ମନୋରଞ୍ଜନ
ଆଉ କିଛି ସମୟ ପରେ ଭାରତ- ପାକିସ୍ତାନ ଲଢେଇ, ପୁରୁଷଙ୍କ ପରି ମହିଳା ଖେଳାଳି ବି ମିଳାଇବେ ନାହିଁ ହାତ

କଲମ୍ବୋ : ଭାରତରେ ଚାଲିଥିବା ଆଇସିସି ମହିଳା ଦିନିକିଆର ୧୩ତମ ସଂସ୍କରଣରେ ଆଜି ଏକ ହାଇଭୋଲଟେଜ ମୁକାବିଲା ଖେଳାଯିବ। ଏଥିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିବେ। ଟୁର୍ଣ୍ଣାମେଣ୍ଟର ସହ-ଆୟୋଜକ ରହିଥିବା ଶ୍ରୀଲଙ୍କାର ଆର୍ ପ୍ରେମଦାସ ଷ୍ଟାଡିୟମରେ ଏହି ମ୍ୟାଚ୍ ରବିବାର ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ରାଜନୈତିକ କାରଣ ଲାଗି ଭାରତରେ ମ୍ୟାଚ୍ ଖେଳିବାକୁ ରାଜି ନ ହେବାରୁ ଆଇସିସି ପାକିସ୍ତାନର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲା।
ପୂର୍ବରୁ ଆୟୋଜକ ଭାରତ ଉଦ୍ଘାଟନୀ ଦିବସରେ ପ୍ରଥମ ମ୍ୟାଚରେ ୫୯ ରନରେ ଶ୍ରୀଲଙ୍କାକୁ ମାତ୍ ଦେଇ ଅଭିଯାନ ଆରମ୍ଭ କରିଥିଲା। ଅପରପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚରେ ୭ ୱିକେଟରେ ବାଂଲାଦେଶ ନିକଟରୁ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ତେଣୁ ହରମନପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଓ ନିମ୍ନକ୍ରମରେ ଅମନଜୋତ୍ କୌର ଓ ଦୀପ୍ତି ଶର୍ମା ଲଢ଼ୁଆ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଯୋଗୁ ଭାରତ ୮ ୱିକେଟରେ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚରେ କିନ୍ତୁ ସ୍ମୃତି ମନ୍ଧାନା (୮ ରନ), ଅଧିନାୟିକା ହରମନପ୍ରୀତ୍ କୌର (୨୧ ରନ) ଓ ଜେମିମା ରୋଡ୍ରିଗ୍ୱଜ (୦) ନିରାଶ କରିଥିଲେ। ତେଣୁ ଆସନ୍ତାକାଲି ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ଏହି ୩ ବରିଷ୍ଠ ଖେଳାଳିଙ୍କ ନିକଟରୁ ବଡ଼ ସ୍କୋର ଆଶାରେ ରହିଛି।
ଭାରତ ସପକ୍ଷରେ ରେକର୍ଡ:
ରେକର୍ଡ ଉପରେ ନଜର ପକାଇଲେ ମହିଳା ଦିନିକିଆ କ୍ରିକେଟରେ ଭାରତ ଓ ପାକିସ୍ତାନ ୧୧ଥର ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଭାରତୀୟ ମହିଳା ଦଳ ସମସ୍ତ ୧୧ଟି ଯାକ ମ୍ୟାଚ୍ ଜିତି ଅଗ୍ରଣୀ ରହିଛି। ତେଣୁ ରେକର୍ଡ ଭାରତ ସପକ୍ଷରେ ରହିଛି। ଶେଷଥର ଲାଗି ଦୁଇ ଦଳ ୨୦୨୨ରେ ଏକ ଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ୧୦୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା।
ଖେଳାଳି ହାତ ମିଳାଇବେ ନାହିଁ
ରବିବାର ମହିଳା ବିଶ୍ବକପ୍ରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଏସିଆ କପ୍ରେ ପୁରୁଷ କ୍ରିକେଟରଙ୍କ ପରି ଏହି ମ୍ୟାଚ୍ରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ମହିଳା ଖେଳାଳି ହାତ ମିଳାଇବେ ନାହିଁ ବୋଲି ଜାଣିବାକୁ ମିଳିଛି। ଏହା ବିଷୟରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, ଭାରତ ଉକ୍ତ ମ୍ୟାଚ୍ ଖେଳିବ ଏବଂ କ୍ରିକେଟ୍ର ସମସ୍ତ ନିୟମ ପାଳନ କରାଯିବ। ତେବେ ଉଭୟ ଦଳର ଖେଳାଳି ହାତ ମିଳାଇବେ କିମ୍ବା କୋଳାକୋଳି ହେବ; ତାହା ମୁଁ କହିପାରିବି ନାହିଁ। ଆମର ଧ୍ୟାନ ଖେଳ ଉପରେ ରାଜନୀତି ଉପରେ ନୁହେଁ। ଗତ ସପ୍ତାହକ ମଧ୍ୟରେ ଦୁଇ ଦେଶର ସମ୍ପର୍କରେ ସେପରି କିଛି ପରିବର୍ତ୍ତନ ହୋଇନାହିଁ; ବରଂ ଏହା ଖରାପ ହୋଇଛି। ଏଣୁ କ୍ରିକେଟ୍ ବୋର୍ଡ ଏଭଳି ଘଟଣାରୁ ଦୂରେଇ ରହିବାକୁ ଉଚିତ ମନେ କରୁଛି। କୌଣସି ନିୟମ ଭଙ୍ଗ କିମ୍ବା କାହାରିକୁ ଅପମାନିତ କରିବା ବିସିସିଆଇର କାମ ନୁହେଁ। ଖେଳୁଆଡ଼ ମନୋଭାବ ଓ ନିୟମ ଅନୁଯାୟୀ ଖେଳିବାକୁ ଆମେ ଗୁରୁତ୍ବ ଦେଇଛୁ ଏବଂ ଦେବୁ ମଧ୍ୟ ବୋଲି ସାଇକିଆ କହିଥିଲେ।