ବିଦା ହଉଛନ୍ତି ପାକିସ୍ତାନୀ, କେବେ ବିଦା ହେବେ ବାଂଲାଦେଶୀ?
ଭୁବନେଶ୍ୱର: ପହଲଗାମରେ ଆତଙ୍କୀଙ୍କ ନାରକୀୟକାଣ୍ଡ ପରେ ଓଡ଼ିଶାରେ ରହୁଥିବା ୧୨ଜଣ ପାକିସ୍ତାନୀ ନାଗରିକଙ୍କୁ ବିଦା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ବେଆଇନ୍ ଅନୁପ୍ରବେଶ କରିଥିବା ବାଂଲାଦେଶୀ ନାଗରିକଙ୍କ ମନରେ ଛନକା ପଶିଛି। ଓଡ଼ିଶାରେ ଛାଇ ଯାଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ ପରେ ବାଂଲାଦେଶୀ ନାଗରିକଙ୍କ ପାଳିପଡ଼ିବ ବୋଲି କୁହାଯାଉଛି। ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼଼ିବାକୁ ଲାଗିଛି। ଅନୁପ୍ରବେଶ ଯେତିକି ବଢ଼଼ୁଛି, ବାଂଲାଦେଶୀ ନାଗରିକଙ୍କ ଅପରାଧ ବି ସେତିକି […]
ଭୁବନେଶ୍ୱର: ପହଲଗାମରେ ଆତଙ୍କୀଙ୍କ ନାରକୀୟକାଣ୍ଡ ପରେ ଓଡ଼ିଶାରେ ରହୁଥିବା ୧୨ଜଣ ପାକିସ୍ତାନୀ ନାଗରିକଙ୍କୁ ବିଦା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ବେଆଇନ୍ ଅନୁପ୍ରବେଶ କରିଥିବା ବାଂଲାଦେଶୀ ନାଗରିକଙ୍କ ମନରେ ଛନକା ପଶିଛି। ଓଡ଼ିଶାରେ ଛାଇ ଯାଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ ପରେ ବାଂଲାଦେଶୀ ନାଗରିକଙ୍କ ପାଳିପଡ଼ିବ ବୋଲି କୁହାଯାଉଛି। ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼଼ିବାକୁ ଲାଗିଛି। ଅନୁପ୍ରବେଶ ଯେତିକି ବଢ଼଼ୁଛି, ବାଂଲାଦେଶୀ ନାଗରିକଙ୍କ ଅପରାଧ ବି ସେତିକି ବଢ଼଼ୁଛି। ବିଶେଷକରି ଚୋରି, ଡକାୟତି, ଅନୈତିକ କାର୍ଯ୍ୟ, ଜାଲନୋଟ୍ କାରବାର, ସାଇବର ଅପରାଧ ଭଳି ଘଟଣାରେ ସମ୍ପୃକ୍ତି ରହୁଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି। ଗତ ୧୦ ବର୍ଷରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ସମ୍ପୃକ୍ତି ରହିଥିବା ସରକାରୀ ତଥ୍ୟ କହୁଛି। ଯେତିକି ବି ବାଂଲାଦେଶୀ ଧରାପଡ଼ିଛନ୍ତି, ସେଥିରୁ ଅଧିକାଂଶ ମାମଲାରେ ଜାତୀୟ ଗୁଇନ୍ଦା ସଂସ୍ଥା ଏନ୍ଆଇଏ ଖୋଳତାଡ଼ କରୁଛି।
ରାଜ୍ୟରେ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ରହିଆସୁଛନ୍ତି। ସେଥିରୁ ୩୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବା ଅନୁମତି ନ ନେଇ ରହି ଆସୁଥିବା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନାଗିରରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬ ଓ ଭୁବନେଶ୍ୱରରେ ୧୭ ଜଣ ଆସି ବାଂଲାଦେଶୀ ନାଗରିକ ବେଆଇନ୍ ଭଳି ରହୁଥିବା ଜଣାପଡ଼ିଛି। ବିଶେଷକରି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ୫ ରାଜ୍ୟର ସୀମା ଦେଇ ଭାରତକୁ ଅନୁପ୍ରବେଶ କରୁଛନ୍ତି। ବାଂଲାଦେଶ ସୀମାନ୍ତକୁ ଲାଗି ଆସାମ, ପଶ୍ଚିମବଙ୍ଗ, ମିଜୋରାମ, ମେଘାଳୟ ଓ ତ୍ରିପୁରା ବାଟେ ଥିବା ସୀମା ଦେଇ ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଛନ୍ତି। ବାଂଲାଦେଶୀ ଅନୁପ୍ରବେଶ ଓଡ଼ିଶା ମାଟିରେ ପାଦ ଥାପିବା ପରେ ବିଭିନ୍ନ ଜିଲ୍ଲାରେ ରୋଜଗାର ଲାଗି ଫେରିବାଲା ବେଶ ଧରନ୍ତି। ଏଠାରେ କିଛି ଦିନ ରହିବା ପରେ ବାଂଲାଦେଶରେ ଥିବା ସପରିବାରକୁ ଆଣିବା ଲାଗି ଜଳପଥରେ ପଶି ଆଶନ୍ତି। ଏଠାରେ ଅସ୍ଥାୟୀଭାବେ ଦୀର୍ଘଦିନ ରହିଯାଇଥିବାରୁ ପରିଚୟପତ୍ର ପ୍ରସ୍ତୁତ କରିଥାନ୍ତି। ଏମିତିକି ଉପକୂଳରେ ଥିବା ୫୧ଟି ଟାପୁରେ ବାଂଲାଦେଶୀ ଅନୁପ୍ରବେଶକାରୀ ଲୁଚି ରହୁଛନ୍ତି। ଭୁବନେଶ୍ୱର ଥିବା ବାଲାଂଦେଶୀମାନେ ସ୍ଥାୟୀ ବାସିନ୍ଦା ହୋଇସାରିଲେଣି। ଯେତିକି ବି ବେଆଇନ୍ ଭାବେ ରହୁଛନ୍ତି, ସେମାନଙ୍କ ଖୋଜଖବର ମିଳୁନି।
ଗଲା କିଛି ବର୍ଷରେ ଓଡ଼ିଶା ସମେତ ଭୁବନେଶ୍ୱରରେ ଅପରାଧ ଘଟାଇ ୫୦ରୁ ଅଧିକ ବାଂଲାଦେଶୀ ଗିରଫ ହୋଇଛନ୍ତି। ନିକଟରେ ଆସାମର ଢ଼ୁବୁରୀ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିଥିବା ୧୦ ବାଂଲାଦେଶୀ ଦିବ୍ରୁଗଡ଼଼-ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଇଥିବା ବେଳେ ଭୁବନେଶ୍ୱର ଷ୍ଟେସନରୁ ଧରାପଡ଼ିଥିଲେ। ଭାରତକୁ ଅନୁପ୍ରବେଶ ଲାଗି ୩୫ହଜାର ଟଙ୍କା ଓ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ବାବଦରେ ବାଂଲାଦେଶୀ ନାଗରିକଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡ଼ୁଥିଲା ବୋଲି ବାଂଲାଦେଶୀ ମାଷ୍ଟରମାଇଣ୍ଡ୍ ମହମ୍ମଦ ହାସିମ୍ ଚାଞ୍ଚଲ୍ୟକର ଖୁଲାସା କରିଥିଲେ। ଉକ୍ତ ମାମଲାରେ ଏସ୍ଟିଏଫ୍ ଠାରୁ ତଥ୍ୟ ନେଇଥିଲା ଏନ୍ଆଇଏ।
ଅନୁରୂପ ଭାବେ ଲକ୍ଷ୍ମୀସାଗର ଥାନା ଅଧୀନ ମଙ୍ଗରାଜ ପଏଣ୍ଟ ନିକଟରୁ ଗୋଟିଏ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଥିଲା। ବାଲାଂଦେଶୀ ନାଗରିକ ଅଶାଦ୍ଦୁର ଜମାନ ଓ କୋଲକାତାର ରାଜୁ ମଣ୍ଡଳ ମିଶି ଏହି କାରବାର ଚଳାଉଥିଲେ। ଏହି ମାମଲାରେ ରାଜୁ ମଣ୍ଡଳକୁ ଗିରଫ କରାଯାଇଥିବା ବେଳେ ଅଶାଦ୍ଦୁର ଫେରାର୍ ରହିଛି। ଝାଡଖଣ୍ଡ ଓ ଭୁବନେଶ୍ୱରରୁ ୧୭ରୁ ଅଧିକ ସିମବକ୍ସ ସହ ୬୭୮ ବେନାମୀ ସିମକାର୍ଡ ଜବତ କରାଯାଇଥିଲା। ଏହି ମାମଲାରେ ଆନ୍ତଦେଶୀୟ ଲିଙ୍କ୍ ଥିବାରୁ ଏନ୍ଆଇଏ ତଦନ୍ତ କରିଥିଲା। ସେହିପରି ଲିଙ୍ଗିପୁରରୁ ଏଟିଏମ୍ ତାଡି ୨୦ ଲକ୍ଷ ଲୁଟ୍ ଘଟଣାରେ ୮ଜଣ ବାଂଲାଦେଶୀ ଲୁଟେରାଙ୍କ ସମ୍ପୃକ୍ତି ରହିଥିଲା। ସେଥିରୁ ଦୁଇ ବାଲାଂଦେଶୀ ଖୋକନ ମୁଲ୍ଲା ଓ ମୀଜାରୁଲ ରେହମାନ ମୁଲ୍ଲା ଓରଫ ରାଜୁକୁ ଗିରଫ କରାଯାଇଥିଲା। କିନ୍ତୁ ରାଜୁ ଜାମିନ୍ରେ ମୁକୁଳି ପୁନଶ୍ଚ ଏଟିଏମ୍ ଲୁଟିଥିଲା। ନିକଟରେ ଶ୍ରୀରାମନଗରରୁ ୨୩ ଲକ୍ଷ ଲୁଟ୍ରେ ରାଜୁର ସମ୍ପୃକ୍ତି ରହିଥିଲା। ତାକୁ ପୁଣି ପଶ୍ଚିମବଙ୍ଗ ସୀମାରୁ ଗିରଫ କରିଛି କମିସନରେଟ ପୁଲିସ। ଏଥିସହ ଜାଲ୍ନୋଟ୍ କାରବାରରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ପୁଳାପୁଳା ଜାଲ ନୋଟ୍ ଜବତ ହୋଇଥିଲା।
ଏତିକିରେ ସରିନି ବାଂଲାଦେଶୀ ନାଗରିକଙ୍କ କଳା କାରନାମା। ଅନୈତିକ କାରବାରରେ ବାଂଲାଦେଶୀ ମହିଳା ଓ ଯୁବତୀଙ୍କ ସମ୍ପୃକ୍ତି ଅଧିକ ରହୁଛି। ସେମାନେ ଓଡ଼ିଶାକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉନଥିବାରୁ ଏଠାରେ ସୁରକ୍ଷିତ ଭାବେ ରହୁଛନ୍ତି। ଟଙ୍କାର ଲୋଭ ଦେଖାଇ ସେମାନଙ୍କ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ନିକଟରେ କଟକରୁ ଜଣେ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦଲାଲ୍ ଆଣି ଅନୈତିକ କାର୍ଯ୍ୟରେ ନିୟୋଜିତ କରିଥିବା ନେଇ ଖୁଲାସା ହେବା ପରେ ଉକ୍ତ ମାମଲାର ତଦନ୍ତ ଏବେ ଏନ୍ଆଇଏ ଖୋଳତାଡ କରୁଛି। ପୂର୍ବରୁ ଲିଙ୍ଗରାଜ ଥାନା ଅଞ୍ଚଳରୁ ୬ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଯାଁଳାରେ ଥିବା ଏକ ସୁଧାର ଗୃହକୁ ଖସି ଯାଇ ପୁଣି ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିଲେ। ଅନ୍ୟପଟେ ଧରାପଡ଼ୁଥିବା ବାଂଲାଦେଶୀଙ୍କୁ ଦୂତାବାସ ସହ ଯୋଗାଯୋଗ କରି ନିଜ ଦେଶକୁ ଫେରାଇ ନେବା ଲାଗି ଅନୁରୋଧ କରାଯାଉଛି। କିନ୍ତୁ ବାଲାଂଦେଶ ସରକାର ହସ୍ତକ୍ଷେପ କରିନାହାନ୍ତି।






