ପୁଲିସ ଚାକିରି ବେପାର : ଚେର ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ୍‌, ବଡ଼ବଡ଼ିଆଙ୍କୁ ହାତ ପାଉନି

Satyajeet Sahoo Picture
Published On

ଭୁବନେଶ୍ୱର/ବ୍ରହ୍ମପୁର : ଓଡ଼ିଶା ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୪ ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୮ ଜଣ ଗିରଫ ହୋଇଛନ୍ତି। ମାତ୍ର ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ପ୍ରକୃତ ମାଷ୍ଟରମାଇଣ୍ଡ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ। ପରୀକ୍ଷା ପରିଚାଳନା କରିବା ପାଇଁ ଟେଣ୍ଡର ପାଇଥିବା କେନ୍ଦ୍ରୀୟ ପିଏସ୍‌ୟୁ ଆଇଟିଆଇ ଲିମିଟେଡ୍‌ର କୌଣସି ଅଧିକାରୀଙ୍କୁ ଜେରା କରାଯାଇ ନାହିଁ। ସେହି କମ୍ପାନୀଠାରୁ ସବ୍‌ ଟେଣ୍ଡର ପାଇଥିବା ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ସିଲିକନ୍‌ଠାରୁ ସବ୍‌ ଟେଣ୍ଡର ନେଇଥିବା ପଞ୍ଚସଫ୍ଟ ଟେକ୍ନୋଲୋଜି ମଧ୍ୟରେ ହିଁ ତଦନ୍ତ ସୀମିତ ରହିଛି। 

ଅପରପକ୍ଷରେ ପୂର୍ବତନ ଜେଲ୍‌ ଡିଆଇଜି କୁଳମଣି ବେହେରାଙ୍କ ପୁଅ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ଏସ୍‌ଆଇ ପରୀକ୍ଷା ପରିଚାଳନା କରୁଥିବା ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ (ଓପିଆର୍‌ବି)ର ଅଧ୍ୟକ୍ଷ ଜେଲ୍‌ ବିଭାଗର ଡିଜି ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କର ସମ୍ପୃକ୍ତିକୁ େନଇ ମଧ୍ୟ ଅଭିଯୋଗ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ଆଇଟିଆଇ ଲିମିଟେଡ୍‌ ଟେଣ୍ଡର ପାଇଥିବା ବେଳେ କେଉଁ ପରିସ୍ଥିତିରେ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦେଲା ଓ ସିଲିକନ୍‌ ଟେକ୍‌ଲାବ୍‌ କିପରି ପଞ୍ଚସଫ୍ଟକୁ ସବ୍‌ କଣ୍ଟ୍ରାକ୍ଟ ଦେଇଛି, ତାହା ସନ୍ଦେହଘେରରେ। ଏହି ସବ୍‌ଲେଟିଂ ଘଟଣା ସମ୍ପର୍କରେ ଓପିଆର୍‌ବିକୁ ସୂଚନା ମିଳିଥିଲା କି ନାହିଁ ଓ ଯଦି ମିଳିଥିଲା, ତେବେ ସରକାରଙ୍କ କେଉଁ ନିର୍ଦ୍ଦେଶ ବଳରେ ଓପିଆର୍‌ବି ଏହି ଅନୁମତି ଦେଇଥିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାକିରି ବିକ୍ରି ଘଟଣାରେ ସିଲିକନ୍‌ ଓ ପଞ୍ଚସଫ୍ଟର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ମାତ୍ର ସିଲିକନ୍‌ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ଶାଶ୍ୱତୀ  ମିଶ୍ର, ଶ୍ରୀନିବାସଭେଙ୍କଟରମଣା ଇରାଙ୍କି ଓ ସମୀର କୁମାର ରଥ,  ପଞ୍ଚସଫ୍ଟର ନିର୍ଦ୍ଦେଶକ ଥିବା ଶଙ୍କର ପୃଷ୍ଟି ଓ ଦିପ୍ତିମୟୀ ସାହୁଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଘଟଣାକୁ ୫ଦିନ ଅତିକ୍ରମ କରିଥିଲେ ମଧ୍ୟ ପୁଲିସ୍‌ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ପାରିନି।  ଚାକିରି ବିକ୍ରି ଘଟଣାରେ ବହୁ ବଡ଼ବଡ଼ିଆଙ୍କ ହାତ ଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ହୋଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୯୩୩ଟି ଏସ୍‌ଆଇ ପଦ ମଧ୍ୟରୁ ପ୍ରାୟ ୫୦୦ ପଦ ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ଏବଂ ଏଥିପାଇଁ ସାରା ରାଜ୍ୟରେ ଚାକିରି ଦଲାଲମାନଙ୍କୁ ସକ୍ରିୟ କରାଯାଇଥିଲା। ଗଞ୍ଜାମଠାରୁ ଆରମ୍ଭ କରି ବାଲେଶ୍ୱର, ବଲାଙ୍ଗିର ଓ ମାଲକାନଗିରି ପର୍ଯ୍ୟନ୍ତ ଜାଲ ବିଛାଇ ପରୀକ୍ଷାର୍ଥୀ ଯୋଗାଡ଼ କରିଥିଲେ।  ବୌଦ୍ଧ ଜିଲ୍ଲା ବୁଟୁପାଲିର ପ୍ରଭୁଦତ୍ତ ମହାରଣା ଓ ତାଙ୍କ ସାନ ଭାଇ ସମ୍ୟକ ମହାରଣା ଟଙ୍କା ଦେଇ ଚାକିରି କରିବାକୁ ଉଦ୍ୟମ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ମୁରିବାହାର ଥାନା ପତ୍ରାପାଲିର ମୁନ୍‌କି ରାଜପଲିଆ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ନାଗ ମଧ୍ୟ ଧରାପଡ଼ିଛନ୍ତି। ସେହିପରି ଏକାଧିକ ରାଜନୈତିକ ବ୍ୟକ୍ତି ମଧ୍ୟ ଚାକିରି କରିବା ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୩୩ଜଣ ଆଶାୟୀ ପ୍ରାର୍ଥୀ ଧରାପଡ଼ିଥିବାବେଳେ ଗଞ୍ଜାମରୁ ୨୫, ଢେ଼ଙ୍କାନାଳରୁ ୧୨, ଖୋର୍ଦ୍ଧାରୁ ୯, ବରଗଡ଼ରୁ ୭, ନୟାଗଡ଼ରୁ ୫, ପୁରୀରୁ ୪, ବୌଦ୍ଧ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ଏବଂ ସୋନପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର, କଳାହାଣ୍ଡି ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ ଆଶାୟୀ ଧରା ପଡ଼ିଛନ୍ତି। ସେହିପରି ଅନୁଗୋଳ, କେନ୍ଦୁଝର, ରାୟଗଡ଼ା ଓ ନୂଆପଡ଼ାରୁ ଜଣେ ଲେଖାଏଁ ପ୍ରାର୍ଥୀ ବନ୍ଧା ହୋଇଛନ୍ତି।

ବାରଙ୍ଗରୁ ଆଉ ଜଣେ ଦଲାଲ ଗିରଫ

 ପୁଲିସ ଏସ୍‌ଆଇ ଚାକିର ବିକ୍ରି ରାକେଟ୍‌ର ଦୁଇ ପ୍ରମୁଖ ଅଭିଯୁକ୍ତ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କ ପତ୍ତା ପାଉନାହିଁ ପୁଲିସ। ଦୁହିଁଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଥିଲେ ବି ସେମାନେ ଫେରାର ଅଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ଭୁବନେଶ୍ୱର ବାରଙ୍ଗ ଅଞ୍ଚଳରୁ ଅନ୍ୟ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଦଲାଲ ହେଲେ ବାରଙ୍ଗ ଥାନା ବିଦ୍ୟାଧରପୁର ଗ୍ରାମର ବିଶ୍ୱରଞ୍ଜନ ବେହେରା। ଅଭିଯୁକ୍ତ ବିଶ୍ୱରଞ୍ଜନ ଏହି ଘଟଣାରେ ଜଣେ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରୁଥିଲେ। ଏହି ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱରଞ୍ଜନ ଆଶାୟୀ ପ୍ରାର୍ଥୀଙ୍କ ସହିତ ନିୟମିତ ଯୋଗାଯୋଗ କରୁଥିଲେ। ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କ ଅରିଜିନାଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ୍‌ ଚେକ୍‌ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଏହି କାଗଜପତ୍ର ଗୁଡିକୁ ସିଣ୍ଡିକେଟ୍‌ର ଅନ୍ୟ ଜଣେ ସଦସ୍ୟଙ୍କୁ ସେ ହସ୍ତାନ୍ତର କରିଥିଲେ ।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ