ଟଙ୍କା ପାଇଁ ବିବାହରେ ଫାଟ; ଛାଡ଼ପତ୍ର ପାଇଁ ୪୨ ପ୍ରତିଶତ ପୁରୁଷ ନେଇଛନ୍ତି ଋଣ...

ଟଙ୍କାକୁ ନେଇ ଝଗଡ଼ା ହୋଇଥିବା ମାନିଛନ୍ତି ୬୭%...

Deviprasad Mohanty Picture
Published On

ମୁମ୍ବଇ:ଭାରତରେ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହେବାରେ ଲାଗିଛି। ଏଥିଯୋଗୁଁ ଦିନକୁ ଦିନ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି। ଏହା କାରଣ ଜାଣିବା ଏକ ଆର୍ଥିକ ପରାମର୍ଶଦାତା କମ୍ପାନୀ କରିଥିବା ସର୍ଭେରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ବିବାହ ପରେ ୪୨ ପ୍ରତିଶତ ପୁରୁଷ ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚ ପାଇଁ ଋଣ ନେଇଛନ୍ତି। ସେହିପରି ୪୬ ପ୍ରତିଶତ ମହିଳା କାମ କରିବା ଛାଡ଼ି ଦେଇଥିଲେ କିମ୍ବା ହ୍ରାସ କରିଥିଲେ। ‘ୱାନ ଫାଇନାନ୍ସ ଆଡଭାଇଜର କମ୍ପାନୀ’ର ସର୍ଭେରୁ ଏହା ଜଣାପଡିଛି। ଏଥିରେ ଟିୟର-୧ ଏବଂ ଟିୟର-୨ ସହରର ଛାଡ଼ପତ୍ର ନେଇଥିବା କିମ୍ବା ଆବେଦନ କରିଥିବା ୧୨୫୮ ଦମ୍ପତିଙ୍କ ରାୟ ନିଆଯାଇଥିଲା। 

ସର୍ଭେରେ କୁହାଯାଇଛି ଯେ ଭରଣପୋଷଣ ଖର୍ଚ୍ଚ ଦେବା ପରେ ୨୯ ପ୍ରତିଶତ ପୁରୁଷଙ୍କ ଆୟ ନକରାତ୍ମକ ସ୍ଥିତିକୁ ଚାଲି ଯାଇଥିଲା। ଆୟର ୩୮ ପ୍ରତିଶତ ଅଂଶ ଭରଣପୋଷଣ ଦେବାରେ ଖର୍ଚ୍ଚ ହୋଇଥିଲା। ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚରେ ୧୯ ପ୍ରତିଶତ ମହିଳା ୫ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରିଥିଲେ। ସେହିପରି ୪୯ ପ୍ରତିଶତ ପୁରୁଷ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ କରିଥିଲେ। ବିବାହ ପରେ ଟଙ୍କାକୁ ନେଇ ବିବାଦ ହେଉଥିଲା ବୋଲି ୬୭ ପ୍ରତିଶତ ଲୋକ କହିଥିଲେ। ଆର୍ଥିକ ବିବାଦ ଏବଂ ଅସମାନତା ଯୋଗୁଁ ଛାଡ଼ପତ୍ର ହୋଇଥିବା ୪୩ ପ୍ରତିଶତ ସ୍ବୀକାର କରିଥିଲେ। ବିବାହ ସମୟରେ ୫୬ ପ୍ରତିଶତ ମହିଳା ନିଜ ସ୍ବାମୀଙ୍କଠାରୁ କମ୍‌ ଆୟ କରୁଥିଲେ। କେବଳ ୨ ପ୍ରତିଶତ ମହିଳା ସ୍ବାମୀଙ୍କଠାରୁ ଅଧିକ ଦରମା ପାଉଥିଲେ। 

ୱାନ ଫାଇନାନ୍ସର ସହ ପ୍ରତିଷ୍ଠାତା ତଥା ସିଇଓ କେଭଲ ଭାନଶାଲୀ କହିଛନ୍ତି ଯେ ଟଙ୍କା ହିଁ ଛାଡ଼ପତ୍ରର ମୁଖ୍ୟ କାରଣ ପାଲଟି ଯାଇଛି। ଅନ୍ୟଠାରୁ କମ୍‌ ଅର୍ଥ ଆୟ କରୁଥିବାର ଭାବନାରୁ ବିବାଦ ସୃଷ୍ଟି ହୋଇଥାଏ। ଏହା ଦାମ୍ପତ୍ୟ ଜୀବନକୁ ଛାରଖାର କରିଦିଏ। ତେଣୁ ବିବାହ ପାଇଁ ଭାବପ୍ରବଣତା ସହିତ ଆର୍ଥିକ ଭାବେ ମଝବୁତ ହେବା ମଧ୍ୟ ଜରୁରୀ। ବିଶେଷଜ୍ଞଙ୍କ ଅନୁଯାୟୀ ବିବାହ ପୂର୍ବରୁ ଟଙ୍କାକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ବର୍ତ୍ତମାନର ଋଣ, ଭବିଷ୍ୟତର ସଞ୍ଚୟ, ଉଭୟଙ୍କ ମାତାପିତାଙ୍କ ଦାୟିତ୍ବ, ଆୟରେ ଅନିଶ୍ଚିତତା ଏବଂ ଜୀବନଶୈଳୀକୁ ନେଇ ଥିବା ଆଶା ବିଷୟରେ ପୂର୍ବରୁ ଆଲୋଚନା କରିବା ଜରୁରୀ। ଏହା ଦ୍ବାରା ସମ୍ବନ୍ଧରେ ସ୍ଥିରତା ଆସିବ ଏବଂ ବିବାଦରୁ ଦୂରେଇ ରହିହେବ।

About The Author