୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର: ସଡକ ଓ ଗୃହ ନିର୍ମାଣ ବିଭାଗ ଦୁର୍ନୀତି ମାମଲାରେ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ୯.୨୪ କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲାରେ ୩ ସରକାରୀ ଅଧିକାରୀ ଗିରଫ । ଭୁବନେଶ୍ୱରସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ, ଆର ଆଣ୍ଡ ବି ଡିଭିଜନ୍-୧ କାର୍ଯ୍ୟାଳୟରେ ହୋଇଥିବା ୯.୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି।
ଏହି ମାମଲାରେ ନୂତନ ଭାବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ ଅଫିସର ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣ ଚନ୍ଦ୍ର ବେହେରା, ପୁରୀ ଆର ଆଣ୍ଡ ବି ଡିଭିଜନର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍-୧ର ପିଅନ କୁମୁଦ ସାହୁ। ସମସ୍ତ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା।
ଏହି ମହାଦୁର୍ନୀତି ଘଟଣାରେ ମୋଟ ୯,୨୪,୧୦,୧୯୩ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୨୧/୨୦୨୬ ରୁଜୁ କରାଯାଇଛି। ଏହାପୂର୍ବରୁ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟ ଅଭିଯୁକ୍ତ ତଥା ସେକ୍ସନ୍ ଅଫିସର ବନଲତା ମହାନ୍ତି ଏବଂ କନିଷ୍ଠ ସହାୟକ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ନାୟକ ଜାଲ୍ ବିଲ୍ ଗୁଡ଼ିକୁ ବିନା ବାଧାରେ ପାସ୍ କରାଇବା ପାଇଁ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଫୋନ୍ପେ ମାଧ୍ୟମରେ ୩.୯୦ ଲକ୍ଷ ଟଙ୍କା ଦେଇଥିଲେ। ମାର୍ଚ୍ଚ ୨୦୨୫ ରୁ ଜୁଲାଇ ୨୦୨୬ ମଧ୍ୟରେ ମୋଟ ୧୧ ଥର ଏହି ଟଙ୍କା ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ, ପୂର୍ବରୁ ଏହି ଅଫିସରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଥିବା ବିଶ୍ୱନାଥ ଦାସ ନିଜର, ନିଜ ମା'ଙ୍କ ଏବଂ ସମ୍ପର୍କୀୟ କାହ୍ନୁ ଚରଣ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମୁଖ୍ୟ ଅଭିଯୁକ୍ତଙ୍କୁ ଦେଇଥିଲେ। ଗ୍ରାଚ୍ୟୁଇଟି ଏବଂ ଛୁଟି ଦରମା ବାବଦକୁ ହଡ଼ପ ହୋଇଥିବା ଟଙ୍କା ଏହି ଆକାଉଣ୍ଟଗୁଡ଼ିକୁ ପଠାଯାଉଥିଲା। ତଦନ୍ତରୁ ଜଣାପଡିଛି ଯେ ତାଙ୍କ ମା'ଙ୍କ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କା, କାହ୍ନୁଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଏବଂ ନିଜ ଆକାଉଣ୍ଟରେ ୩୭ ଲକ୍ଷ ଟଙ୍କା ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଥିରୁ କିଛି ଅଂଶ ସେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାଇଥିଲେ ଏବଂ ବାକି ନଗଦ ଆକାରରେ ଉଠାଇ ନେଇଥିଲେ।
ସେହିପରି ପିଅନ କୁମୁଦ ସାହୁ ନିଜ ପତ୍ନୀଙ୍କ ଆକାଉଣ୍ଟ ନମ୍ବର ଦେଇ ଗ୍ରାଚ୍ୟୁଇଟି ବାବଦକୁ ୧୧,୨୫,୧୨୦ ଟଙ୍କା ହାତେଇଥିଲେ। ପରେ ତାହାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉଠାଇ ନେଇଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।






