‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି #ReleaseSharmistha, ଜାଣନ୍ତୁ କିଏ ଏହି ଶର୍ମିଷ୍ଠା ଓ କାହିଁକି ତାଙ୍କୁ କରାଯାଇଛି ଗିରଫ……
ନୂଆଦିଲ୍ଲୀ : ଆଇନ୍ ଛାତ୍ରୀ ତଥା ଇନ୍ଷ୍ଟାଗ୍ରାମ ଇନଫ୍ଲ୍ୟୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କ ଗିରଫ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶର୍ମିଷ୍ଠାଙ୍କୁ କୋଲକାତା ପୁଲିସ ଗିରଫ କରିବା ପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୋଲକାତା କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ ପରେ ରାଜନୀତି ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏବେ ସେ ଟ୍ରେଣ୍ଡିଂରେ ରହିଛନ୍ତି। ତାଙ୍କୁ ଗିରଫ କରିବା ଠିକ୍ […]
ନୂଆଦିଲ୍ଲୀ : ଆଇନ୍ ଛାତ୍ରୀ ତଥା ଇନ୍ଷ୍ଟାଗ୍ରାମ ଇନଫ୍ଲ୍ୟୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କ ଗିରଫ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶର୍ମିଷ୍ଠାଙ୍କୁ କୋଲକାତା ପୁଲିସ ଗିରଫ କରିବା ପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୋଲକାତା କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।
ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ ପରେ ରାଜନୀତି ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏବେ ସେ ଟ୍ରେଣ୍ଡିଂରେ ରହିଛନ୍ତି। ତାଙ୍କୁ ଗିରଫ କରିବା ଠିକ୍ ହୋଇନାହିଁ ବୋଲି ସୋସିଆଲ ମିଡିଆ ୟୁଜର୍ସମାନେ ମତ ଦେବା ସହ ତାଙ୍କ ସପକ୍ଷରେ ହଜାର ହଜାର ପୋଷ୍ଟ କରାଯାଉଛି।
ଶର୍ମିଷ୍ଠା ପାନୋଲି କିଏ ଓ କାହିଁକି ଗିରଫ ହେଲେ ?
୨୨ ବର୍ଷୀୟା ଶର୍ମିଷ୍ଠା ପାନୋଲି କୋଲକାତାର ଆନନ୍ଦପୁରର ବାସିନ୍ଦା, ଯିଏ ପୁଣେରେ ଆଇନ ପାଠ ପଢ଼ୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୧୩ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ତେବେ ସେ ବିବାଦକୁ ଆସିବା ଓ ଗିରଫ ହେବାର କାରଣ ହେଉଛି- ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ସ୍ୱରୂପ ଅପରେସନ ସିନ୍ଦୂର ମିଶନ ଆରମ୍ଭ କରିଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ମତାମତ ଦେଇଥିଲେ, କିନ୍ତୁ କିଛି ଲୋକ ନୀରବ ଥିଲେ।
କିଛି ବଲିଉଡ ସେଲିବ୍ରିଟିଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଶର୍ମିଷ୍ଠା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରି ବଲିଉଡର ‘ଥ୍ରୀ ଖାନ’ଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏତିକି ନୁହେଁ, ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ଏକ ଆପତ୍ତିଜନକ ବୟାନ ମଧ୍ୟ ଦେଇଥିଲେ ଯାହା ତାଙ୍କୁ ସମସ୍ୟାରେ ପକାଇଥିଲା। ଶର୍ମିଷ୍ଠା କିଛି ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ।
ଶର୍ମିଷ୍ଠାଙ୍କ ସେହି ଭିଡିଓ ଭାଇରାଲ ହେବା ପରେ, ଶର୍ମିଷ୍ଠାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା ଏବଂ ତାଙ୍କ ଗିରଫଦାରୀ ପାଇଁ ଦାବି ଉଠିବାକୁ ଲାଗିଲା। କେବଳ ଏତିକି ନୁହେଁ, ଶର୍ମିଷ୍ଠାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ବିବାଦ ବଢ଼ିବା ପରେ, ସେ ଭିଡିଓକୁ ଡିଲିଟ୍ କରିଦେଇ କ୍ଷମା ମାଗିଥିଲେ। କିନ୍ତୁ ମେ ୩୦ ରେ, ତାଙ୍କୁ କୋଲକାତା ପୁଲିସ ଗୁରଗାଓଁରୁ ଗିରଫ କରିଥିଲା ଏବଂ ମେ ୩୧ ରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେ ଜୁନ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।
ଶର୍ମିଷ୍ଠାଙ୍କ ଗିରଫ ପରେ
ଶର୍ମିଷ୍ଠା ପାନୋଲିଙ୍କୁ କୋଲକାତା ପୁଲିସ ଗିରଫ କରିବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଶର୍ମିଷ୍ଠାଙ୍କ ଗରିଫକୁ କଡ଼ା ବିରୋଧ କରି ନିନ୍ଦା କରିଛନ୍ତି। ସେ ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଧର୍ମନିରପେକ୍ଷତାରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ସେ କହିଛନ୍ତି। ପୁଣି ଶର୍ମିଷ୍ଠା ନିଜର ଭୁଲ ସ୍ୱୀକାର କରିବା ସହ ବିବାଦୀୟ ପୋଷ୍ଟକୁ ହଟାଇବା ପରେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଗଲ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ତେଣେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ମଧ୍ୟ ଏ ନେଇ ମମତା ସରକାରଙ୍କୁ ନିନ୍ଦା କରିଛନ୍ତି। ମମତା ପଶ୍ଚିମବଙ୍ଗକୁ ଉତ୍ତର କୋରିଆରେ ପରିଣତ କରିବାକୁ ପ୍ରୟାସ ନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।
ଅନ୍ୟପକ୍ଷରେ ମମତାଙ୍କ ଦଳର ନେତାମାନେ ପ୍ରଶ୍ନ କରିଛନ୍ତି ଯେ ବିଜେପି ଓ ଏହାର ସହଯୋଗୀ ଦଳଙ୍କ ଦୋମୁହାଁ ନୀତି ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଶାସିତ ରାଜ୍ୟରେ ବିରାଧୀଙ୍କୁ ଚୁପ କରିବା ଲାଗି କିପରି ପୁଲିସର ବ୍ୟବହାର କରୁଛନ୍ତି ତାହାର ଉଲ୍ଳେଖ କରି କହିଛନ୍ତି ଯେ କୋର୍ଟ ସେହି ସରକାରଙ୍କୁ ଭର୍ତ୍ସନା କରିବାର ନଜିର ରହିଛି। କିନ୍ତୁ ଶର୍ମିଷ୍ଠାଙ୍କ ଗିରଫଦାରୀ ସଂପୂର୍ଣ୍ଣ ରୂପେ ଆଇନ ଅନୁଯାୟୀ ହୋଇଛି ବୋଲି ସେମାନେ କହିଛନ୍ତି।






