ୩ଟି ବ୍ୟାଙ୍କକୁ ଚିଠି ଲେଖିଛି। ନିହାରଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଖାତା ମଧ୍ୟ ଯାଞ୍ଚ ହେବ। ପ୍ରଶ୍ନପତ୍ର ବିକ୍ରିରେ ବଡ଼ଧରଣର ଅର୍ଥ କାରବାର ସନ୍ଦେହରେ କ୍ରାଇମବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। ବିଶେଷକରି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଟଙ୍କା କାରବାର ଉପରେ ଅଧିକ ଖୋଳତାଡ଼ କରାଯିବ। ବିଭିନ୍ନ ଜିଲ୍ଲାରୁ କେତେ ଟଙ୍କା କାହା ଜରିଆରେ ଆଦାୟ ହୋଇଛି, ସେ ସମ୍ପର୍କିତ ତଥ୍ୟ ଏମାନଙ୍କୁ ଅଧିକ ଜେରା ପରେ ମିଳିପାରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ।
ପୂର୍ବରୁ ମଧ୍ୟ ଗତ ୨୦୧୯ ଓ ୨୦୨୨ରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଉଠିଥିଲା। ସେହି ସମୟରେ ବୋର୍ଡ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତଙ୍କୁ ଜେରା କରିବ ବୋଲି କୁହାଯାଉଛି। ବୋର୍ଡ ଉପସଭାପତି ଓ ଡାଟାଏଣ୍ଟ୍ରି ଅପରେଟର୍ ଗିରଫ ହେବା ସତ୍ତ୍ବେ ବୋର୍ଡର ଆଉ କିଛି କର୍ମଚାରୀ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ନେଇ କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକଟ କରିଛି। ବୋର୍ଡ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ବାରମ୍ବାର ଆସି ବିଭିନ୍ନ ଦସ୍ତାବିଜ ଯାଞ୍ଚ କରୁଥିବା ବେଳେ ଅନ୍ୟ କର୍ମଚାରୀମାନେ ଆଶା ଆଶଙ୍କାରେ ରହିଛନ୍ତି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଛନ୍ଦି ହୋଇଥିବା ବୋର୍ଡ ପାଇଁ ଆସନ୍ତା ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପରିଚାଳନା ଏକ ବଡ ଆହ୍ବାନ ହୋଇଛି। ଏଥିପୂର୍ବରୁ ଲୋକସେବା ଭବନରେ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଆଲୋଚନା କରିଥିବା ଜଣାପଡ଼ିଛି। ଆଗାମୀ ପରୀକ୍ଷା ପରିଚାଳନାରେ କାହାର କ’ଣ ଭୂମିକା ରହିବ, ତାହାକୁ ନେଇ ବୋର୍ଡ ହରଡ଼ଘଣାରେ ପଡ଼ିଛି। ପ୍ରକାଶଥାଉକି ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫଦାରୀ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୮ରେ ପହଞ୍ଚିଛି । ଆଗକୁ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ବଢିବ ବୋଲି ଜଣାପଡିଛି।
ହାତବାନ୍ଧି ବସିଛି ଗଣଶିକ୍ଷା ବିଭାଗ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା ଅଧିକାରୀ ଓ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଗଣଶିକ୍ଷା ବିଭାଗର ପଛଘୁଞ୍ଚାକୁ ନେଇ ପ୍ରଶ୍ନ ଉଠିଛି । ପ୍ରଶ୍ନପତ୍ର ପ୍ରଘଟ ହେବା ଜାଣିବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବା କଥା। ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏପରିକି ଗିରଫ ହୋଇ ଜେଲ ଯାଇଥିବା ସତ୍ତ୍ବେ ଖୋଦ୍ ବୋର୍ଡ ଉପ-ସଭାପତି ଶ୍ରୀ ମହାନ୍ତିଙ୍କୁ ସରକାର ନିଲମ୍ବନ ମଧ୍ୟ କରାଯାଇ ନାହିଁ। ଅନୁରୂପ ଭାବେ ପରୀକ୍ଷା ପରିଚାଳନାରେ ମୁଖ୍ୟ ଦାୟିତ୍ୱରେ ଥିବା ବୋର୍ଡ ମୁଖିଆ ଶ୍ରୀକାନ୍ତ ତରାଇଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଣୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଏବଂ କିଏ ଓ କାହିଁକି ଅଭିଯୁକ୍ତଙ୍କୁ ଘୋଡ଼ାଉଛି ବୋଲି ଶିକ୍ଷାବିତ୍ମାନେ ପ୍ରଶ୍ନ କରିଛନ୍ତି।
ସନ୍ଦେହଘେରରେ ସଭାପତିଙ୍କ ଭୂମିକା
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଉପ-ସଭାପତିଙ୍କ ସମେତ ୮ଜଣ ଗିରଫ ହୋଇଛନ୍ତି। ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଭେଟିଛନ୍ତି। ଲୋକସେବା ଭବନରେ ସୋମବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି।
କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଜଣା ପଡ଼ି ନ ଥିଲେ ହେଁ ବୋର୍ଡ ସଭାପତିଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବୋର୍ଡର ସମସ୍ତ ଗୋପନୀୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦାୟିତ୍ୱ ବଣ୍ଟନ ସଭାପତିଙ୍କ କ୍ଷମତା ପରିସରଭୁକ୍ତ। ସାଧାରଣତଃ ସମ୍ପାଦକ କିମ୍ବା ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ପରିଚାଳନା କରିଥାନ୍ତି। ହେଲେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠିଛି।
ଅପରପକ୍ଷରେ ବୋର୍ଡ ଓ ଶ୍ରୀ ମହାନ୍ତିଙ୍କ ସହ ଶ୍ରୀ ତରାଇଙ୍କ ସମ୍ପର୍କ ମଧ୍ୟ ଦୀର୍ଘ ବର୍ଷରୁ ରହିଛି। ପୂର୍ବରୁ ସେ ବୋର୍ଡ ସମ୍ପାଦକ ଭାବେ ପାଖାପାଖି ୩ବର୍ଷ କାର୍ଯ୍ୟ କରିଥିବାବେଳେ ୨୦୨୩ ଡିସେମ୍ବରରୁ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାୟ ୪ ବର୍ଷର ଅବଧି ମଧ୍ୟରେ ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠତା କାରଣରୁ ଶ୍ରୀ ମହାନ୍ତିଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଣୁ ଏ ଦିଗରେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁ ବୋଲି ଶିକ୍ଷାବିତ୍ମାନେ ଦାବି କରିଛନ୍ତି।






