ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର : ‘୭୫ ପ୍ରତିଶତ ଶରୀର ପୋଡ଼ିଛି, ଆସନ୍ତା ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ’
ଭୁବନେଶ୍ବର : ବାଲେଶ୍ୱର ପରେ ଏବେ ବଳଙ୍ଗାରେ ଲଜ୍ଜା। ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିର ନିଆଁ ଥମି ନ ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେବାକୁ ହୋଇଛି ଉଦ୍ୟମ। ସ୍ପଷ୍ଟ ଦିବାଲୋକରେ ଏଭଳି ନାରକୀୟ କାଣ୍ଡ ଭିଆଇଛନ୍ତି ୩ ଦୁର୍ବୃତ୍ତ। ପୀଡ଼ିତା ନାବାଳିକାଙ୍କୁ ରାସ୍ତାରେ ଅଟକାଇ ମୁହଁରେ କପଡ଼ା ଦେଇ ତାଙ୍କୁ ବାଇକ୍ରେ ଉଠାଇ ନେଇଥିଲେ। ନିକଟସ୍ଥ ଭାର୍ଗବୀ ନଦୀବନ୍ଧ କଡକୁ ଟେକି ନେଇ ତାଙ୍କ ଦେହରେ ନିଆଁ ଲଗାଇ […]
ଭୁବନେଶ୍ବର : ବାଲେଶ୍ୱର ପରେ ଏବେ ବଳଙ୍ଗାରେ ଲଜ୍ଜା। ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିର ନିଆଁ ଥମି ନ ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେବାକୁ ହୋଇଛି ଉଦ୍ୟମ। ସ୍ପଷ୍ଟ ଦିବାଲୋକରେ ଏଭଳି ନାରକୀୟ କାଣ୍ଡ ଭିଆଇଛନ୍ତି ୩ ଦୁର୍ବୃତ୍ତ। ପୀଡ଼ିତା ନାବାଳିକାଙ୍କୁ ରାସ୍ତାରେ ଅଟକାଇ ମୁହଁରେ କପଡ଼ା ଦେଇ ତାଙ୍କୁ ବାଇକ୍ରେ ଉଠାଇ ନେଇଥିଲେ। ନିକଟସ୍ଥ ଭାର୍ଗବୀ ନଦୀବନ୍ଧ କଡକୁ ଟେକି ନେଇ ତାଙ୍କ ଦେହରେ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ। ନାବାଳିକାଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ସେପଟେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ସନ୍ଧ୍ୟାରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିତି ଅନୁଧ୍ୟାନ କରିବା ପରେ ଭୁ୍ବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ନାବାଳିକାର ଅବସ୍ଥା ଗୁରୁତର ଅଛି। ତାଙ୍କର ଶରୀର ୭୦ରୁ ୭୫ ପ୍ରତିଶତ ଜଳିଯାଇଛି। ଝିଅର ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଦରକାର ଅଛି। ଆଗାମୀ ୪୮ରୁ ୭୨ଘଣ୍ଟା ଗୁରୁତ୍ବପୂର୍ଣ୍ଣ । ନାବାଳିକାର ଭଲ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ବରର ମେଡିକାଲ ଟିମ୍ ଉଦ୍ୟମ କରୁଛନ୍ତି।
ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଆହୁରି ମଧ୍ୟ କହିଛନ୍ତି ଯେ ନାବାଳିକା ଜଣକ ଆଗାମୀ ୪୮ ଘଣ୍ଟା ଅବଜରଭେସନ୍ରେ ରହିବେ। ସେ ଏବେ ଭେଣ୍ଟିଲେଟରରେ ନାହାନ୍ତି। ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି। ୨୦ରୁ୨୫ ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସ୍ଥାନ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି।
ଏମ୍ସରେ ୧୪ ଜଣିଆ ଡାକ୍ତରୀ ଟିମ୍
ନାବାଳିକାଙ୍କ ଚିକିତ୍ସାରେ ଭୁବନେଶ୍ବର ଏମ୍ସର ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ନାବାଳିକା ଜଣକ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି। ଏହି ଟମ୍ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।






