ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ, ଆଜି ଓଷୁଅ ଲାଗି
ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଦାରୁବିଗ୍ରହଙ୍କ ଉପଚାର ପାଇଁ ଚାଲିଛି ଗୁପ୍ତ ସେବା। ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ସେବା କରୁଛନ୍ତି। ସୋମବାର ଦାରୁଦିଅଁଙ୍କୁ ଲାଗି ହୋଇଛି ଫୁଲୁରୀ ତେଲ। ମଙ୍ଗଳବାର ଠାକୁରଙ୍କୁ ଓଷୁଅ ଲାଗି କରାଯିବ। ତେବେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ […]
ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଦାରୁବିଗ୍ରହଙ୍କ ଉପଚାର ପାଇଁ ଚାଲିଛି ଗୁପ୍ତ ସେବା। ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ସେବା କରୁଛନ୍ତି। ସୋମବାର ଦାରୁଦିଅଁଙ୍କୁ ଲାଗି ହୋଇଛି ଫୁଲୁରୀ ତେଲ। ମଙ୍ଗଳବାର ଠାକୁରଙ୍କୁ ଓଷୁଅ ଲାଗି କରାଯିବ। ତେବେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଛି। ପ୍ରତିବର୍ଷ ଅଣସରରେ ମଠ ୬ ସେର ଏବଂ କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଯୋଗାଇ ଦେଇଥାଏ।
ବର୍ଷକ ଆଗରୁ ୨୪ ପ୍ରକାର ସାମଗ୍ରୀରେ ଏହାକୁ ପ୍ରସ୍ତୁତି କରାଯାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ କେତକୀ, ମଲ୍ଲୀ, ଚମ୍ପା, ଜୁଇ, ଜାଇ, ହେନା ଭଳି ୧୪ ପ୍ରକାର ଫୁଲ, ବେଣାଚେର, ଗୁଳୁଚି ଭଳି ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଇଥାଏ ବୋଲି ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସଗୋସ୍ୱାମୀ କହିଛନ୍ତି। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ପାଇଁ ସୋମବାର ଅପରାହ୍ଣରେ ମଠର ଦୁଇଜଣ କର୍ମଚାରୀ ୨ଟି ହାଣ୍ଡିରେ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିର ଗାରଦରେ ପହଞ୍ଚାଇଥିଲେ। ସନ୍ଧ୍ୟାରେ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଏହାପରେ ଅଣସର ଘର ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଥିଲା। ଫୁଲୁରୀ ତେଲକୁ ପତିମହାପାତ୍ର ସେବକ ତିନିଟି ରୁପା ପିଙ୍ଗଣରେ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ।
ଫୁଲୁରୀ ତେଲ ଲାଗି ପରେ ପ୍ରଭୁଙ୍କୁ ଶୟନ ଅବସ୍ଥାରୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଲୋକମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡ଼ାଇବାକୁ କରାଯାଉଛି ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ମାଲିସ୍ ହୋଇଛି ଫୁଲୁରୀ ତେଲ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏଥିରେ ମିଶୁଥିବା ସମସ୍ତ ପ୍ରକାର ଫୁଲ ଏବଂ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି। ଏଣୁ ଦାରୁଦିଅଁମାନେ ଅତ୍ୟଧିକ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବା କଳ୍ପନା କରାଯାଇ ଏହି ତେଲ ମର୍ଦ୍ଦନ କରାଯାଇଥାଏ।






