ମନୋରଞ୍ଜନ
ରଥଯାତ୍ରା ମହାବିଭ୍ରାଟ; ନବୀନଙ୍କ ଉଦ୍ବେଗ, ମହାପ୍ରଭୁ ଦାୟୀଙ୍କୁ କ୍ଷମା କରିଦିଅନ୍ତୁ
ଭୁବନେଶ୍ୱର: ରଥଯାତ୍ରା ପରିଚାଳନାରେ ମହାବିଭ୍ରାଟ ଏବଂ ଭିଡ଼ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ଅପାରଗତା ରାଜ୍ୟ ତଥା ଜାତୀୟସ୍ତରରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରଥଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହୁଁ ବୋଲି ନବୀନ କହିଥିବା ବେଳେ ଭୟଙ୍କର ବିଭ୍ରାଟ ଓ ବିଶୃଙ୍ଖଳା ପାଇଁ […]
ଭୁବନେଶ୍ୱର: ରଥଯାତ୍ରା ପରିଚାଳନାରେ ମହାବିଭ୍ରାଟ ଏବଂ ଭିଡ଼ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ଅପାରଗତା ରାଜ୍ୟ ତଥା ଜାତୀୟସ୍ତରରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରଥଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହୁଁ ବୋଲି ନବୀନ କହିଥିବା ବେଳେ ଭୟଙ୍କର ବିଭ୍ରାଟ ଓ ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ କ୍ଷମା କରିଦିଅନ୍ତୁ ବୋଲି “ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଚକା ଆଖି ସବୁ ଦେଖୁଛି। ତେଣୁ କଣ ପାଇଁ ଏମିତି ଅଘଟଣ ଘଟିଲା, ଭୟଙ୍କର ବିଭ୍ରାଟ ହେଲା ସେନେଇ ସରକାର ଆତ୍ମଚିନ୍ତନ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି। ନବୀନଙ୍କ ପରାମର୍ଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସରକାର ଅଯଥା ଯୁକ୍ତି ନକରି ନିଜର ତ୍ରୁଟିକୁ ସ୍ୱୀକାରନ୍ତୁ ବୋଲି ମତ ପ୍ରକାଶ ପାଇଛି। ଆଡ଼ପ ମଣ୍ଡପ ଦର୍ଶନଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରିବିଜେ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେନେଇ ସରକାର ସଚେତନ ଭାବେ କାମ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।
“ଏକ୍ସ’ରେ ନବୀନ କହିଛନ୍ତି ଯେ ନନ୍ଦିଘୋଷ ରଥଟଣାରେ ଅଯଥା ବିଳମ୍ୱ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ୱା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ସେଥିପାଇଁ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ। ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବର୍ଷ ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗଡେ଼ଇ ଦିଆଗଲା। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ଭାବେ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା ଯେ ‘ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ।’ ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ। ଶେଷରେ ଚକା ଆଖି ସବୁ ଦେଖୁଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି।
ଅପରପକ୍ଷେ ନବୀନଙ୍କ ପରାମର୍ଶକୁ ରାଜ୍ୟ ସରକାର ବିନା ଦ୍ୱିଧାରେ ଗ୍ରହଣ କରିବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଗତବର୍ଷ ରଥଯାତ୍ରାରେ ଏକାଧିକ ବିଭ୍ରାଟ ଘଟିଥିଲେ ହେଁ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କଲେନାହିଁ। ବଡ଼ଠାକୁର ବଳଭଦ୍ର ରଥରୁ ପଡ଼ିଯିବା ପରି ମହାବିଭ୍ରାଟ ଘଟିଥିଲେ ହେଁ ଏହାର ତଦନ୍ତ ରିପୋର୍ଟ ଏଯାବତ୍ ସାର୍ବଜନୀନ କରାଗଲା ନାହିଁ କିମ୍ବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସରକାରଙ୍କ ଏପରି ଖାମଖିଆଲି ମନୋଭାବ ଚଳିତବର୍ଷର ଅବ୍ୟବସ୍ଥା, ବିଭ୍ରାଟକୁ ବାଟ କଢ଼ାଇ ନେଲା। ଏହାପରେ ବି ସରକାର ନିଜ ତ୍ରୁଟିକୁ ଗ୍ରହଣ କରିବାକୁ ନାରାଜ। କେଉଁ ପରିସ୍ଥିତିରେ ଏକାଧିକ ବିଭ୍ରାଟ ଘଟିଲା, ତାହାର ପୁଙ୍ଖନାପୁଙ୍ଖ ତଦନ୍ତ କରାଯାଉ। ଗୁଣ୍ଡିଚା ଯାତ୍ରାର ବାକି ଉତ୍ସବ, ନୀତିକାନ୍ତି ଯେପରି ଶୃଙ୍ଖଳାର ସହ ସମାପନ ହେବ, ତାହାକୁ ସରକାର ସର୍ବାଧିକ ପ୍ରାଥମିକତା ଦେବାକୁ ଭକ୍ତ ମହଲରେ ଦାବି ହୋଇଛି।






