ମନୋରଞ୍ଜନ
ରାମକୃଷ୍ଣଙ୍କ ନିକଟରୁ ୭ ଦିନରେ ଉତ୍ତର ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ, ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ
ପୁରୀ : ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଣ୍ଣନା କରିବା ବିବାଦ ତୁଟି ନାହିଁଁ। ଏହାକୁ ନେଇ ସାରା ଦେଶରେ ମମତା ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟରେ ନବକଳେବର ବଳକା ଦାରୁରେ ଦୀଘା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରାଯାଇଥିବା ଚର୍ଚ୍ଚା ହେବା ପରେ ଏହି ବିବାଦ ଅଧିକ ଘନୀଭୂତ ହୋଇଛି। ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ଏହା ଆଘାତ ଦେଇଛି। ଏହି […]
ପୁରୀ : ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଣ୍ଣନା କରିବା ବିବାଦ ତୁଟି ନାହିଁଁ। ଏହାକୁ ନେଇ ସାରା ଦେଶରେ ମମତା ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟରେ ନବକଳେବର ବଳକା ଦାରୁରେ ଦୀଘା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରାଯାଇଥିବା ଚର୍ଚ୍ଚା ହେବା ପରେ ଏହି ବିବାଦ ଅଧିକ ଘନୀଭୂତ ହୋଇଛି। ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ଏହା ଆଘାତ ଦେଇଛି।
ଏହି ଚର୍ଚ୍ଚା ପଛରେ କେତେ ସତ୍ୟ ରହିଛି ତାହା ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି। ପୂର୍ବରୁ ଦୀଘା ମନ୍ଦିରରେ ୩ ମୁଖ୍ୟ ବିଗ୍ରହଙ୍କ ମୂର୍ତ୍ତି ପଥରରେ ନିର୍ମାଣ କରାଯାଇଥିବା କୁହାଯାଉଥିଲା; ପରବର୍ତ୍ତୀ ସମୟରେ ଏହା କାଠରେ ନିର୍ମାଣ ହୋଇଥିବା ଏବଂ ପୁରୀରେ ମହାପ୍ରଭୁମାନଙ୍କର ନବକଳେବର ସମୟରେ ବଳକା ଦାରୁ ବ୍ୟବହାର କରାଯାଇଥିବା ଅଭିଯୋଗ ହେବାପରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରିଛନ୍ତି। ଦୀଘା ମନ୍ଦିରରେ ତିନି ଠାକୁରଙ୍କ ନିର୍ମାଣରେ ନବକଳେବରର ବଳକା ଦାରୁ ବ୍ୟବହାର ହୋଇଛି କି ନାହିଁ; ଯଦି ହୋଇଥାଏ କେଉଁ ପରିସ୍ଥିତିରେ ଓ କାହିଁକି ଏପରି କାର୍ଯ୍ୟ କରାଗଲା ସେ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଉତ୍ତର ଲୋଡ଼ିଛି।
ଦ୍ୱନ୍ଦ୍ୱାତ୍ମକ ମନ୍ତବ୍ୟ ଦ୍ୱାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମାନସରେ ବିଭ୍ରାନ୍ତି ସୃଷ୍ଟି ଓ ଶ୍ରୀମନ୍ଦିର ଗରିମାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ଦଇତାପତି ସେବକ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସ ପାଇବାର ୭ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି। ଏହି ସମୟ ଭିତରେ ସନ୍ତୋଷଜନକ କୈଫିୟତ୍ ହସ୍ତଗତ ନ ହେଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି।
ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଅବସରରେ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ଶ୍ରୀ ଦାସମହାପାତ୍ର ଏକ ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇଥିବା ଅଭିଯୋଗ ହୋଇଛି। ମାତ୍ର ଶ୍ରୀ ଦାସମହାପାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଖଣ୍ଡନ କରିଥିଲେ ଓ ଦୀଘା ମନ୍ଦିରରେ ତିନି ଠାକୁରଙ୍କ ବିଗ୍ରହ ନିମ୍ବକାଠରେ ନିର୍ମାଣ କରାଯାଇଥିବା କହିଥିଲେ ହେଁ ଏ ବିବାଦ ଏ ପର୍ଯ୍ୟନ୍ତ ତୁଟିନାହିଁ।
ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର ‘ଦାରୁଘର’ରେ ସଂରକ୍ଷିତ ରହିବାର ବିଧି ରହିଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ବ୍ୟବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି। ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେ ନେଇ ଅବଗତ ଥାଇ ମଧ୍ୟ ଶ୍ରୀ ଦାସ ମହାପାତ୍ର କିପରି ବଙ୍ଗଳା ଗଣମାଧ୍ୟମକୁ ଏପରି ଟିପ୍ପଣୀ ଦେଲେ ତାହା ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ କରିଛି। ଏହି କୈଫିୟତ ତଲବ ପୂର୍ବରୁ ରବିବାର ସକାଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଓ ସଭାପତି ଗଣେଶ୍ୱର ଦାସମହାପାତ୍ରଙ୍କୁ ଡାକି ଏହି ପ୍ରସଙ୍ଗରେ ପଚରାଉଚରା କରିଥିଲେ।






