ଚର୍ମ କର୍କଟ ରୋକିବ ଚିଲିକା ଶୈବାଳ, ୨୦ ବର୍ଷ ଗବେଷଣା ପରେ ସାମ୍ନାକୁ ଆସିଲା ତଥ୍ୟ
ଭୁବନେଶ୍ୱର: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଜୈବ ବିବିଧତା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଭେନ୍ସା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସ୍ଥାନରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନର ଆବିଷ୍କାର କରିଛନ୍ତି। ଏହି ହ୍ରଦରେ ପ୍ରାକୃତିକ ଭାବେ ବଢ଼ୁଥିବା ଲାଲ୍ ଶୈବାଳରେ ଥିବା ଉପାଦାନ ଅତି ବାଇଗଣୀ ରଶ୍ମି କିରଣରୁ ଚର୍ମକୁ ରକ୍ଷା କରିବ। ଏଥିସହ ଚର୍ମ କର୍କଟ ରୋଗକୁ ରୋକିବାରେ ମଧ୍ୟ ବେଶ ସହାୟ ହେବ। ଚିଲିକାରୁ ଏଭଳି ଅନନ୍ୟ ଉପାଦାନର ଆବିଷ୍କାର ହୋଇଥିବାରୁ ଭାରତୀୟ […]
ଭୁବନେଶ୍ୱର: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଜୈବ ବିବିଧତା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଭେନ୍ସା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସ୍ଥାନରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନର ଆବିଷ୍କାର କରିଛନ୍ତି। ଏହି ହ୍ରଦରେ ପ୍ରାକୃତିକ ଭାବେ ବଢ଼ୁଥିବା ଲାଲ୍ ଶୈବାଳରେ ଥିବା ଉପାଦାନ ଅତି ବାଇଗଣୀ ରଶ୍ମି କିରଣରୁ ଚର୍ମକୁ ରକ୍ଷା କରିବ। ଏଥିସହ ଚର୍ମ କର୍କଟ ରୋଗକୁ ରୋକିବାରେ ମଧ୍ୟ ବେଶ ସହାୟ ହେବ। ଚିଲିକାରୁ ଏଭଳି ଅନନ୍ୟ ଉପାଦାନର ଆବିଷ୍କାର ହୋଇଥିବାରୁ ଭାରତୀୟ ବୈଜ୍ଞାନିକମାନେ ଚିଲିକା ହ୍ରଦର ଭୂୟସୀ ପ୍ରଶଂସା କରିଛନ୍ତି।
ଗବେଷଣାରେ ବ୍ୟବହୃତ ଲାଲ ଶୈବାଳ ହେଉଛି ‘ଗ୍ରାସିଲାରିଆ ଭେରୁକୋସା’ ପ୍ରଜାତିର ତଥା ‘ରୋଡୋଫାଇଟା’ ଗୋଷ୍ଠୀର ବୋଲି ଜଣାପଡ଼ିଛି। ଏଥିରେ ମିଳୁଥିବା ‘ମାଇକୋସ୍ପୋରିନ୍-ଆମିନୋ ଏସିଡ୍’ ସୂର୍ଯ୍ୟ କିରଣରୁ ନିର୍ଗତ ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବାର କ୍ଷମତା ରଖୁଛି। ଏହି ରଶ୍ମି ମନୁଷ୍ୟ ଶରୀରର ଚର୍ମରେ ଥିବା କୋଷଗୁଡ଼ିକୁ କ୍ଷତି ପହଞ୍ଚାଇଥାନ୍ତି। ଏଥିଯୋଗୁଁ କର୍କଟ ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ। ଏହି ଆବିଷ୍କାର କେବଳ କର୍କଟ ରୋଗ ନିବାରଣ ପର୍ଯ୍ୟନ୍ତ ସୀମିତ ନୁହେଁ, ‘ମାଇକୋସ୍ପୋରିନ୍-ଆମିନୋ ଏସିଡ୍’ ମଧ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ। ଏହାର ପ୍ରଭାବରେ ଚର୍ମ ଓ ବୟସର ଛାପକୁ ମଧ୍ୟ ହ୍ରାସ କରିଥାଏ। ଏହି ସାମୁଦ୍ରିକ ଶୈବାଳକୁ ରାସାୟନିକ ସନସ୍କ୍ରିନ୍ ପାଇଁ ଏକ ନିରାପଦ, ଜୈବିକ ଏବଂ ପରିବେଶ ଅନୁକୂଳ ବିକଳ୍ପ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। ଚିଲିକା ହ୍ରଦର ଜୈବବିବିଧତା ଏହି ସାମୁଦ୍ରିକ ଶୈବାଳର ବୃଦ୍ଧି ପାଇଁ ପ୍ରକୃଷ୍ଟ ପରିବେଶ। ମଧୁର ଏବଂ ଲୁଣିଆ ପାଣିର ମିଶ୍ରଣ ଏବଂ ପୁଷ୍ଟିସାରର ପ୍ରଚୁରତା ହିଁ ଏହାର ସ୍ୱତନ୍ତ୍ରତା। ଏଠାରେ ଏପର୍ଯ୍ୟନ୍ତ ୧୪ ପ୍ରଜାତିର ମାକ୍ରୋ ଶୈବାଳ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ବୈଜ୍ଞାନିକ ତଥା ଗବେଷକ କହିଛନ୍ତି, ଏହା ସନ୍ସ୍କ୍ରିନ୍ର ବିକଳ୍ପ ଭାବେ ଆମେ ବ୍ୟବହାର କରିପାରିବା। ଏହାକୁ ଆମ ତ୍ୱଚାରେ ବ୍ୟବହାର କଲେ, ଅତି ବାଇଗଣୀ ରଶ୍ମି ତ୍ୱଚା ଭିତରକୁ ପ୍ରବେଶ କରିପାରିବ ନାହିଁ। ଏହା ଦୀର୍ଘ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ବୋଲି ସେ କହିଛନ୍ତି।






