ଆମେରିକାର ଅତିରିକ୍ତ ଶୁଳ୍କ ପ୍ରଭାବ : ରୁଷ୍‌ଠୁ ତୈଳ କ୍ରୟ ହ୍ରାସ କଲା ଭାରତ

ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ କ୍ରୟ ୩୨% ହ୍ରାସ

Satyajeet Sahoo Picture
Published On

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚଢ଼ା ଶୁଳ୍କର ପ୍ରଭାବ ଭାରତ ଉପରେ ପଡ଼ିଛି। ରୁଷଠାରୁ ତୈଳ କ୍ରୟ କରିବାକୁ ନେଇ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଟ୍ରମ୍ପଙ୍କ ଧମକ ପରେ ଏବେ ଭାରତ ରୁଷଠାରୁ ଅଶୋଧିତ ତୈଳ କ୍ରୟ ହ୍ରାସ କରିଦେଇଛି। ଡାଟା ରିସର୍ଚ୍ଚ ଏଜେନ୍ସି ‘କେପ୍‌ଲର’ ପକ୍ଷରୁ ଏହି ଦାବି କରାଯାଇଛି।

ଏହାର ରିପୋର୍ଟ ଅନୁଯାୟୀ ଭାରତ ପେଟ୍ରୋଲିୟମ (ବିପିସିଏଲ), ଇଣ୍ଡିଆନ ଅଏଲ (ଆଇଓସିଏଲ) ଭଳି ସରକାରୀ ତୈଳ ରିଫାଇନାରୀ କମ୍ପାନୀଗୁଡିକ ଗତ ସେପ୍ଟେମ୍ବରରେ ରୁଷ୍‌ଠୁ ଦିନକୁ ୬.୦୫ ଲକ୍ଷ ବ୍ୟାରେଲ ତୈଳ (ବିପିଡି) ଆମଦାନୀ କରିଥିଲେ। ଏହା ଅଗଷ୍ଟ ତୁଳନାରେ ୩୨  ପ୍ରତିଶତ ହ୍ରାସ ପାଇଛି। ସେହିପରି ଜୁନ୍‌ ତୁଳନାରେ ଏହି କମ୍ପାନୀଗୁଡିକ ୪୫ ପ୍ରତିଶତ କମ୍‌ ତୈଳ କିଣିଛନ୍ତି। କ୍ରୟ ହ୍ରାସ ଯୋଗୁଁ ସେପ୍ଟେମ୍ବରରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଆମେରିକା ଚାପ ଏବଂ ଯୋଗାଣରେ ବିବିଧତା ଆଣିବା ପାଇଁ ଅଶୋଧିତ ତୈଳ କ୍ରୟ ହ୍ରାସ ପାଇଛି। ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ନାୟରା ଏନର୍ଜି ଭଳି ଘରୋଇ ରିଫାଇନାରୀ କମ୍ପାନୀ ରୁଷ୍‌ଠୁ ତୈଳ କ୍ରୟ ବୃଦ୍ଧି କରୁଛନ୍ତି। 

ସେପ୍ଟେମ୍ବରରେ ଘରୋଇ ରିଫାଇନାରୀ କମ୍ପାନୀଗୁଡ଼ିକ ଆମଦାନୀ ବୃଦ୍ଧି ପାଇ ଦିନକୁ ୯.୭ ଲକ୍ଷ ବ୍ୟାରେଲରେ ପହଞ୍ଚି ଯାଇଛି। ଏହା ଏପ୍ରିଲରୁ ଅଗଷ୍ଟର ହାରଠାରୁ ୪ ପ୍ରତିଶତ ଏବଂ ଅଗଷ୍ଟଠାରୁ ୮ ପ୍ରତିଶତ ଅଧିକ। ଏଥିରୁ ଜଣାପଡୁଛି ଯେ ଘରୋଇ କମ୍ପାନୀଗୁଡିକ ୬୦ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ରୁଷଠାରୁ କ୍ରୟ କରୁଛନ୍ତି। ଶସ୍ତାରେ ତୈଳ ଦେଉଥିବାରୁ କମ୍ପାନୀଗୁଡିକର ଅଧିକ ଲାଭ ହେଉଛି। ଘରୋଇ କମ୍ପାନୀଗୁଡିକ ଅଶୋଧିତ ତୈଳରୁ ପେଟ୍ରୋଲିୟମ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ ଅନ୍ୟ ଦେଶକୁ ବିକି ବିପୁଳ ଲାଭ କମାଉଛନ୍ତି। ତେବେ ସରକାରୀ କମ୍ପାନୀଗୁଡିକ କିଣୁଥିବା ଅଧିକାଂଶ ତୈଳର ବ୍ୟବହାର ଘରୋଇ ଚାହିଦା ପୂରଣ ପାଇଁ ହେଉଛି। 

ଅନ୍ୟପକ୍ଷରେ ତୈଳ କ୍ରୟରେ ଆମେରିକା ଚାପକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସମାଲୋଚନା କରିଛନ୍ତି। ଗୁରୁବାର ସୋଚି ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚେତାବନୀ ଦେଇ ପୁତିନ କହିଥିଲେ ଯେ ଯଦି ଭାରତ ରୁଷ୍‌ରୁ ତୈଳ କ୍ରୟ ବନ୍ଦ କରିଦିଏ ତେବେ ୯ରୁ ୧୦ ବିଲିୟନ ଡଲାରର କ୍ଷତି ସହିବାକୁ ହେବ। ଭାରତ ଭଳି ଦେଶର ଲୋକେ ରାଜନୈତିକ ନେତୃତ୍ବଙ୍କ ନିଷ୍ପତ୍ତି ଉପରେ ତୀକ୍ଷଣ ଦୃଷ୍ଟି ରଖିଥାନ୍ତି ଏବଂ କେବେ ବି ସେମାନେ ଅପମାନ ସହ୍ୟ କରିବେ ନାହିଁ। ଆମେରିକା ଆଗରେ ଭାରତ ନଇଁବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଜାଣିଛି। ସେ କେବେ ବି ଭାରତର ସାର୍ବଭୌମ ବିରୋଧୀ ନିଷ୍ପତ୍ତି ନେବେ ନାହିଁ। 

ଏହା ମଧ୍ୟରେ ରୁଷ୍‌ ତୈଳ ନ କିଣିବା ପାଇଁ ଆମେରିକା ବାରମ୍ବାର ଭାରତ ଉପରେ ଚାପ ପ୍ରୟୋଗ କରି ଚାଲିଛି। ଟ୍ରମ୍ପଙ୍କ ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀର ଶନିବାର କହିଛନ୍ତି ଯେ ରୁଷ୍‌ଠାରୁ ତୈଳ ନ କିଣିବା ପାଇଁ ଭାରତ ପଦକ୍ଷେପ ନେଉଛି। ସେ ଭାରତର ଆଭିମୁଖ୍ୟକୁ ବ୍ୟବହାରିକ କହିଛନ୍ତି। ଭାରତ ଏକ ସାର୍ବଭୌମ ରାଷ୍ଟ୍ର। ଏହି ଦେଶ ନିଜେ ନିଜର ନିଷ୍ପତ୍ତି ନେଇଥାଏ। ଅନ୍ୟ ଦେଶ ସହ ଭାରତର ସମ୍ବନ୍ଧକୁ ବିଗାଡିବା ପାଇଁ ଆମେ ପ୍ରୟାସ କରୁନାହୁଁ।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ