ମନୋରଞ୍ଜନ
ଆବାସିକ ଛାତ୍ରୀ ନିବାସରେ ବଢ଼ୁଛି ନାବାଳିକା ଗର୍ଭବତୀ ସଂଖ୍ୟା: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଆବାସିକ ଛାତ୍ରୀ ନିବାସ ଗୁଡ଼ିକରେ ବିଗତ ଦୁଇ ବର୍ଷ ମଧ୍ୟରେ ୨୪ ଜଣ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ବିଧାନସଭାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ୨୦୨୪-୨୫ ବର୍ଷରେ ୯ଟି ମାମଲା ଏବଂ ୨୦୨୫-୨୬ ବର୍ଷରେ ୧୫ଟି ମାମଲା ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ରିପୋର୍ଟ ହୋଇଥିବା ୯ଟି ମାମଲା ମଧ୍ୟରୁ ବାଲେଶ୍ୱର, ଦେବଗଡ଼, କେନ୍ଦୁଝର, କୋରାପୁଟ, ମାଲକାନଗିରି ଏବଂ ମୟୂରଭଞ୍ଜରୁ ଗୋଟିଏ ଲେଖାଏଁ ଘଟଣା ସାମ୍ନାକୁ ଆସିଥିବା ବେଳେ ରାୟଗଡ଼ାରୁ ସର୍ବାଧିକ ୩ଟି ମାମଲା ରହିଥିଲା।
ସେହିପରି ୨୦୨୫-୨୬ ବର୍ଷରେ ମୋଟ ୧୫ଟି ମାମଲା ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୫ଟି ଏବଂ କୋରାପୁଟରୁ ୪ଟି ମାମଲା ଆସିଛି। ଏହାବ୍ୟତୀତ ଦେବଗଡ଼, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, କେତେକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଘଟଣାଗୁଡ଼ିକରେ ଏଫଆଇଆର (FIR) ରୁଜୁ କରାଯାଇ ତଦନ୍ତ ଜାରି ରହିଛି।






