ଆଣ୍ଡରସନ- ତେନ୍ଦୁଲକର ଟ୍ରଫି, ଆଜିଠୁ ଲର୍ଡ୍ସ ଲଢେ଼ଇ…

The Sakala Picture
Published On

ଲର୍ଡ୍ସ,: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ୩ୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ଗୁରୁତ୍ୱପୂର୍ଣ୍ଣ ୩ୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ହେଡିଂଲୀରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିଥିଲା। ଏହାପରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଏଜ୍‌ବାଷ୍ଟନରେ ଖେଳାଯାଇଥିବା ୨ୟ ଟେଷ୍ଟକୁ ୩୩୬ ରନର ବୃହତ୍‌ ବ୍ୟବଧାନରେ ଜିତି […]

ଲର୍ଡ୍ସ,: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ୩ୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ଗୁରୁତ୍ୱପୂର୍ଣ୍ଣ ୩ୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ହେଡିଂଲୀରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିଥିଲା। ଏହାପରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଏଜ୍‌ବାଷ୍ଟନରେ ଖେଳାଯାଇଥିବା ୨ୟ ଟେଷ୍ଟକୁ ୩୩୬ ରନର ବୃହତ୍‌ ବ୍ୟବଧାନରେ ଜିତି ଭାରତ ଇତିହାସ ସୃଷ୍ଟି କରିଥିଲା। ସିରିଜ ଏବେ ୧-୧ରେ ବରାବର୍‌ ସ୍ଥିତିରେ ରହିଛି। ତେଣୁ ଏବେ ଉଭୟ ଦଳର ନଜର ଲର୍ଡ୍ସ ଲଢେ଼ଇ ଉପରେ ରହିଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜର ଏହି ୩ୟ ମୁକାବିଲାକୁ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ନେବା ଲକ୍ଷ୍ୟରେ ରହିଛନ୍ତି। ତେଣୁ ଏଠାରେ ଆଉ ଏକ ରୋମାଞ୍ଚକ ଲଢେ଼ଇ ଦେଖିବାକୁ ମିଳିବ ବୋଲି କ୍ରିକେଟ୍‌ ପଣ୍ଡିତ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ବ୍ୟାଟର୍‌ଙ୍କ ବେଶ୍‌ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରଥମ ଟେଷ୍ଟରେ ୭ଟି ଶତକ ଦେଖିବାକୁ ମିଳିଥିବାବେଳେ ଦୁଇ ଦଳର ମୋଟ୍‌ ସ୍କୋର ୧୬୭୩ ରନ ହୋଇଥିଲା। ସେହିଭଳି ଦ୍ୱିତୀୟ ଟେଷ୍ଟରେ ୩ଟି ଶତକ ଓ ଗୋଟିଏ ଦ୍ୱିଶତକୀୟ ପାଳି ଦେଖିବାକୁ ମିଳିଥିଲା। ଏଜବାଷ୍ଟନ ଟେଷ୍ଟରେ ଉଭୟ ଦଳର ସ୍କୋର ମିଶି ୧୬୯୨ ରନ ଥିଲା। ଫଳରେ ଦୁଇଟି ଟେଷ୍ଟରେ ରେକର୍ଡ ୩୩୬୫ ରନ ହୋଇଛି। ପ୍ରଥମ ଦୁଇ ଟେଷ୍ଟର ପିଚ୍‌କୁ ନେଇ ସମାଲୋଚନାର ଶିକାର ହେବା ପରେ ଏଥର ଆୟୋଜକ ଇଂଲଣ୍ଡ ଲର୍ଡ୍ସରେ ସମ୍ପୂର୍ଣ୍ଣ ଦ୍ରୁତ ବୋଲିଂକୁ ସହାୟତା କରୁଥିବା ୱିକେଟ୍‌ ପ୍ରସ୍ତୁତ କରିଛି। ଫଳରେ ଇଂଲଣ୍ଡର ପାରମ୍ପରିକ ଫାଷ୍ଟ ବୋଲିଂ ଫ୍ରେଣ୍ଡଲୀ ୱିକେଟ୍‌ ଚଳିତ ସିରିଜରେ ପ୍ରଥମଥର ଦେଖିବାକୁ ମିଳିବ। ଏଭଳି କ୍ଷେତ୍ରରେ ଦୁଇ ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଲଢେ଼ଇ ଜୋର୍‌ଦାର ହେବ ବୋଲି ଅନୁମାନ କରାଯାଉଛି। ଉଭୟ ଦଳ ମଧ୍ୟ ସେମାନଙ୍କ ପ୍ରମୁଖ ବୋଲିଂ ଅସ୍ତ୍ର ଯଥାକ୍ରମେ ଯଶପ୍ରୀତ୍‌ ବୁମ୍‌ରା ଓ ଜୋଫ୍ରା ଆର୍ଚରଙ୍କୁ ଏହି ଟେଷ୍ଟ ଲାଗି ଦଳରେ ସାମିଲ କରିଛନ୍ତି। ଆର୍ଚର ୪ ବର୍ଷର ବ୍ୟବଧାନ ପରେ ଟେଷ୍ଟ ଫର୍ମାଟ୍‌କୁ ଫେରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ ସହ ବାଉନ୍ସ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଅପରପକ୍ଷରେ ୨ୟ ଟେଷ୍ଟରେ ବିଶ୍ରାମ ଦେଇଥିବା ବୁମ୍‌ର ଏହି ଟେଷ୍ଟରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ବୁମ୍‌ରାଙ୍କ ସମେତ ଏଜ୍‌ବାଷ୍ଟନ ହିରୋ ଆକାଶଦୀପ୍‌, ମହମ୍ମଦ ସିରାଜ ପେସ୍‌ ବୋଲିଂ ସମ୍ଭାଳିବେ। ଦୁଇ ସ୍ପିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇବା ନେଇ ଯୋଜନା କରୁଛି। ଏଜ୍‌ବାଷ୍ଟନରେ ଦ୍ୱିଶତକ ଓ ଶତକୀୟ ପାଳି ଖେଳିଥିବା ଅଧିନାୟକ ଗିଲ୍‌ଙ୍କ ଉପରେ ସମ୍ପୂର୍ଣ୍ଣ ବ୍ୟାଟିଂ ଭାର ନ୍ୟସ୍ତ ରହିବ। ତାଙ୍କୁ ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟର, ଋଷଭ ପନ୍ତ ପ୍ରମୁଖ ସହାୟତା କରିବେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ୯୭ ବର୍ଷ ମଧ୍ୟରେ ୧୯ ଟେଷ୍ଟ ଇଂଲଣ୍ଡ ସହ ଖେଳି ୩ ବିଜୟ ଓ ୧୨ ପରାଜୟବରଣ କରିଛି। ୨୦୨୧ରେ ରାହୁଲଙ୍କ ଶତକ ବଳରେ ଭାରତ ଏଠାରେ ସ୍ମରଣୀୟ ବିଜୟ ହାସଲ କରିଥିଲା। ୪ ବର୍ଷ ପରେ ଗିଲ୍‌ ସେନା ଏହି ସଫଳତା ଦୋହରାଇପାରୁଛି କି ନାହିଁ ତାହା ଉପରେ ସମନ୍ତଙ୍କ ନଜର ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ଜାକ୍‌ କ୍ରଲୀ, ବେନ୍‌ ଡକେଟ୍ଟ, ଓଲି ପୋପ୍‌, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍‌ (ୱିକେଟ୍‌କିପର), ଜୋଫ୍ରା ଆର୍ଚର, ସୋଏବ ବସିର, ବ୍ରାୟଡନ କ୍ରାସ, କ୍ରିସ୍‌ ୱକ୍ସ।

ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟାର, ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା, ନୀତୀଶ ରେଡ୍ଡୀ, ୱାଶିଯଠନ ସୁନ୍ଦର, ଯଶପ୍ରୀତ୍‌ ବୁମ୍‌ରା, ଆକାଶଦୀପ୍‌ ଓ ମହମ୍ମଦ ସିରାଜ।

ମ୍ୟାଚ୍‌ ଆରମ୍ଭ

ଅପରାହ୍ଣ ୩:୩୦

ପ୍ରସାରଣ: ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କ

୪ ବର୍ଷ ପରେ ଖେଳିବେ ଆର୍ଚର
ତୃତୀୟ ଟେଷ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ଇଂଲଣ୍ଡ ଏହାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଏଜ୍‌ବାଷ୍ଟନରେ ଦ୍ୱିତୀୟ ଟେଷ୍ଟ ଖେଳିଥିବା ଇଂଲଣ୍ଡ ଦଳରୁ ଏକମାତ୍ର ଖେଳାଳି ଭାବେ ଦ୍ରୁତ ବୋଲର୍‌ ଜୋଶ୍‌ ଟଙ୍ଗ୍‌ଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଅଭିଜ୍ଞ ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଯାଇଛି। ଟଙ୍ଗ୍‌ ଚଳିତ ସିରିଜରେ ୧୧ ୱିକେଟ୍‌ ନେଇ ସବୁଠୁ ସଫଳ ବୋଲର୍‌ ରହିଥିଲେ। ତାଙ୍କୁ ବାଦ୍‌ ଦେଇ ଟିମ୍‌ ମ୍ୟାନେଜମେଣ୍ଟ ଏକ ବଡ଼ ରିକ୍ସ ଉଠାଇଛି। ଅପରପକ୍ଷରେ ଆର୍ଚର ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିଛନ୍ତି। ଶେଷଥର ଲାଗି ସେ ୨୦୨୧ରେ ସମାନ ଭାରତୀୟ ଦଳ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୧୯ରେ ଏହି ଗ୍ରାଉଣ୍ଡରେ ଆସେସ୍‌ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଟେଷ୍ଟ ପଦାର୍ପଣ କରିଥିବା ୩୦ ବର୍ଷୀୟ ଆର୍ଚର କ୍ୟାରିୟରର ଅଧିକାଂଶ ସମୟ ଆଘାତଜନିତ ସମସ୍ୟା ଦେଇ ଗତି କରିଛନ୍ତି। ଫଳରେ ସେ ୬ ବର୍ଷ ମଧ୍ୟରେ ମାତ୍ର ୧୩ଟି ଟେଷ୍ଟ ଖେଳି ୪୨ ୱିକେଟ୍‌ ନେଇଛନ୍ତି। ଆର୍ଚରଙ୍କ ସାମିଲ ଫଳରେ ଇଂଲଣ୍ଡ ଦଳ ଲର୍ଡ୍ସର ଏହି ଫାଷ୍ଟ୍‌ ପିଚ୍‌ରେ ଆହୁରି ଶକ୍ତିଶାଳୀ ମନେ ହେଉଛି। ଦଳରେ କ୍ରିସ୍‌ ୱକ୍ସ, ବ୍ରାୟଡନ କ୍ରାସ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ଭାବେ ୩ଜଣ ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର