ଆମେରିକାର ହାଭାର୍ଡ କେନେଡି ସ୍କୁଲରେ ସାର୍ବଜନୀନ ନୀତି ଓ ଶାସନ ଉପରେ ଆଲୋଚନା କଲେ ଭିକେ ପାଣ୍ଡିଆନ
ଭୁବନେଶ୍ୱର: ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚାର ପରିଧିରେ ରହିଛନ୍ତି ପୂର୍ବତନ ଆଇଏଏସ୍ ତଥା ପୂର୍ବ ‘୫-ଟି’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ଆମେରିକାର ହାର୍ଭାର୍ଡ କେନେଡି ସ୍କୁଲରେ ସାର୍ବଜନୀନ ନୀତି ଓ ଏକ ଉତ୍ତରଦାୟୀ ପ୍ରଶାସନରେ ‘୫-ଟି’ ଉପକ୍ରମ ସମ୍ପର୍କରେ ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଅକ୍ଟୋବର ୬ରେ ହାର୍ଭାର୍ଡ କେନେଡି ସ୍କୁଲରେ ପ୍ରଫେସର ଜେଫ୍ରି ଲିବମ୍ୟାନଙ୍କ ସହ ପାଣ୍ଡିଆନ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। ଏହି ଅବସରରେ ସାର୍ବଜନୀନ ନୀତି, ଶାସନ ବ୍ୟବସ୍ଥା, ପ୍ରଶାସନିକ ନବସୃଜନ ଏବଂ ତୃଣମୂଳସ୍ତରରେ ସରକାରୀ ସେବା ପହଞ୍ଚାଇବା ଭଳି ବିଷୟ ଆଲୋଚନାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ଓଡ଼ିଶାରେ ପ୍ରଶାସନିକ ସଂସ୍କାର ଓ ଏକ ଉତ୍ତରଦାୟୀ ସରକାରୀ ବ୍ୟବସ୍ଥା କାର୍ଯ୍ୟାନ୍ୱୟନରେ ତାଙ୍କ ଅଭିଜ୍ଞତା ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇଛି।
ଓଡ଼ିଶାରେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଶ୍ରୀ ପାଣ୍ଡିଆନଙ୍କ ପ୍ରଶାସନିକ ଭୂମିକା ସହ ୫ଟି ଉପକ୍ରମ ବିଶେଷ ଭାବେ ଜଡ଼ିତ । ‘୫ଟି’ର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରଯୁକ୍ତି, ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ସମୟସୀମା ଓ ରୂପାନ୍ତରଣକୁ ପ୍ରଶାସନିକ କାର୍ଯ୍ୟଧାରାରେ ସାମିଲ କରିବା। ଏହା ମାଧ୍ୟମରେ ସରକାରୀ ସେବା ପ୍ରଦାନରେ ପ୍ରଯୁକ୍ତିର ବ୍ୟବହାର, ଅଭିଯୋଗର ତ୍ୱରିତ ସମାଧାନ ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକୁ ଅଧିକ ସମୟବଦ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ର, ଧାର୍ମିକ ପ୍ରତିଷ୍ଠାନର ରୂପାନ୍ତରଣ ସହ ଐତିହ୍ୟସ୍ଥଳୀର ବିକାଶ ଏବଂ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ଏହି ପ୍ରଶାସନିକ ମଡେଲ୍ର ପ୍ରୟୋଗ ହୋଇଥିଲା। ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ସୁଧାର, ସ୍ମାର୍ଟ କ୍ଲାସ୍ରୁମ୍, ବିଜ୍ଞାନାଗାର, କ୍ରୀଡ଼ା ଓ ଅନ୍ୟାନ୍ୟ ସୁବିଧାର ବିକାଶକୁ ଗୁରୁତ୍ୱ ମିଳିଥିଲା। ଏହା ସହ ବିଭିନ୍ନ ଜିଲ୍ଲା ଓ ସହରରେ ସରକାରୀ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ରୂପାନ୍ତରଣ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିଥିଲା। ‘ମୋ ସରକାର’ ମାଧ୍ୟମରେ ତୃଣମୂଳସ୍ତରରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ହୋଇଥିଲା। ‘ମୋ ସରକାର’ ଓ ୫ଟି ଭଳି ପଦକ୍ଷେପ ମାଧ୍ୟମରେ ସରକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ଉପରେ ଫିଡ୍ବ୍ୟାକ୍ ନେବା ଏବଂ ପ୍ରଶାସନିକ ଉତ୍ତରଦାୟିତ୍ୱ ବଢ଼ାଇବା ଉପରେ ଜୋର ଦିଆଯାଇଥିଲା। ଏହି ପ୍ରଶାସନିକ ପଦକ୍ଷେପଗୁଡ଼ିକ ଓଡ଼ିଶାରେ ସରକାରୀ ସେବା ଓ ଭିତ୍ତିଭୂମିର ରୂପାନ୍ତର ସହ ଜଡ଼ିତ ଥିଲା।
ଚଳିତ ବର୍ଷ ଜୁଲାଇରେ ଭୂମିକମ୍ପରେ ପ୍ରଭାବିତ ଭେନେଜୁଏଲା ଗସ୍ତ କରି ପାଣ୍ଡିଆନ ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର, ରିଲିଫ୍, ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଞ୍ଚଳ ବୁଲିବା ସହ ଉଦ୍ଧାରକାରୀ ଦଳ, ଅଧିକାରୀ ଓ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ଭେନେଜୁଏଲାର ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇଥିଲା। ଏହି ସମୟରେ ଓଡ଼ିଶା ଓ ଭାରତର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତା ସମ୍ପର୍କରେ ସେ ଅବଗତ କରାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷକରି ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାର ଆଗୁଆ ସତର୍କ ସୂଚନା, ବ୍ୟାପକ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳ ବ୍ୟବସ୍ଥା ଏବଂ ତୃଣମୂଳସ୍ତରରେ ପ୍ରସ୍ତୁତିକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଆସିଛି। ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏହି କ୍ଷେତ୍ରରେ ନିଜର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲା। ଭେନେଜୁଏଲାରେ ଏହି ଅଭିଜ୍ଞତାର ଆଦାନପ୍ରଦାନ ପରେ ଏବେ ହାର୍ଭାର୍ଡରେ ଶାସନ ଓ ସାର୍ବଜନୀନ ନୀତି ଉପରେ ଆଲୋଚନା ତାଙ୍କର ପ୍ରଶାସନିକ ଅଭିଜ୍ଞତାକୁ ପୁଣି ଆନ୍ତର୍ଜାତୀୟ ଚର୍ଚ୍ଚାର ପରିସରକୁ ଆଣିଛି।






