ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଲାଗିବ 'IEMS': ନିୟମ ଉଲ୍ଲଂଘନ କଲେ କଟିବ ଅଟୋମାଟିକ୍ ଇ-ଚାଲାଣ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (IEMS) ଲାଗୁ କରାଯାଉଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ, ଯାହାଫଳରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜପଥକୁ ଅଧିକ ସୁରକ୍ଷିତ କରିବା ଏବଂ ବାରମ୍ବାର ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ମାର୍ଗଟି ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଂଶକୁ ସଂଯୋଗ କରୁଛି।
IEMS ଅଧୀନରେ ଅତ୍ୟାଧୁନିକ କ୍ୟାମେରା ମାଧ୍ୟମରେ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖାଯିବ। କୌଣସି ବି ମାନବୀୟ ହସ୍ତକ୍ଷେପ ବିନା ଏହି ବ୍ୟବସ୍ଥା ଦ୍ୱାରା ସ୍ୱୟଂଚାଳିତ ଭାବେ ଇ-ଚାଲାଣ ପ୍ରସ୍ତୁତ ହେବ। ପ୍ରତ୍ୟେକ ଚାଲାଣରେ ଗାଡିର ପଞ୍ଜିକରଣ ନମ୍ବର, ତାରିଖ, ସମୟ, ଜିପିଏସ ଲୋକେସନ ଏବଂ ରେକର୍ଡ କରାଯାଇଥିବା ବେଗ ସହିତ ଫଟୋ କିମ୍ବା ଭିଡିଓ ପ୍ରମାଣ ମଧ୍ୟ ରହିବ।
ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ମୁଖ୍ୟତଃ ଚାରୋଟି ପ୍ରମୁଖ ନିୟମ ଉଲ୍ଲଂଘନ ଉପରେ ନଜର ରଖାଯିବ:
1. ଅଧିକ ବେଗରେ (Over-speeding) ଗାଡି ଚଳାଇବା।
2. ବାଇକରେ ତିନି ଜଣ (Triple riding) ବସି ଯାତ୍ରା କରିବା।
3. ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିବା।
4. ଓଲଟା ପଥ (Wrong side) ରେ ଗାଡି ଚଳାଇବା।
ପରିବହନ ବିଭାଗ ପକ୍ଷରୁ ଏହି ରୁଟ୍ରେ ବିଭିନ୍ନ ଯାନବାହନ ପାଇଁ ସ୍ୱତନ୍ତ୍ର ବେଗ ସୀମା ଧାର୍ଯ୍ୟ କରାଯାଇଛି। ଏହି ବ୍ୟବସ୍ଥା ପୂର୍ବରୁ ଓଡ଼ିଶାର ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ସେଗୁଡିକ ମଧ୍ୟରେ ରାମେଶ୍ୱର-ପାଣିକୋଇଲି (NH-16), ଭୁବନେଶ୍ୱର-ପୁରୀ (NH-316), ପୁରୀ-କୋଣାର୍କ, କଟକ-ପାରାଦୀପ, ସମ୍ବଲପୁର-ମାଙ୍ଗୁଲି (NH-55), ସମ୍ବଲପୁର-ରାଉରକେଲା ଏବଂ ବାଲଙ୍ଗୀର-ତୁରେକେଲା ଆଦି ଅନ୍ତର୍ଭୁକ୍ତ।
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗାଡି ଚାଳକମାନଙ୍କୁ ଟ୍ରାଫିକ ନିୟମ ମାନିବାକୁ ଏବଂ ନିଜର ମୋବାଇଲ ନମ୍ବର ପରିବହନ ପୋର୍ଟାଲରେ ଅପଡେଟ କରିବାକୁ ପରାମର୍ଶ ଦିଆଯାଇଛି। ଜରିମାନା ପୈଠ କରିବା ପାଇଁ କେବଳ ସରକାରୀ ଇ-ଚାଲାଣ ପୋର୍ଟାଲ ବ୍ୟବହାର କରିବାକୁ କୁହାଯାଇଛି।






