ମନୋରଞ୍ଜନ
ଓଡ଼ିଶା
ଶାକାହାରୀଙ୍କ ପାଇଁ ବଢିଲା ଚିନ୍ତା: ଭାରତରେ ପ୍ରତି ୩ ଜଣ କିଶୋରରୁ ୨ ଜଣଙ୍କଠାରେ ଭିଟାମିନ୍ ବି-୧୨ର ଚରମ ଅଭାବ, ଆଇସିଏମ୍ଆରର ଚେତାବନୀ
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ କରାଯାଇଥିବା ଏକ ନୂତନ ଜାତୀୟ ସର୍ବେକ୍ଷଣରୁ ଅତ୍ୟନ୍ତ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବିଶେଷ କରି ଶୁଦ୍ଧ ଶାକାହାରୀ ଏବଂ ସ୍ୱଳ୍ପ ଆମିଷ ସେବନ କରୁଥିବା ଲୋକଙ୍କ ଶରୀରରେ ଭିଟାମିନ୍ ବି-୧୨ର ଭୟଙ୍କର ଅଭାବ ପରିଲକ୍ଷିତ ହୋଇଛି, ଯାହା ଶାରୀରିକ ଓ ମାନସିକ ବିକାଶରେ ପ୍ରତିବନ୍ଧକ ସାଜିଛି।
୨୦୨୩ରୁ ୨୦୨୫ ମଧ୍ୟରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ, କିଶୋରାବସ୍ଥାରେ ଥିବା ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ୧୦ରୁ ୧୯ ବର୍ଷ ବୟସର ପ୍ରାୟ ୬୬.୧% ବାଳକ ଏବଂ ୬୫.୪% ବାଳିକାଙ୍କ ଶରୀରରେ ଏହି ଜୀବସାରର ଅଭାବ ରହିଛି। ଏହାବ୍ୟତୀତ ଛୋଟ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ସ୍ଥିତି ସମାନ, ଯେଉଁଠି ୫ ବର୍ଷରୁ କମ୍ ୩୭.୩% ଶିଶୁ ଏବଂ ୫ରୁ ୯ ବର୍ଷର ୪୬.୫% ପିଲାଙ୍କଠାରେ ବି-୧୨ର ସ୍ତର ଯଥେଷ୍ଟ କମ୍ ରହିଛି।
ପ୍ରାପ୍ତବୟସ୍କ ଏବଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ରିପୋର୍ଟରେ ଉଦବେଗ ପ୍ରକାଶ ପାଇଛି। ୨୦ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୬୦.୪% ପୁରୁଷ ଏବଂ ୫୫.୨% ମହିଳା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ୬୩.୧% ଗର୍ଭବତୀ ମହିଳାଙ୍କ ଶରୀରରେ ଏହି ଭିଟାମିନ୍ ଅଭାବ ଥିବା ଜଣାପଡିଛି, ଯାହା ଭବିଷ୍ୟତ ପିଢ଼ିର ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।
ଭିଟାମିନ୍ ବି-୧୨ ଅଭାବରୁ ମୁଖ୍ୟତଃ ମେଗାଲୋବ୍ଲାଷ୍ଟିକ ରକ୍ତହୀନତା ହୋଇଥାଏ। ରାଜ୍ୟର ପରିସଂଖ୍ୟାନ ଅନୁଯାୟୀ ୬୦ ବର୍ଷରୁ କମ୍ ପ୍ରାୟ ୫୯.୬% ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏହି ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ସ୍ନାୟୁଗତ ଜଟିଳତା ସହ ଶାରୀରିକ ଓ ମାନସିକ ଅନଗ୍ରସରତା ଦେଖାଦେଇଥାଏ, ତେଣୁ ଖାଦ୍ୟପେୟରେ ପରିବର୍ତ୍ତନ ସହ ଡାକ୍ତରୀ ପରାମର୍ଶ ନେବା ଜରୁରି ହୋଇପଡ଼ିଛି।






