ମନୋରଞ୍ଜନ
୪ ଦିନ ହେଲା ଆମେରିକା ସଟ୍ଡାଉନ୍, ଛୁଟିରେ ଗଲେ ୭ ଲକ୍ଷ ୫୦ ହଜାର କର୍ମଚାରୀ

ଜିଦ୍ରେ ଅଟଳ ଡେମୋକ୍ରାଟ୍ ସଦସ୍ୟ; ଅଡୁଆରେ ଟ୍ରମ୍ପ
ୱାଶିଂଟନ : ସିନେଟ୍ରେ ଅର୍ଥ ବିଲ୍ ଅନୁମୋଦନକୁ ନେଇ ଅଚଳାବସ୍ଥା ଲାଗି ରହିଥିବାରୁ ଗତ ୪ ଦିନ ଧରି ଆମେରିକା ଅଚଳ (ସଟ୍ଡାଉନ୍) ହୋଇଯାଇଛି। କେବଳ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟ ସେବା ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏପରିକି ଆମେରିକାର ମହାକାଶ ସଂସ୍ଥା ‘ନାସା’ ମଧ୍ୟ ବନ୍ଦ ହୋଇଯାଇଛି। ଦେଶର ସାେଢ଼ ସାତ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟତ ଏବେ ବିପଦ ମୁହଁକୁ ଠେଲି ହୋଇଯାଇଛି। ସାତ ଲକ୍ଷ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ କର୍ମଚାରୀ ଛଟେଇ ହେବାର ଆଶଙ୍କା ରହିଛି। ଏହାଛଡ଼ା ଅନେକ କର୍ମଚାରୀଙ୍କୁ ଏବେ ବିନା ବେତନରେ କାମ କରିବାକୁ ପଡ଼ିବ। ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଆମେରିକାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି।
ନିୟମ ଅନୁଯାୟୀ ଆମେରିକାର ବିଭିନ୍ନ ବିଭାଗ ପାଇଁ ସଂସଦ ପ୍ରତିବର୍ଷ ଅକ୍ଟୋବର ପହିଲା ତାରିଖ ସୁଦ୍ଧା ଅର୍ଥ ମଞ୍ଜୁର କରିଥାଏ। ମଞ୍ଜୁରୀ ମିଳିବା ପେରେ ୧ ତାରିଖରୁ ବିଭାଗଗୁଡ଼ିକ ବଜେଟ ଖର୍ଚ୍ଚ ଆବଣ୍ଟନ କରାଯାଏ। କିନ୍ତୁ ଏଥର ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ଏବଂ ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ମତଭେଦ ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ। ସ୍ବାସ୍ଥ୍ୟ ସେବାକୁ ମିଳୁଥିବା ସବସିଡିକୁ କାଟିବା ଲାଗି ଟ୍ରମ୍ପ ପ୍ରଶାସନ ଜିଦ୍ ଧରିଥିବା ବେଳେ ଡେମୋକ୍ରାଟିକ ପାର୍ଟି ଏହାର ବିରୋଧ କରୁଛି।ଯେଉଁ ପର୍ଯ୍ୟନ୍ତ ଏହି ସବସିଡି ବ୍ୟବସ୍ଥା ଅବ୍ୟାହତ ରଖାନଯାଇଛି, ସେପର୍ଯ୍ୟନ୍ତ ଡେମୋକ୍ରାଟ୍ ସାଂସଦ ଅର୍ଥ ବିଲକୁ ସମର୍ଥନ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆମେରିକା ସଂସଦ ବା କଂଗ୍ରେସର ନିମ୍ନ ସଦନ (ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍)ରେ ଟ୍ରମ୍ପଙ୍କ ପାର୍ଟିର ସଂଖ୍ୟାଗରିଷ୍ଠତା ଥିବା ବେଳେ ଉଚ୍ଚ ସଦନ (ସିନେଟ)ରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ଅଧିକ ସାଂସଦ ରହିଛନ୍ତି। ତେଣୁ ସିନେଟରେ ବିଲ୍ ପାସ୍ କରିବାକୁ ହେଲେ ଡେମୋକ୍ରାଟ୍ ପାର୍ଟିର ସମର୍ଥନ ଜରୁରୀ। ଫଳରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଅର୍ଥ ମଞ୍ଜୁର ହୋଇନଥିବାରୁ ଜାତୀୟ ଅର୍ଥନୀତି ପୂରା ଠପ୍ ହୋଇଟିବାର ଆଶଙ୍କା ରହିଛି।
ବିଭିନ୍ନ ଦେଶ ଉପରେ ଟ୍ରମ୍ପଙ୍କ ଅତ୍ୟଧିକ ଶୁଳ୍କ ନୀତି ଯୋଗୁଁ ଆମେରିକାର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ‘ସଟ୍ ଡାଉନ୍’ ପରିସ୍ଥିତିକୁ ଆହୁରି ବିଗାଳି ଦେବ। ତେବେ ବର୍ତ୍ତମାନ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ସେଥିରେ ବିଶେଷ କରି ଅଣ-ଅତ୍ୟାବଶ୍ୟକ ସେବା ବନ୍ଦ ହୋଇଯାଇଛି। ଯେଉଁ ସରକାରୀ କର୍ମଚାରୀଙ୍କ କାମ ଅତ୍ୟାବଶ୍ୟକ ସେ ବାରେ ଯାଉନି, ସେମାନଙ୍କୁ ଛୁଟିରେ ଯିବାକୁ କୁହାଯାଇଛି। ଦେଶରେ ସମସ୍ତ ପାର୍କ ଓ ମ୍ୟୁଜିୟମ ବନ୍ଦ ହୋଇଯାଇଛି। ଅନେକ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ହୋଇଯିବ। ବିକାଶମୂଳକ କାମରେ ଲାଗିଥିବା ଠିକା ସଂସ୍ଥା ସେମାନଙ୍କର କାମ ବନ୍ଦ କରିଦେଇଛନ୍ତି। ପାସପୋର୍ଟ ଓ ଭିସାରେ ନିେୟାଜିତ ଅଧିକାଂଶ କର୍ମଚାରୀଙ୍କୁ ଛୁଟିରେ ଯିବାକୁ କୁହାଯାଇଥିବାରୁ ଏହି ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପାସପୋର୍ଟ ଏବଂ ଭିସା ସେବା ଜାରି ରହିଥିଲେ ମଧ୍ୟ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏବେ ସମସ୍ତ ଗବେଷଣା ପ୍ରକଳ୍ପକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କେବଳ ଏତିକି ନୁହେଁ, ଦେଶର ମହାକାଶ ଗବେଷଣା ସଂସ୍ଥା ‘ନାସା’କୁ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। କେବଳ ଉପଗ୍ରହ ଓ ମହାକାଶରେ ଥିବା କେନ୍ଦ୍ରକୁ ଚାଲୁ ରଖିବା ପାଇଁ କ୍ରିଟିକାଲ ଅପରେସନ୍ ଜାରି ରହିବ। ହସପିଟାଲ ଭଳି ଅନେକ ଅତ୍ୟାବଶ୍ୟକ ସେବା ଜାରି ରହିଥିଲେ ମଧ୍ୟ କର୍ମଚାରୀଙ୍କୁ ଏବେ ଦରମା ମିଳିବାର ସମ୍ଭାବନା କମ୍ ବୋଲି କୁହାଯାଉଛି।